ପାଳଲହଡ଼ା ରାଜନୀତି: ମୁକେଶଙ୍କ ପାଇଁ ଅବନୀ ଅଡ଼ୁଆ, ପଞ୍ଚାୟତ ନିର୍ବାଚନରେ ଶକ୍ତି ଦେଖାଇଥିଲେ

ବିଧାୟକ ଟିକେଟ୍‌ ପାଇଁ ଅଣ୍ଟା ଭିଡ଼ିଛନ୍ତି

ଅନୁଗୁଳ: ୨୦୧୯ ନିର୍ବାଚନ ପୂର୍ବରୁ ପଦ୍ମ ପୋଖରୀ ଛାଡ଼ି ବିଜେଡିକୁ ଆସିଥିଲେ ମୁକେଶ ପାଳ। ରାତାରାତି ଟିକେଟ୍‌ ହାତେଇ ବିଧାୟକ ‌ବି ହୋଇଥିଲେ। ଏଥର ବି ଟିକେଟ୍‌ ଆଶାରେ ପାଳଲହଡ଼ାରେ ବିଜେଡି ସଂଗଠନକୁ ପାଖରେ ରଖିଛନ୍ତି। ହେଲେ, ତାଙ୍କ ପାଇଁ ଅଡ଼ୁଆ ସାଜିଛନ୍ତି ରାଜ୍ୟ ଖାଦ୍ୟ କମିସନ ଅଧ୍ୟକ୍ଷ ଅବନୀକାନ୍ତ ସାହୁ। ଅବନୀ ଗତ ପଞ୍ଚାୟତ ନିର୍ବାଚନବେଳକୁ ବିଧାୟକ ମୁକେଶ ପାଳଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ ଆରମ୍ଭ କରି ଦେଇଥିଲେ। ଏପରିକି ପାଳଲହଡ଼ା ନିର୍ବାଚନମଣ୍ଡଳୀ ଅଧୀନରେ ସବୁ ପଞ୍ଚାୟତରେ ନିଜ ସମର୍ଥକଙ୍କୁ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ କରାଇଥିଲେ। ଏହାକୁ ନେଇ ଦଳର ବରିଷ୍ଠ ନେତାମାନେ ଅକଳରେ ପଡ଼ି ଯାଇଥିଲେ। ଅବନୀଙ୍କୁ ବୁଝାସୁଝା କରି ଦଳ ପାଇଁ କାମ କରିବାକୁ କହିଥିଲେ। ତଥାପି ନିଜ ପ୍ରାର୍ଥୀ ପ୍ରତ୍ୟାହାର କରି ନଥିଲେ ସେ।

ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ସେ ସମର୍ଥନ କରିବାକୁ ରାଜି ହୋଇଥିଲାବେଳେ ସମିତି ସଭ୍ୟ ଜିତାଇବା ପାଇଁ ଲାଗି ପଡ଼ିଥିଲେ। ନିର୍ବାଚନ ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରେ ମୁକେଶଙ୍କ ସମର୍ଥକ ବସିଥିଲାବେଳେ ଉପାଧ୍ୟକ୍ଷ ପଦ ଅବନୀଙ୍କ ସମର୍ଥକଙ୍କୁ ଦିଆଯାଇଥିଲା। ଏବେ ସମାନ୍ତରାଳ ସଙ୍ଗଠନ କରିବା ସହିତ ବିଧାୟକ ହେବାପାଇଁ ଆଶାୟୀ ଥିବା ଖୋଲାଖୋଲି କହୁଛନ୍ତି। ଏପଟେ ଜଣାଶୁଣା ଡାକ୍ତର ପ୍ରତାପ ପାଣି ମଧ୍ୟ ଏ ଭିତରେ ବିଜେଡିରେ ସାମିଲ ହେବାସହ ଟିକେଟ୍‌ ପାଇଁ ଆଶାୟୀ ଥିବା କହିଛନ୍ତି। ଏହା ବିଜେଡି ଶୀର୍ଷ ନେତୃତ୍ବଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏ ସମ୍ପର୍କରେ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ କହିଛନ୍ତି, ଏବେ ସଂଗଠନ କଥା ବୁଝିବା ପାଇଁ ବିଧାୟକ ମୁକେଶ ପାଳଙ୍କୁ ଦଳ ନିର୍ଦ୍ଦେଶ ଦେଇଛି। ଏହାବାଦ୍‌ ଯିଏ ଦଳୀୟ ବ୍ୟାନର୍‌ରେ ସଭାସମିତି କରିବ ଆଗୁଆ ଅନୁମତି ନେବ। ଯିଏ ଦଳୀୟ ଶୃଙ୍ଖଳା ଭାଙ୍ଗିବ ତାଙ୍କ ବିରୋଧ‌ରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର