ଆଜି ମିଳିବ ନୀଳାଚଳ ଅବଢ଼ା

ପୁରୀ : ଦୀର୍ଘ ଦିନ ପରେ ନୀଳାଚଳ ଅବଢ଼ା ମଙ୍ଗଳବାର ଉପଲବ୍ଧ ହେବାକୁ ଯାଉଛି। ୧୩ ଦିନ ହେଲା ଶ୍ରୀମନ୍ଦିର ଆନନ୍ଦବଜାର ଖାଁ ଖାଁ ପଡ଼ିବା ପରେ ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ଅବଢ଼ା ମିଳିବ। ଶ୍ରୀଗୁଣ୍ଡିଚା ସମୟରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇଥିଲେ। କିନ୍ତୁ ବାହୁଡ଼ା ପରଠାରୁ ମହାପ୍ରଭୁ ରଥାରୂଢ଼ ଥିବାରୁ ଭକ୍ତମାନେ ଅବଢ଼ାରୁ ବଞ୍ଚିତ ଥିଲେ। ଆଜି ନୀଳାଦ୍ରି ବିଜେ ପରେ ଭକ୍ତମାନେ ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଅବଢ଼ା ପାଇବାର ସୁଯୋଗ ପାଇବେ।

‌େତବେ ବଡ଼କଥା ହେଉଛି, ଆଜି ସଅଳ ପହଣ୍ଡି ହୋଇଥିବା ବେଳେ ମଙ୍ଗଳବାର ରାତିରେ ଚନ୍ଦ୍ରଗହଣ ଲାଗିବ। ଏହି ଦୃଷ୍ଟିରୁ ଆସନ୍ତାକାଲି ସଅଳ ନୀଳାଚଳ ଅବଢ଼ା ବାହାରିବ ବୋଲି ଅନୁମାନ କରାଯାଉଛି। ନୀଳାଚଳ ଅବଢ଼ାରେ ଭକ୍ତଙ୍କ ଆଗ୍ରହ ଥିବାବେଳେ ପ୍ରତ୍ୟେକ ବର୍ଷ ଅବଢ଼ା ବାହାରିବା ବେଳକୁ ରାତି ହୋଇଯାଏ। ଫଳରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତ ନିରାଶ ହୋଇ ଫେରିଥାନ୍ତି। ନୀଳାଚଳ ଅବଢ଼ାର ମହାତ୍ମ୍ୟ ଅଲଗା। ରଥଯାତ୍ରା ସାରି ଫେରିବା ପରେ ମହାପ୍ରଭୁଙ୍କୁ ପ୍ରଥମ କରି ଯେଉଁ ଛପନ ପଉଟି ଭୋଗ ଲାଗି ହୋଇଥାଏ ତାକୁ ନୀଳାଚଳ ଅବଢ଼ା କୁହନ୍ତି। ଯେହେତୁ ମହାପ୍ରଭୁ ୧୩ ଦିନ ପରେ ନୀଳାଦ୍ରି ବିଜେ କରିଛନ୍ତି, ସେହି ଦୃଷ୍ଟିରୁ ୧୩ ଦିନ ପରେ ରୋଷଶାଳାରେ ମହାପ୍ରଭୁଙ୍କ ପାଇଁ ଛପନ ପଉଟି ଭୋଗ ପ୍ରସ୍ତୁତ ହେବ। ମହାପ୍ରଭୁଙ୍କୁ ଲାଗି ପରେ ଏହା ଭକ୍ତମାନଙ୍କ ପାଇଁ ଉପଲବ୍ଧ ହେବ। ଆସନ୍ତାକାଲି ଚନ୍ଦ୍ରଗ୍ରହଣ ଥିବାରୁ ଶ୍ରୀମନ୍ଦିର ପକ୍ଷରୁ ସ୍ବତନ୍ତ୍ର ନୀତି ପ୍ରସ୍ତୁତ ହୋଇଛି। ଅପରାହ୍ଣ ସାଢ଼େ ୪ଟାରୁ ପାକତ୍ୟାଗ ଥିବାରୁ ମଧ୍ୟାହ୍ନ ଧୂପ ପରେ ଦ୍ବିତୀୟ ଭୋଗମଣ୍ଡପ ନୀତି ସଂପନ୍ନ ପାଇଁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର