ଘରୁ ଘୋଷାଡ଼ି ନେଇ ମାରିଲା ଦନ୍ତା

ପାଳଲହଡ଼ା : ପାଳଲହଡ଼ା ବ୍ଲକ୍‌ ପେଚାମୁଣ୍ତି ପଞ୍ଚାୟତ ମୁଣ୍ତାସାହିରେ ଗୁରୁବାର ରାତିରେ ଏକ ଦନ୍ତାହାତୀ ଜଣେ ଯୁବକଙ୍କୁ ଘରୁ ଘୋଷାଡ଼ିନେଇ ମାରିଦେଇଛି। ମୃତ ଯୁବକ ହେଲେ ପବିତ୍ର ନାଏକ (୩୫)। ଏଥିଯୋଗୁ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ମୁଣ୍ଡାସାହିରେ ଗତକାଲି ସଂଧ୍ୟାବେଳେ ରଜ ଉତ୍ସବ ଚାଲିଥିଲା। ରାତି ପ୍ରାୟ ୧୨ ଟାବେଳେ ବିଦ୍ୟୁତ୍‌ ଲାଇନ୍‌ କଟିଯାଇଥିଲା। ପବିତ୍ର ତାଙ୍କ ଅଜାଘରେ ଶୋଇଥିବାବେଳେ ହଠାତ୍‌ ରାତି ୩ଟା ସମୟରେ ଘର ସାମ୍ନାରେ କିଛି ଶବ୍ଦ ଶୁଣିଥିଲେ। ସେ ଟର୍ଚ୍ଚଲାଇଟ୍‌ ପକାଇବାରୁ ଦେଖିଲାବେଳକୁ ଘର ଆଗରେ ଥିବା ପଣସ ଗଛରୁ ପଣସ ଖାଇବାକୁ ଏକ ଦନ୍ତାହାତୀ ଆସିଛି। ହେଲେ, ହାତୀ ପଣସ ନଖାଇ ଘର ଭିତରେ ଶୋଇଥିବା ପବିତ୍ରଙ୍କୁ ଘୋଷାଡ଼ିନେଇ ପ୍ରାୟ ୫୦ ମିଟର ଦୂରରେ ଏକ ପଡ଼ିଆରେ ଦଳି ମାରିଦେଇଥିଲା।

ସକାଳେ ଏହି ଘଟଣା ପ୍ରଚାରିତ ହେବାପରେ ଗ୍ରାମବାସୀ ଓ ପାଖ ଅଞ୍ଚଳର ଲୋକ ଘଟଣାସ୍ଥଳରେ ରୁଣ୍ତ ହୋଇଥିଲେ। ଗ୍ରାମବାସୀ ବନବିଭାଗ ଓ ପୁଲିସ ପ୍ରଶାସନକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀ ବହୁବିଳମ୍ବରେ ପହଞ୍ଚିବାରୁ ଉ​ତ୍ତେଜନା ପ୍ରକାଶ ପାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ମୃତ ପବିତ୍ରଙ୍କର ଦୁଇ ବିଧବା ପତ୍ନୀ ଓ ଗୋଟିଏ ଝିଅ ଅଛନ୍ତି।

ସମ୍ବନ୍ଧିତ ଖବର