ନାତିର ଠେଙ୍ଗାମାଡ଼ରେ ଜେଜେବାପା ମୃତ, ଅଭିଯୁକ୍ତ ନାତି ଗିରଫ

ପାଳଲହଡ଼ା : ଦୈହିକ ସଂପର୍କ ପାଇଁ ନାତୁଣୀବୋହୂକୁ ବାଧ୍ୟ କରିବାରୁ ଜେଜେବାପାଙ୍କୁ ଠେଙ୍ଗାରେ ବାଡ଼େଇ ହତ୍ୟା କରିଛି ନାତି। ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ବତିସୁଆଁ ପଞ୍ଚାୟତ ହାତୀମୁଣ୍ତ ଗାଁରେ ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଥିଲାବେଳେ ଅଭିଯୁକ୍ତ ନାତି ହାତୀମୁଣ୍ଡ ଗାଁର ନବୀନ ମହାକୁଳ (୨୫)କୁ ଗିରଫ କରିଛି ପୁଲିସ।

ସୂଚନା ଅନୁସାରେ, ହାତୀମୁଣ୍ଡ ଗାଁର ଧନୁରାମ ମହାକୁଳ(୬୫)ଙ୍କ ନାତି ନବୀନ ବିବାହ କରିବା ପରଠାରୁ ନାତୁଣୀବୋହୂ ଉପ‌ରେ ଧନୁରାମଙ୍କର ଖରାପ ନଜର ରହିଆସିଥିଲା। ତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ଧନୁରାମ ନାତୁଣୀବୋହୂକୁ ବାଧ୍ୟ କରିଆସୁଥିଲେ। ନାତି ନବୀନ ଏହା ଜାଣିବା ପରେ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ଜେଜେବାପାଙ୍କୁ ବାରମ୍ବାର ତାଗିଦ କରିଥିଲେ। ଧନୁରାମ କିନ୍ତୁ କିଛି ଶୁଣିନଥିଲେ। ଏଥିଯୋଗୁଁ ଉଭୟଙ୍କ ମଧ୍ୟରେ ମଝିରେ ମଝିରେ ଗଣ୍ଡଗୋଳ ହେଉଥିଲା। କିଛିମାସ ତଳେ ଏ ସଂପର୍କରେ ଗାଁରେ ବୈଠକ ବସିଥିଲା। ଏଭଳି ଘଟଣାର ପୁନରାବୃତ୍ତି ନ କରିବା ପାଇଁ ଧନୁରାମଙ୍କୁ ବୈଠକରେ କୁହାଯାଇଥିଲା। କିନ୍ତୁ ଧନୁରାମ ନିବୃତ୍ତ ହୋଇନଥିଲେ।

ନିଜର ମନ୍ଦ ଅଭିଳାଷ ପୂର୍ଣ୍ଣକରିବା ପାଇଁ ନାତୁଣୀବୋହୂକୁ ପୁଣି ବାଧ୍ୟ କରିଥିଲେ। ଗତକାଲି ରାତିରେ ଏହାକୁ କେନ୍ଦ୍ରକରି ଧନୁରାମ ଓ ନାତି ନବୀନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ, ଗଣ୍ଡଗୋଳ ହୋଇଥିଲା। ନବୀନ ଉତ୍‌କ୍ଷିପ୍ତ ହୋଇ ଏକ ଠେଙ୍ଗାରେ ଜେଜେବାପାଙ୍କୁ ପିଟିଥିଲେ। ଘଟଣାସ୍ଥଳରେ ଧନୁରାମଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ନବୀନଙ୍କୁ ଗିରଫ କରିଛି। ଏ ସଂପର୍କରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର