ପାହାଡ଼ ଉପରେ ଗାଁ: ରାସ୍ତା ଓ ପାଣି ସହ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ୬୦ ପରିବାର

ଭୋଟ ବର୍ଜନ ପାଇଁ ଗ୍ରାମବାସୀଙ୍କ ଚେତାବନୀ

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତର ଅପହଞ୍ଚ ଗ୍ରାମ ହେଉଛି ତୋକାଲ। ପାହାଡ଼ ଉପରେ ଏହି ଗ୍ରାମର ଲୋକମାନେ ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ସଂପୂର୍ଣ୍ଣ ରୂପେ ବଞ୍ଚିତ। ୬୦ ପରିବାର ବିଶିଷ୍ଟ ତୋକାଲ ଗ୍ରାମର ସମସ୍ତେ ଆଦିବାସୀ ଗୋଷ୍ଠୀର। ଏହି ଗ୍ରାମ ପାଇଁ ଆଜିଯାଏ ସବୁଦିନିଆ ରାସ୍ତାଟିଏ ହୋଇପାରିଲା ନାହିଁ।

୨୦୧୭ ମସିହାରେ ପଞ୍ଚାୟତ ସଦର ମହକୂମା ବୋଦାପୁଟ ଠାରୁ ତୋକାଲ ଯାଏ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିଲା। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୭ କିଲୋମିଟର ରାସ୍ତା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଆଜିଯାଏ ରାସ୍ତା କାମ ସଂପୂର୍ଣ୍ଣ ହୋଇପାରିନାହିଁ। ଗତବର୍ଷ ବହୁ ଦାବି ପରେ ମେଟାଲ ଏବଂ ମୋରମ ବିଛେଇ ଦିଆଯାଇଥିଲା। ବର୍ଷା ଋତୁରେ ମୋରମ ଧୋଇ ହୋଇଯାଇଥିବା ବେଳେ ମେଟାଲ ପଡ଼ି ରହିଛି। ଯାହାଫଳରେ ଯାନବାହାନ ଦୂରର କଥା, ପାଦରେ ଚାଲିଚାଲି ଯିବା ବି ମୁସ୍କିଲ। ପ୍ରଶାସନର ଏପ୍ରକାର ଦାୟିତ୍ୱ ହୀନତାରେ କ୍ଷୋଭ ପ୍ରକାଶ କରିବା ସହ ଗ୍ରାମର ପ୍ରତ୍ୟେକ ଘରର କାନ୍ଥରେ ରାସ୍ତା ନାହିଁ ତ ଭୋଟ ନାହିଁ ଲେଖାଯାଇଥିବା ଦେଖିବାକୁ ମିଳିଛି।

ସେହିପରି ପିଇବା ପାଣି ପାଇବା ପାଇଁ ଗ୍ରାମବାସୀଙ୍କୁ ଚୁଆ ପାଣି ଉପରେ ନିର୍ଭର କରିବାକୁ ପଡୁଛି। ଗ୍ରାମରେ ରହିଥିବା ଦୁଇଟି ଯାକ ନଳକୂପ ଅକାମି ହୋଇପଡିଛି। ଯେଉଁ ନଳକୂପ ସହିତ ମୋଟର ସଂଯୋଗ କରାଯାଇଛି, ବିଦ୍ୟୁତ ଯୋଗାଣ ବନ୍ଦ ହୋଇଗଲେ ମଟର କାମ କରୁନଥିବାରୁ ଲୋକେ ବାଧ୍ୟ ହୋଇ ଚୁଆ ପାଣିରେ ଜୀବନ ବଞ୍ଚାଇଥାନ୍ତି। ଥରେ ବିଦ୍ୟୁତ ସଂଯୋଗ ବନ୍ଦ ହେଇଗଲେ ଦିନ ଦିନ ଧରି ବିଦ୍ୟୁତ ଯୋଗାଇବାରେ ଅବହେଳା ପ୍ରଦର୍ଶନ କରାଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଗାଆଁ ଯାଏ ପହଞ୍ଚି ପାରୁନାହିଁ। ଗୁରୁତର ରୋଗୀ ଏବଂ ଗର୍ଭବତୀ ମହିଳାଙ୍କୁ ଖଟିଆରେ ମାଦି ଗ୍ରାମ ଯାଏ ଜଙ୍ଗଲ ଭିତରେ ୪ କିଲୋମିଟର ଯାଏ ବୋହି ନେବାକୁ ପଡ଼ିଥାଏ। ରାସନ୍ କିମ୍ବା ଭତ୍ତା ପାଇଁ ମଧ୍ୟ ସେହି ସମସ୍ୟା। ଦେଶ ସ୍ବାଧୀନତା ଲାଭ କରିବା ୭୭ ବର୍ଷ ପରେ ମଧ୍ୟ ଗ୍ରାମବାସୀ ମାନେ ମୌଳିକ ସୁବିଧାରୁ ବଞ୍ଚିତ ହେବା ବିଡ଼ମ୍ବନାର ବିଷୟ। ପ୍ରଶାସନ ତଥା ରାଜନେତାଙ୍କ ଉଦାସୀନତାର ଫଳ ତୋକାଲ ଗ୍ରାମବାସୀ ଭୋଗୁଥିବା ପ୍ରକାଶ। ସେବା ବଞ୍ଚିତ ତୋକାଲ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ସମସ୍ତ ନିର୍ବାଚନ ବର୍ଜନ କରିବେ ବୋଲି ଶପଥ ନେଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର