ସୂର୍ଯ୍ୟମନ୍ଦିର କାରୁକାର୍ଯ୍ୟ ସ୍ପର୍ଶ କଲେ ଦୃଷ୍ଟିହୀନ

ଭୁବନେଶ୍ବର: କୋଣାର୍କ ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟ ସମ୍ପର୍କରେ ଶୁଣିଥିଲେ। ହେଲେ ଦେଖିବା ତାଙ୍କ ଭାଗ୍ୟରେ ଜୁଟିନଥିଲା। ଶେଷରେ କିଛି ଆଗ୍ରହୀ ଦୃଷ୍ଟିହୀନଙ୍କ ଏହି ସ୍ବପ୍ନ ସାକାର ହୋଇଛି। କାରୁକାର୍ଯ୍ୟ ଉପରେ ଆଙ୍ଗୁଳି ସ୍ପର୍ଶ କରି ଉଲ୍ଲସିତ ହୋଇପଡ଼ିଥିଲେ ୩୫ ଦୃଷ୍ଟିବାଧିତ ପିଲା। କୋଣାର୍କର କାରୁକାର୍ଯ୍ୟକୁ ସ୍ପର୍ଶ କରିବା ଉପରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ରୋକ୍‌ ଲଗାଇଥିଲେ ହେଁ ଦୃଷ୍ଟିହୀନଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ନୃତତ୍ତ୍ବବିତ୍‌ ନିତୁରଂଜନ ଦାଶ ଏନେଇ ଏଏସ୍‌ଆଇ ନିର୍ଦେଶକଙ୍କୁ ଚିଠି ଲେଖିଥିଲେ। ନିର୍ଦେଶକ ଏନେଇ ଅନୁମତି ଦେଇଥିଲେ। ଫଳରେ ପିଙ୍ଗଳାକ୍ଷୀ ପବ୍ଲିକ୍‌ ୱେଲ୍‌ଫେୟାର ସଂସ୍ଥା ୩୫ ଜଣ ଦୃଷ୍ଟିହୀନ ପିଲାଙ୍କୁ ନେଇ ଗତକାଲି କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପହଞ୍ଚିଥିଲେ।

ପୂର୍ବରୁ ଏଥିପାଇଁ ଦୃଷ୍ଟିହୀନମାନଙ୍କୁ କୋଣାର୍କର ଇତିହାସ, କାରୁକାର୍ଯ୍ୟ, କୀର୍ତିରାଜି ସମ୍ବଳିତ ଏକ ବ୍ରେଲି ଅକ୍ଷରରେ ପ୍ରସ୍ତୁତ ପୁସ୍ତିକା ଯୋଗାଇ ଦିଆଯାଇଥିଲା। ଏଏସ୍‌ଆଇ ଗାଇଡ୍‌ମାନେ କାରିଗରୀ ସମ୍ବନ୍ଧରେ ବୁଝାଇବା ସହ ସ୍ପର୍ଶ କରାଇଥିଲେ। ଦୃଷ୍ଟିହୀନମାନେ ପ୍ରଥମେ ସେଠିକାର ସଂଗ୍ରହାଳୟ ବୁଲି ଦେଖିଥିଲେ। ସଂଗ୍ରହାଳୟର ଉପ ଅଧୀକ୍ଷକ ପ୍ରତାପ କୁମାର ନାୟକ ସଂଗ୍ରହାଳୟ ବୁଲାଇବାରେ ସେମାନଙ୍କୁ ସହଯୋଗ କରିଥିଲେ। ଦୃଷ୍ଟିହୀନ ଦୀପାଳି ଦାସ କୋଣାର୍କ ବୁଲି ଦେଖିବା ପରେ ନିଜ ପ୍ରତିକ୍ରିୟ‌ାରେ କହିଛନ୍ତି, କୋଣାର୍କ ବାବଦରେ ବହୁତ କଥା ଶୁଣିଥିଲି। ଦେଖିବାର ସୁଯୋଗ ନଥିଲେ ବି ଆଜି ହାତ ମାରି କଳିଙ୍ଗ କୀର୍ତିରାଜିର ଗାରିମାକୁ ଉପଲବ୍ଧି କଲି। ମୋର ଏଇ ଦିନ ସବୁଦିନ ମନେ ରହିବ ବୋଲି ସେ କହିଥିଲେ। ଏନେଇ ନୃତତ୍ତ୍ବବିତ୍‌ ନିତୁରଂଜନ କହିଛନ୍ତି, ଏଏସ୍‌ଆଇ ଏପରି ଅନୁମତି ଦେବା ଫଳରେ ଆକ୍‌ସେସ୍‌ ଟୁ ଅଲ୍‌ ସୁବିଧା ସାର୍ଥକ ହୋଇପାରିଛି। ଭବିଷ୍ୟତରେ ଏହା ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର