ଭାଷାକୋଷ ପରେ ‘ସାହିତ୍ୟକୋଷ’

ଭୁବନେଶ୍ବର : ଭାଷା-ସାହିତ୍ୟର ଦୀର୍ଘଦିନର ଆବଶ୍ୟକତା ପୂରଣ ହୋଇଛି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପରେ ଓଡ଼ିଆ ସାହିତ୍ୟକୁ ଏକାଠି କରି ପ୍ରସ୍ତୁତ ହୋଇଛି ‘ସାହିତ୍ୟକୋ‌ଷ’। ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ହୋଇଛି ଏହି ଅନନ୍ୟ ଗ୍ରନ୍ଥ। ‘ସମ୍ବାଦ’ର ରଜତ ଜୟନ୍ତୀରେ ପରିକଳ୍ପିତ ଏହି ଗ୍ରନ୍ଥ ଏକ ଦଶନ୍ଧି ପରେ ପୂର୍ଣ୍ଣାଙ୍ଗ ରୂପରେ ପାଠକାର୍ପିତ ହୋଇଛି। ୧୨୦ରୁ ଅଧିକ ଲେଖକ ଏହି ସାହିତ୍ୟକୋଷକୁ ନିଜ ପାଣ୍ଡିତ୍ୟ ଦ୍ବାରା ସମୃଦ୍ଧ କରିଛନ୍ତି। ଏହି ଜ୍ଞାନକୋଷଧର୍ମୀ ଗ୍ରନ୍ଥକୁ ସ୍ବତନ୍ତ୍ର ଶୈଳୀରେ ରଚନା କରାଯାଇଛି। ବିଜ୍ଞ ଓ ଅଭିଜ୍ଞ ଅଧ୍ୟାପକ ଗୋଷ୍ଠୀକୁ ନେଇ ଏହାର ସମ୍ପାଦନାମଣ୍ଡଳୀ ଗଠନ କରାଯାଇଥିଲା। ଦାଶରଥି ଦାସ, ସୁଦର୍ଶନ ଆଚାର୍ଯ୍ୟ ଓ ଗଗନେନ୍ଦ୍ରନାଥ ଦାଶଙ୍କ ଭଳି ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଏବଂ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ଅଧ୍ୟାପକ ତଥା ଗବେଷକ ମଧ୍ୟ ଏହି ସମ୍ପାଦନାମଣ୍ଡଳୀରେ ରହିଥିଲେ। ଗଗନେନ୍ଦ୍ରନାଥ ଦାଶ ଶାରୀରିକ ଅସୁସ୍ଥତା ପାଇଁ ଶେଷ ପର୍ଯ୍ୟନ୍ତ ସମ୍ପାଦନା ମଣ୍ଡଳୀରେ ରହିନଥିବାରୁ ଅଧ୍ୟାପକ ଓ ଗବେଷକ ଦେବେନ୍ଦ୍ର କୁମାର ଦାଶ ଓ ଗୌରାଙ୍ଗ ଚରଣ ଦାଶ କାର୍ଯ୍ୟ ସମ୍ପାଦନ କରିଥିଲେ।

ଏଥିରେ ୧୯୬୦ ମସିହା ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ପ୍ରମୁଖ ଲେଖକଙ୍କୁ ସ୍ଥାନିତ କରାଯାଇଛି। ସେମାନଙ୍କ ବାବଦରେ ଲେଖାଯିବା ସହିତ ଆମ ସାହିତ୍ୟ ଓ ସାହିତ୍ୟର ବିଭିନ୍ନ ବିଭାବ ବାବଦରେ ପ୍ରାୟ ସାଢ଼େ ୩ହଜାର ତଥ୍ୟନିଷ୍ଠ ଲେଖା ସ୍ଥାନ ପାଇଛି। ଏହାକୁ ଧର୍ମ, ଦର୍ଶନ, ଇତିହାସ, ସାମାଜିକ ବିଜ୍ଞାନ, ମାନବବିଦ୍ୟା, ଅର୍ଥନୀତି ଆଦି ବହୁ ବିଷୟ ବିଚାର ଆଧାରରେ ପ୍ରସ୍ତୁତ କରାଯାଇଛି। ଏଥିସହ ସାହିତ୍ୟର ବିଭିନ୍ନ ଦିଗ, ସାହିତ୍ୟର ଇତିହାସ ଏବଂ ସାହିତ୍ୟର ସୂତ୍ରରେ ଜ୍ଞାନବିଜ୍ଞାନର ବିଦ୍ୟା ଶୃଙ୍ଖଳା ସମ୍ପର୍କରେ ଚର୍ଚ୍ଚା ରହିଛି। ଅଳଙ୍କରଣମୁକ୍ତ, କଳାତ୍ମକ ଓ ସହଜରେ ବୁଝି ହେବା ଭଳି ଲେଖାଗୁଡ଼ିକ ପ୍ରସ୍ତୁତ କରାଯାଇଛି। ସାହିତ୍ୟାନୁରାଗୀ ପାଠକ, ‌ଗବେଷକ ଓ ବକ୍ତା ଏଥିରୁ ଅନେକ ବ୍ୟବହାର ଉପଯୋଗୀ ଉପାଦାନ ପାଇପାରିବେ। ବିଷୟ ଚୟନ, ଉପସ୍ଥାପନା, ଆକାର, ଛାପା ଓ ବନ୍ଧେଇ ଆଦି ସବୁ ଦୃଷ୍ଟିରୁ ଏହାକୁ ଅନନ୍ୟ ଓ ରୁଚିପୂର୍ଣ୍ଣ କରାଯାଇଛି।

୧୯୧୨ ମସିହାରୁ ଦେବଗଡ଼ର ହରିହର ମହାପାତ୍ରଙ୍କ ‘କୁମାର କଣ୍ଠାଭରଣ’ରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଅନେକଗୁଡ଼ିଏ ଜ୍ଞାନକୋଷ ରଚନା ହୋଇଛି। ସେଥିରେ ଓଡ଼ିଆ ଭାଷାରେ ସମ୍ପାଦିତା ସେହି କୋଷଗ୍ରନ୍ଥଗୁଡ଼ିକରେ ସାହିତ୍ୟର ନାନା ପ୍ରସଙ୍ଗ ଓ ସାହିତ୍ୟିକମାନେ ମଧ୍ୟ ସ୍ଥାନ ପାଇଛନ୍ତି। ମାତ୍ର ସାହିତ୍ୟକୁ ନେଇ ସ୍ବତନ୍ତ୍ର ଜ୍ଞାନକୋଷ ଆମ ଭାଷାରେ ଏଯାଏ ନଥିଲା। ଏ ଦୃଷ୍ଟିରୁ ଏହା ଓଡ଼ିଆ ଭାଷାର ପ୍ରଥମ ‘ସାହିତ୍ୟକୋଷ’। ଦେଢ଼ ହଜାର ପୃଷ୍ଠାର ଏହି ‘ସାହିତ୍ୟକୋଷ’ର ମୂଲ୍ୟ ୧୮୦୦ ଟଙ୍କା ରହିଛି। ‘ଆମ ଓଡ଼ିଶା’ ପକ୍ଷରୁ ଏହାକୁ ସ୍ବତନ୍ତ୍ର ରିହାତିରେ ବିକ୍ରି କରାଯାଉଛି।

ସମ୍ବନ୍ଧିତ ଖବର