ସାମାଜିକ କର୍ମୀ ନୈନା ସାହୁ ମୃତ୍ୟୁ ଘଟଣା: ଦେଢ଼ମାସ ପରେ ହତ୍ୟା ମାମଲା ରୁଜୁ

ଘଟଗାଁ: କେନ୍ଦୁଝର ପୁରୁଣାସହରର ସାମାଜିକକର୍ମୀ ରୋଜାଲିନ ସାହୁ (ନୈନା)ଙ୍କ ମୃତ୍ୟୁ ଘଟଣାର ଦେଢ଼ମାସ ପରେ ଘଟଗାଁ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ଡିଏସ୍‌ପି (କ୍ରାଇମ୍‌) ଉପାସନା ପାଢ଼ୀ ଏହି ମାମଲାର ତଦନ୍ତ ତଦାରଖ କରୁଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଡିସେମ୍ବର ୧୧ ତାରିଖ ଦିନ ଘଟଗାଁ ବାଇପାସ୍‌ ନିକଟରେ ବାଇକ୍‌ ଦୁର୍ଘଟଣାରେ ନୈନା ଗୁରୁତର ହୋଇଥିଲେ। ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା‌ଧୀନ ଅବସ୍ଥାରେ ତାଙ୍କର ଡିସେମ୍ବର ୨୮ ତାରିଖରେ ମୃତ୍ୟୁ ଘଟିଥିଲା। ଏନେଇ ଘଟଗାଁ ଥାନାରେ କେସ୍‌ ନମ୍ବର ୧/୨୦୨୩ ଦଫା ୨୭୯, ୩୭, ୩୩୮ ଓ ୩୦୪(ଏ)‌ରେ ଏକ ମାମଲା ରୁଜୁ ହୋଇଥିଲା। ତେବେ ଘଟଣା ଦିନ ଝିଅ ବାଇକ୍‌ରେ ନୁହେଁ, ସ୍କର୍ପିଓରେ ଯାଇଥିଲା ବୋଲି ବାପା ସନାତନ ସାହୁ ଓ ମା’ ଦେବକୀ ସାହୁ କହିଥିଲେ।

ବାଇକ୍‌ ଦୁର୍ଘଟଣାରେ ଝିଅର ମୃତ୍ୟୁକୁ ପରିବାର ଲୋକେ ଗ୍ରହଣ କରିପାରି ନଥିଲେ। ନୈନାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ। ଏନେଇ ବାପାମା’ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ଭେଟିବା ସହ ମହିଳା କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ଘଟଣାକୁ ଗୁରୁତର ସହ ନେଇ ତଦନ୍ତକୁ ତ୍ୱରାନ୍ବିତ କରିବାକୁ ନିର୍ଦେଶ ଦେଇଥିଲେ। ଏସ୍‌ପିଙ୍କ ନିର୍ଦେଶକ୍ରମେ ମାମଲାକୁ ପରିବର୍ତ୍ତନ କରି ଦଫା ୩୦୨ରେ ହତ୍ୟା ମାମଲା ରୁଜୁ ହୋଇଛି। ଏ ସମ୍ପର୍କରେ ଘଟଗାଁ ଥାନା ଅଧିକାରୀ ପ୍ରତିଭା ମଞ୍ଜରୀ ସାହୁ କହିଛନ୍ତି, ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ମାମଲାର ତଦନ୍ତ କରାଯାଉଛି। ଏଯାଏ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିନଥିବାରୁ ତଦନ୍ତ ବି‌ଶେଷ ଆଗେଇପାରିନି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର