ରାଜ୍ୟ ମାନବାଧିକାର କମିସନ୍ ଅଧୢକ୍ଷ ପଦ ପୂରଣ ପାଇଁ ନିର୍ଦ୍ଦେଶ

କଟକ : ରାଜ୍ୟ ମାନବାଧିକାର କମିସନରେ ସ୍ଥାୟୀ ଅଧୢକ୍ଷ ପଦ ପୂରଣ ପ୍ରସଂଗରେ ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.‌ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାନବାଧିକାର କମିସନ୍ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୫କୁ ଧାର୍ଯ୍ୟ କରାଯାଇଛି। ଯଦି ପରବର୍ତ୍ତୀ ଶୁଣାଣି ସୁଦ୍ଧା ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆ ନଯାଏ ତେବେ ଆବେଦନକାରୀ ଆବଶ୍ୟକ ଯୋଗ୍ୟତା ଥିବା ତିନି ଜଣଙ୍କ ନାଁ ଉଲ୍ଲେଖ କରି ହାଇକୋର୍ଟରେ ପ୍ରସ୍ତାବ ଦାଖଲ କରିବେ। ଏହା ପରେ ମାନବାଧିକାର କମିସନ ପଦ ପୂରଣ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦିଆଯିବ। ମାନବାଧିକାର କର୍ମୀ ପ୍ରବୀର କୁମାର ଦାସ ଓ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି କରି ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କୁ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇ ପାରିବ।

ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୨ରୁ ମାନବାଧିକାର କମିସନଙ୍କ ସ୍ଥାୟୀ ଅଧୢକ୍ଷ ପଦ ଖାଲି ପଡିଥିବା ବେଳେ ଏ ନେଇ ଶ୍ରୀ ଦାସ ଓ ଶ୍ରୀ ମହାନ୍ତି ଦୁଇଟି ପୃଥକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ମାମଲା ବିଚାରାଧୀନ ଥିବା ବେଳେ ୨୦୧୮, ଡିସେମ୍ବର ୨୨ରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ କମିସନଙ୍କ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର