ୟୁକ୍ରେନ୍‌ ମୂଳୋଦ୍ଭବ ମିସ୍‌ ଜାପାନ!

ୟୁକ୍ରେନ୍‌ରେ ଜନ୍ମ ହୋଇ ପାଞ୍ଚ ବର୍ଷ ବୟସରୁ ଜାପାନରେ ରହୁଥିବା ଜଣେ ୨୬ ବର୍ଷୀୟା ମଡେଲଙ୍କୁ ନିକଟରେ ‘ମିସ୍‌ ଜାପାନ’ ମୁକୁଟ ପିନ୍ଧାଯାଇଛି। ଏହି ଘଟଣା ଜାତୀୟ ପରିଚୟକୁ ନେଇ ଏକ ବିବାଦ ଛିଡ଼ା କରାଇଛି। ମିସ୍‌ ଜାପାନ ହୋଇଥିବା ମହିଳାଙ୍କ ନାମ କାରୋଲିନା ସିନୋ। କାରୋଲିନା ଜଣେ ୟୁରୋପୀୟଙ୍କ ଭଳି ଦେଖାଯାଆନ୍ତି। ପାଞ୍ଚ ବର୍ଷ ବୟସରୁ ସେ ଜାପାନରେ ରହି ଆସୁଥିବାରୁ ସେ ୨୦୨୨ରେ ଜାପାନର ନାଗରିକତା ହାସଲ କରିଛନ୍ତି। ସେ ସ୍ପଷ୍ଟ ଭାବେ ଜାପାନୀ ଭାଷା କହି ଓ ଲେଖିପାରନ୍ତି। ତାଙ୍କୁ ମିସ୍‌ ଜାପାନ ମୁକୁଟ ଦେବାକୁ ବିରୋଧ କରୁଥିବା ଜାପାନୀମାନେ କହୁଛନ୍ତି କାରୋଲିନାଙ୍କ ସୌନ୍ଦର୍ଯ୍ୟକୁ ନେଇ କୌଣସି ସନ୍ଦେହ ନାହିଁ, କିନ୍ତୁ ଜଣେ ୧୦୦% ୟୁରୋପୀୟ ମହିଳାଙ୍କୁ ‘ମିସ୍‌ ଜାପାନ’ ନିର୍ବାଚିତ କରିବା କଦାପି ଗ୍ରହଣୀୟ ନୁହେଁ। ଏହି ନିଷ୍ପତ୍ତିକୁ ୟୁକ୍ରେନ୍‌ ପ୍ରତି ରାଜନୈତିକ ସମର୍ଥନ ଭାବେ ମଧ୍ୟ ଅନେକ ଲୋକ ଦେଖୁଛନ୍ତି। ଅପରପକ୍ଷେ କାରୋଲିନାଙ୍କ ସଂଘର୍ଷ ମଧ୍ୟ ଉଲ୍ଲେଖଯୋଗ୍ୟ। ସେ ଛୋଟ ବେଳୁ ଜାପାନରେ ରହିଆସୁଥିଲେ ହେଁ ଲୋକମାନେ ତାଙ୍କୁ ସ୍ଥାନୀୟ ବ୍ୟକ୍ତି ବୋଲି ଗ୍ରହଣ କରନ୍ତି ନାହିଁ। ମିସ୍‌ ଜାପାନ ହେବା ପରେ ଲୋକମାନଙ୍କର ଏହି ଭାବନା ବଦଳିବ ବୋଲି ସେ ଆଶା କରୁଛନ୍ତି।

ସମ୍ବନ୍ଧିତ ଖବର