ବିକାଶ କାର୍ଯ୍ୟରେ ଡିପ୍ଲୋମା ଇଞ୍ଜିନିୟରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘର ୭୩ତମ ବାର୍ଷିକ ସମ୍ମିଳନୀ

ଭୁବନେଶ୍ବର : ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘର ୭୩ତମ ବାର୍ଷିକ ସମ୍ମିଳନୀ ତଥା ପ୍ଲାଟିନମ୍ ଜୁବୁଲି ସ୍ବାଗତ ମହୋତ୍ସବ ଇନ୍‌ଷ୍ଟିଚ୍ୟୁସନ୍ ଅଫ ଇଞ୍ଜିନିୟର୍ସ ପରିସରରେ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ତଥା ମୁଖ୍ୟଅତିଥିଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟ ଏବେ ଦ୍ରୁତ ବିକାଶ ପଥରେ ଆଗଉଛି। ଜନସାଧାରଣଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବାର ଲକ୍ଷ୍ୟକୁ ହାସଲ କରିବା ଦିଗରେ ସରକାର ନିକଟତର ହୋଇଛନ୍ତି। ରାଜ୍ୟରେ ଯୋଗାଯୋଗ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହେଉଛି। ସବୁ ଘରକୁ ବିଜୁଳି ଓ ଅତିରିକ୍ତ ୧୦ଲକ୍ଷ ହେକ୍ଟର ଜମିକକୁ ଜଳସେଚିତ କରିବା ପାଇଁ ନିଆଯାଇଥିବା ଲକ୍ଷ୍ୟ ଖୁବଶୀଘ୍ର ସଂପୂର୍ଣ୍ଣ ହେବ। ଏଭଳି ସ୍ଥିତି‌ରେ ଇଞ୍ଜିନିୟରିଂ ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସୁଶାସନ ପାଇଁ ଟେକ୍‌ନୋଲୋଜି, ଟ୍ରନ୍‌ସପାରେନ୍‌ସି ଓ ଟିମ୍ ୱାର୍କ ବା ଥ୍ରିଟି ମନ୍ତ୍ରକୁ ଡିପ୍ଲୋମା ଇଞ୍ଜିନିୟରମାନେ ପାଳନ କରନ୍ତୁ। ନିର୍ମାଣ କାର୍ଯ୍ୟକୁ ବାଦ୍ ଦେଲେ ଏହାର ରକ୍ଷଣାବେକ୍ଷଣ ଜରୁରୀ। ଅର୍ଥ ଓ ସମୟର ସଂଚୟ ପାଇଁ ବୈଜ୍ଞାନିକ ପରିଚାଳନା ପଦ୍ଧତିକୁ ଆପଣାଇବାକୁ ପଡ଼ିବ। ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦିଗରେ ଡିପ୍ଲୋମା ଇଞ୍ଜିନିୟରମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ସଂଘର ଦାବି ସଂପର୍କରେ ସରକାର ସଚେତନ ଓ ବିଚାର ବିମର୍ଶ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ଅନ୍ୟତମ ସମ୍ମାନିତ ଅତିଥି ବିଧାୟକ ମହେଶ ସାହୁ ଓ ବିଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସଂଘର ସଭାପତି ପ୍ରଦୀପ କୁମାର ପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ସାଧାରଣ ସଂପାଦକ ସଚିତ୍ର ମୋହନ ରାଉଳ ସଂପାଦକୀୟ ବିବରଣୀରେ ଡିପ୍ଲୋମା ଇଞ୍ଜିନିୟରଙ୍କ ପଦୋନ୍ନତି, ଆରଏସିପି ବ୍ୟବସ୍ଥା ଓ ଦରମା କ୍ଷେତ୍ରରେ ହୋଇଥିବା ଅବହେଳା ସଂପର୍କରେ ମତ ରଖିଥିଲେ। ଏହି ଅବସରରେ ସଂଘର ସ୍ମରଣିକାର ଉନ୍ମୋଚିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଂଘର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ହୃଷୀକେଶ ସାହୁ, ଉପଦେଷ୍ଟା ନରେନ୍ଦ୍ର କୁମାର ନାୟକ, କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର