ଫିମ୍ପି ମୁହଁରେ କାଳଜୟୀ ପୁସ୍ତକ : ସଂସ୍କୃତି ବିଭାଗର ‘୫-ଟି’ କୁଆଡ଼େ ଗଲା, ଏଯାଏଁ ହୋଇନି ପୁନଃ ପ୍ରକାଶନ

ଭୁବନେଶ୍ବର : ବିରଳ ପୁସ୍ତକରେ ଚରିଗଲାଣି ଉଇ। ଫିମ୍ପି ମାରି ନଷ୍ଟ ହେବାକୁ ବସିଲାଣି ଖ୍ୟାତନାମା ଲେଖକଙ୍କ କାଳଜୟୀ ପୁସ୍ତକ। ଓଦାରେ ବିଣ୍ଡି ମାରିଗଲାଣି ଅଶୀ ଦଶକର ଗବେଷଣାମୂଳକ ଗ୍ରନ୍ଥମାଳା। ସ୍ଥିତି ଏତେ ଦୟନୀୟ ଯେ ବହିଟିଏ ହାତରେ ଧରୁଧରୁ ଚିରି ଯାଉଛି। ଓଡ଼ିଶା ସଂଗୀତ ନାଟକ ଏକାଡେମି ପ୍ରକାଶିତ ହଜାର ହଜାର ପୁସ୍ତକ ରୁଦ୍ଧ କୋଠରି ମଧ୍ୟରେ ଏହିପରି ଦୟନୀୟ ଅବସ୍ଥାରେ ପଡ଼ି ରହିଥିଲେ ହେଁ ସଂସ୍କୃତି ବିଭାଗ ଅଚିନ୍ତାରେ ବସି ରହିଛି। କୋଠରିଟିଏ ବନ୍ଦୋବସ୍ତ କରି ଦେଇ କାମ ସାରିଦେଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ବିରଳ ପୁସ୍ତକଗୁଡ଼ିକର ପୁନଃ ପ୍ରକାଶ ହୋଇନାହିଁ। ଅର୍ଥାତ୍‌ କୋଠରି ମଧ୍ୟରେ ମହଜୁଦ ଥିବା ପୁସ୍ତକ ହିଁ ଏକାଡେମିର ସମୁଦାୟ ପୁସ୍ତକ ସମ୍ପଦ। ଏହା ସତ୍ତ୍ବେ ମଧ୍ୟ ଏଥିପ୍ରତି କର୍ତୃପକ୍ଷଙ୍କ ଆନ୍ତରିକତାଶୂନ୍ୟ ମନୋଭାବ ଗବେଷକ ଓ ପାଠକଙ୍କୁ ଆଘାତ ଦେଇଛି।

ଓଡ଼ିଶା ସଂଗୀତ ନାଟକ ଏକାଡେମି ପ୍ରକାଶିତ ୨୭ଟି ବହି ମଧ୍ୟରୁ ୧୬ଟି ଓଡ଼ିଆରେ ପ୍ରକାଶ ପାଇଥିବା ବ‌େଳେ ୧୧ଟି ଇଂରାଜୀରେ ପ୍ରକାଶ ପାଇଛି। ବହୁ କାଳଜୟୀ ଲେଖକଙ୍କ ଗବେଷଣାମୂଳକ ପୁସ୍ତକ ମହଜୁଦ ରହିଥିବାରୁ ଅନେକ ନୃତ୍ୟ, ନାଟକ ଓ ସଂଗୀତ ବିଶେଷଜ୍ଞ ଏହି ପୁସ୍ତକ ଉପରେ ନିର୍ଭର କରନ୍ତି। ଅଧିକାଂଶ ବହି ଅଶୀ ଦଶକର ହୋଇଥିବାରୁ ଏଗୁଡ଼ିକର ମୂଲ୍ୟ ମଧ୍ୟ ଅପେକ୍ଷାକୃତ କମ୍‌ ରହିଛି। ୩ ଟଙ୍କାରୁ ଆରମ୍ଭ କରି ୧୭୦ ଟଙ୍କା ମୂଲ୍ୟର ବହି ଉପଲବ୍ଧ ହେଉଛି। ପୁନଃ ପ୍ରକାଶ ହୋଇନଥିବାରୁ ସେତେବେଳେ ପ୍ରକାଶନ ସମୟରେ ଯେଉଁ ଦର ବହିରେ ଛପା ଯାଇଥିଲା ସେଇ ଦରରେ ବହି ଯୋଗାଇ ଦିଆଯାଉଛି। ମୂଲ୍ୟ କମ୍‌ ଥିଲେ ମଧ୍ୟ ଏହି ବହିଗୁଡ଼ିକ ଅତ୍ୟନ୍ତ ଉପାଦେୟ ଓ ଗବେଷଣାମୂଳକ। ମାତ୍ର ବହିଗୁଡ଼ିକୁ ଏପରି ଏକ କୋଠରିରେ ରଖାଯାଇଛି, ବର୍ଷା ହେବା ମାତ୍ରେ ଝରକା ବାଟ ଦେଇ ଘରେ ପାଣି ଭାସୁଛି। ଅନେକ ସମୟରେ ପାଣି ଜକଉଥିବାରୁ ବହିଗୁଡ଼ିକ ଏହା ପ୍ରଭାବରେ ଫିମ୍ପି ମାରିଗଲାଣି। ମାତ୍ର ନା ଏହି ବହିଗୁଡ଼ିକୁ କେମିକାଲ୍‌ ଟ୍ରିଟ୍‌ମେଣ୍ଟ୍‌ରେ ରଖାଯାଉଛି ନା ବିକଳ୍ପ ବ୍ୟବସ୍ଥା କରାଯାଉଛି। ବହିଗୁଡ଼ିକ ନଷ୍ଟ ହେବା ପୂର୍ବରୁ ପୁନଃ ପ୍ରକାଶନ କରିବା ପାଇଁ ବି ଏପର୍ଯ୍ୟନ୍ତ ଉଦ୍ୟମ କରାଯାଇନାହିଁ। ଫ‌ଳରେ ବହିଗୁଡ଼ିକ ନଷ୍ଟ ହୋଇଗଲେ, ଆଉ ଏଗୁଡ଼ିକ ଉପଲବ୍ଧ ନହେବା ଆଶଙ୍କା ଉପୁଜିଲାଣି।

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ସମ୍ପାଦିତ ‘ଓଡ଼ିଶୀ ନୃତ୍ୟ ଆଲୋଚନା’, ବିଜୟ ତେନ୍ଦୁଲକରଙ୍କ ରଚିତ ନାଟକ ‘ଚୁପ୍‌ କୋର୍ଟ ଚାଲିଛି’, ନୃସିଂହନାଥ ଖୁଣ୍ଟିଆଙ୍କ ‘ଶ୍ରୀମନ୍ଦିର ସଂଗୀତମାଳା’, ପଣ୍ଡିତ ରଘୁନାଥ ରଥଙ୍କ ‘ନାଟ୍ୟ ମନୋରମା’, ଶ୍ୟାମସୁନ୍ଦର ଧୀର୍‌ଙ୍କ ସଂକଳନ ‘ଉତ୍କଳ ସଂଗୀତ ପଦ୍ଧତି’ ସମେତ ନୀଳମାଧବ ପାଣିଗ୍ରାହୀଙ୍କ ‘ସଂଗୀତ କୌମୁଦି’, ପର୍ସପେକ୍ଟିଭ୍‌ସ ଅନ୍‌ ଓଡ଼ିଶୀ ଥିଏଟର, ଫୋକ୍‌ ଥିଏଟର ଅଫ୍‌ ଓଡ଼ିଶା, ଫୋକ୍‌ ଡ୍ୟାନ୍‌ସ ଅଫ୍‌ ଓଡ଼ିଶା, ଧୀରେନ୍‌ ଦାଶଙ୍କ ‘ଦଣ୍ଡ ନାଟ’ ଓ ‘ଏ ବ୍ରିଫ୍‌ ସର୍ଭେ ଅନ୍‌ ଛଉ ଡ୍ୟାନ୍‌ସ ଅଫ୍‌ ଢେଙ୍କାନାଳ’, ଧୀରେନ୍ଦ୍ର ନାଥ ପଟ୍ଟନାୟକଙ୍କ ଓଡ଼ିଶୀ ନୃତ୍ୟ, ଧୀରେନ୍‌ ଦାଶଙ୍କ ‘ଓଡ଼ିଶାର ଯାତରା’ ଆଦି ବହି ମହଜୁଦ ରହିଛି। ଯେଉଁଥିରେ ଧୀରେନ୍‌ ଦାଶଙ୍କ ‘ଦଣ୍ଡନାଟ’ ବହିର ମୂଲ୍ୟ ୩ଟଙ୍କା ରହିଥିବା ବେଳେ ବିଜୟ ତେନ୍ଦୁଲକରଙ୍କ ମୂଳରଚନାର ନାଟକ ‘ଚୁପ୍‌ କୋର୍ଟ ଚାଲିଛି’ ପୁସ୍ତକର ଦର ରହିଛି ୬ଟଙ୍କା ୫୦ ପଇସା। ଧୀରେନ୍‌ ଦାଶଙ୍କ ‘ଓଡ଼ିଶା ଯାତରା’ ବହିର ଦାମ୍‌ ୭ଟଙ୍କା ୫୦ ପଇସା ଥିବା ବେଳେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ସମ୍ପାଦିତ ‘ଓଡ଼ିଶୀ ନୃତ୍ୟ ଆଲୋଚନା’ ଭଳି ପୁସ୍ତକ ମାତ୍ର ୧୧ଟଙ୍କାରେ ମିଳୁଛି। ମାତ୍ର ଦୁର୍ଭାଗ୍ୟ ଯେ ଏହି ବହିଗୁଡ଼ିକ ଆଉ ହାତରେ ଧରି ପଢ଼ିବା ଯୋଗ୍ୟ ହୋଇ ରହିନାହିଁ। ଅଧିକାଂଶ ବହିର ପ୍ରଥମ ପୃଷ୍ଠା ଉଇ ଖାଇଯାଇଛି। ବହୁ ପୁରୁଣା ପ୍ରକାଶନ‌ ହୋଇଥିବାରୁ କାଗଜଗୁଡ଼ିକ ଦୁର୍ବଳ ହୋଇଯାଇଥିବା ବେଳେ ସେଗୁଡ଼ିକ ଉପରେ ଫିମ୍ପି ମାରି ବିଣ୍ଡି ହୋଇଯାଇଥିବାରୁ ଧରିବା ମାତ୍ରେ ଚିରି ଯାଉଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଏକାଡେମି କିଛି ମାସ ତଳେ ନୂଆ ବିଲ୍‌ଡିଂକୁ ସ୍ଥାନାନ୍ତର ହୋଇଛି। ମାତ୍ର ପୁସ୍ତକ ରଖିବା ପାଇଁ ଆବଶ୍ୟକ ଭିତ୍ତିଭୂମି ତ ଦୂରର କଥା ବହି ଘରଟିକୁ ମଧ୍ୟ ନିର୍ମାଣ ବେଳେ ସେହିଭଳି ପ୍ଲାନିଂରେ ନିର୍ମାଣ କରାଯାଇ ନାହିଁ। ଦୂରଦୃଷ୍ଟି ଅଭାବରୁ ଏବେ ଏକାଡେମିର ବହିଗୁଡ଼ିକ ଦୟନୀୟ ଅବସ୍ଥାରେ ଛାଡ଼ି ଦିଆଯାଇଛି। ତେବେ ଏହା ଆଜିକାଲିର କଥା ନୁହେଁ, ବରଂ ଦୀର୍ଘ ମାସ ହେବ ଏଭଳି ସ୍ଥିତିରେ ବହି ରହୁଥିଲେ ହେଁ ଏନେଇ ବିଭାଗୀୟ କର୍ତୃପକ୍ଷ କୌଣସି ପଦକ୍ଷେପ ନେଇନାହାନ୍ତି। ଗୋଟେ ପଟେ କର୍ତୃପକ୍ଷ ୫-ଟି ପାଇଁ ଶପଥ ନେଉଛନ୍ତି, ଏଣେ ଏକାଡେମିର ମୂଲ୍ୟବାନ ଗବେଷଣା ସମ୍ପଦକୁ ଏପରି ଦୂରାବସ୍ଥା ମଧ୍ୟରେ ଛାଡ଼ି ଦେଇଛନ୍ତି।

ସମ୍ବନ୍ଧିତ ଖବର