୧୬ରୁ ପ୍ରାଣୀ ଚିକିତ୍ସକଙ୍କ ଡିଜିଟାଲ କାର୍ଯ୍ୟ ବର୍ଜନ

କେନ୍ଦୁଝର : ପ୍ରାଣୀ ଚିକିତ୍ସକଙ୍କ ବିଭିନ୍ନ ଦାବି ପ୍ରତି ସରକାର ଅବହେଳା କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ୧ ତାରିଖରୁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିଆସୁଥିବା ପ୍ରାଣୀ ଚିକିତ୍ସକମାନେ ୧୬ରୁ ସମସ୍ତ ଡିଜିଟାଲ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ପ୍ରାଣୀ ଚିକିତ୍ସକଙ୍କ ବେତନ, କ୍ୟାରିଅର ଅଗ୍ରଗତି କ୍ଷେତ୍ରରେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଏଲୋପାଥିକ ଡାକ୍ତରଙ୍କ ସହ ସମକ୍ଷକ କରିବା, କ୍ୟାଡର ପୁନର୍ଗଠନ, ପ୍ରାଣୀ ଚିକିତ୍ସା ବିଭାଗର ସେବା ଯୋଗାଣ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ କରିବାକୁ ଚିକିତ୍ସକମାନେ ବହୁଦିନ ହେଲା ଦାବି କରିଆସୁଛନ୍ତି। ପ୍ରତି ୮ରୁ ୧୦ଟି ପଞ୍ଚାୟତ ପାଇଁ ଜଣେ ପ୍ରାଣୀ ଚିକିତ୍ସକ, ପ୍ରାଣୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିମନ୍ତେ ସ୍ବତନ୍ତ୍ର ସେବା, ଉପଖଣ୍ଡ ସ୍ତରରେ ଉନ୍ନତ ରୋଗ ନିରୂପଣ ସୁବିଧା, ରେଫରାଲ ହସ୍ପିଟାଲ ଏବଂ ପ୍ରାଣୀଧନ ପରେନସିକ୍ ଲାବ୍ ପ୍ରତିଷ୍ଠା ପାଇଁ ପ୍ରାଣୀ ଚିକିତ୍ସକମାନେ ଦାବି କରିଆସୁଛନ୍ତି।

ଯାହା କାର୍ଯ୍ୟକାରୀ ହେଲେ ଷାଠିଏ ବର୍ଷର ପୁରାତନ ସେବା ଯୋଗାଣ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ଜିଲ୍ଲା ଭେଟେରିନାରୀ ସର୍ଭିସ ଆସୋସିଏସନ୍‌ (ଓଭିଏସ୍‌ଏ)ର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ସମସ୍ତ ପ୍ରାଣୀ ଚିକିତ୍ସାଳୟ ପରିସରରେ ଥିବା ଜାଗାକୁ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ନିମନ୍ତେ ହସ୍ତାନ୍ତର କରିବା ନିର୍ଦେଶକୁ ଦୃଢ଼ ବିରୋଧ କରିଛନ୍ତି। ବାରମ୍ବାର ନିବେଦନ ସତ୍ତ୍ୱେ ସରକାର ସେମାନଙ୍କ ଦାବି ପ୍ରତି ଦୃଷ୍ଟି ଦେଉନାହାନ୍ତି। ଏହାର ପ୍ରତିବାଦରେ ଜିଲ୍ଲା ସଂଘର କାର୍ଯ୍ୟକର୍ତ୍ତାମାନେ ଆସନ୍ତା ୧୬ ତାରିଖରୁ ସମସ୍ତ ଡିଜିଟାଲ କାର୍ଯ୍ୟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା‌ସତ୍ତ୍ବେ ଆଗାମୀ ଦିନରେ ସରକାର କୌଣସି ପଦକ୍ଷେପ ନନେଲେ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସା ଅଧିକାରୀମାନେ ସମୂହ ଛୁଟିରେ ଯିବେ ବୋଲି ‌ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ, କେନ୍ଦୁଝର ସଭାପତି ଡା. ବିଜୟ କୁମାର ସେଠୀ, ସାଧାରଣ ସମ୍ପାଦକ ଡା. ସୁଶାନ୍ତ କୁମାର ସିଂହ, ଉପଦେଷ୍ଟା ଏଡିଭିଓ (ଏଲ୍‌ପି) ଡା. ବିନୟ ଭୂଷଣ ମିଶ୍ର, ଚମ୍ପୁଆ ଏସ୍‌ଡିଭିଓ ଡା. ପ୍ରଶାନ୍ତ କୁମାର ମହାନ୍ତ, ଏଡିଭିଓ ଆନିମଲ ୱେଲଫେୟାର ଡା. ପ୍ରସନ୍ନ ମୁଣ୍ଡା, ଡିଟିସି ଡା. ଲଲାଟେନ୍ଦୁ ଦାଶ, ଭିଏଏସ୍‌, ଡିଡିଏଲ୍ ଡା. ସତ୍ୟଲକ୍ଷ୍ମୀ ବେହେରା, ଚମ୍ପୁଆ ବ୍ଲକ୍‌ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପୁରୁଷୋତ୍ତମ ମିଶ୍ର, ଭିଏଏସ୍‌ (ଏମ୍‌ଭିୟୁ) ପାଟଣା ଡା. ସସ୍ମିତା ପଣ୍ଡା, ବାଂଶପାଳ ବ୍ଲକ୍‌ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଆଶିଷ କୁମାର ଦାସ, ଭିଏଏସ୍ ଡା. ମଧୁସ୍ମିତା ନାୟକ, ଭିଏଏସ୍ ଡା. ରାଜେଶ କୁମାର ଜେନା, ଡା. ଅନଙ୍ଗ କୁମାର ଦାସ, ଡା. କୁଲଦିପ ପାଣିଗ୍ରାହୀ, ଡା. ସତ୍ୟବ୍ରତ ରାଉତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର