ହୋଟେଲ ସିସିଟିଭି କ୍ୟାମେରା‌ରେ ପିହୁ ଅପହର୍ତ୍ତା

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରରେ ଥିବା ହୋଟେଲ ପାର୍ବତୀ ରେସିଡେନ୍ସି ସିସିଟିଭି କ୍ୟାମେରା‌ରେ କଏଦ ହୋଇଛନ୍ତି ଦେବଗଡ଼ ପିହୁ ଅପହରଣକାରୀ। ୧୮ ତାରିଖରେ ଦେବଗଡ଼ର ଶିଶୁକନ୍ୟା ପିହୁ ଅଗ୍ରୱାଲକୁ ଅପହରଣ କରି ଦୁର୍ବୃତ୍ତମାନେ ସୁନ୍ଦରଗଡ଼ ନେଇ ଆସିଥିଲେ। ଏକ ଧଳାରଙ୍ଗର କାର୍‌ରେ ଆସି ମିସନରୋଡ୍‌ସ୍ଥ ହୋଟେଲ ପାର୍ବତୀ ରେସିଡେନ୍ସି ନିକଟରେ ଅଟକିଥିଲେ। ରାତି ପ୍ରାୟ ୧୦ଟା ୩୭ମିନିଟ୍‌ରେ ହୋଟେଲ ଭିତରକୁ ୨ ଜଣ ଦୁର୍ବୃତ୍ତ ଯାଇ କୋଠରି ଖାଲି ଅଛି କି ବୋଲି ପଚାରିଥିଲେ। ହୋଟେଲ ମ୍ୟାନେଜର ଯୁଗଳ କିଶୋର ପ୍ରଧାନ କେତେଜଣ ରହିବେ ପଚାରିବାରୁ ସେମାନେ ପୁରୁଷ ୩ ଜଣ ଓ ୬ ବର୍ଷର ଝିଅଟେ ଅଛି କହିଥିଲେ।

ପରେ ଦୁର୍ବୃତ୍ତମାନେ ଉପରମହଲାକୁ ଯାଇ କୋଠରି ‌ଦେଖିବା ପରେ ରହିବାକୁ ଚାହିଁଥିଲେ। ମାତ୍ର ମ୍ୟାନେଜର ଆଧାର ପରିଚୟପତ୍ର ମାଗିବାରୁ ଦୁହେଁ ଦୋଦୋପାଞ୍ଚ ହୋଇ ପରିଚୟପତ୍ର ଦେଇ ନଥିଲେ। ବିନା ପରିଚୟପତ୍ରରେ କୋଠରି ଦେବାକୁ ମ୍ୟାନେଜର ମନା କରିବାରୁ ପାଖାପାଖି ୧୩ ମିନିଟ୍‌ ପରେ ୧୦ଟା ୫୦ରେ ସେମାନେ ହୋଟେଲରୁ ବାହାରି ଯାଇଥିଲେ। ଏଠାରୁ ବଡ଼ଗାଁ ଆଡ଼କୁ ଯାଇଥିବା ସୂଚନା ରହିଛି। ହୋଟେଲର ସିସିଟିଭି କ୍ୟାମେରାରେ ଏସବୁ ଦୃଶ୍ୟ କଏଦ ହୋଇଛି। ସିସିଟିଭି ଫୁଟେଜ୍‌ରେ ଦୁର୍ବୃତ୍ତମାନଙ୍କ ଚେହେରା ସ୍ପଷ୍ଟ ଜଣାପଡ଼ୁଥିବାବେଳେ ଦେବଗଡ଼ ପୁଲିସ ତାକୁ ଆଧାରକରି ସେମାନଙ୍କୁ ଠାବ କରିବାକୁ ଜୋରସୋର ଉଦ୍ୟମ ଚଲାଇଛି।

ସମ୍ବନ୍ଧିତ ଖବର