‘ସମ୍ବାଦ’ ୱାର୍ଲଡ୍‌ କପ୍‌ କ୍ରିକେଟ୍‌ କୁଇଜ୍ ପୁରସ୍କାର ବିତରଣ ସମାରୋହ: ‘କ୍ରିକେଟ୍‌ ଜ୍ଞାନ ଜୀବନର ମୋଡ଼ ବଦଳାଇଦିଏ’

କଟକ: ‘ସମ୍ବାଦ’ ଖେଳ ଖବରକୁ ଯେତିକି ଗୁରୁତ୍ବର ସହ ପ୍ରକାଶ କରେ ତାହା ଅନ୍ୟ କୌଣସି ଖବରକାଗଜରେ ଦେଖିବାକୁ ମିଳେ ନାହିଁ। କ୍ରିକେଟ୍ ସଂପର୍କିତ ଜ୍ଞାନ ଅନେକ ସମୟରେ ଜୀବନର ଉତ୍‌ଥାନର ଦ୍ବାର ଖୋଲି ଦିଏ। କଟକର ବାରବାଟୀ ଷ୍ଟାଡିୟମ୍‌ ପରିସରସ୍ଥିତ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) କନ୍‌ଫରେନ୍‌ସ ହଲ୍‌ରେ ଆୟୋଜିତ ‘ସମ୍ବାଦ’ ୱାର୍ଲଡ୍‌ କପ୍‌ କ୍ରିକେଟ୍‌ କୁଇଜ୍‌ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥିମାନେ ଏଭଳି ମତ ଦେଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓସିଏର ପୂର୍ବତନ ସଂପାଦକ, କଟକର ପୂର୍ବତନ ନଗରପାଳ ତଥା ଓଡ଼ିଶା ଫୁଟ୍‌ବଲ୍ ସଂଘର ସଂପାଦକ ଆଶୀର୍ବାଦ ବେହେରା ଏଭଳି ନିଆରା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ସବୁବେଳେ ‘ସମ୍ବାଦ’ର ଖେଳପୃଷ୍ଠାର ବିଶେଷ ଗୁରୁତ୍ବ ରହିଆସିଛି ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ମହିଳା କ୍ରିକେଟର୍‌ ସୁଶ୍ରୀ ମାଧୁରୀ ମେହେଟ୍ଟା ତାଙ୍କ ଖେଳ ଜୀବନରେ ଉଭୟ ସମ୍ବାଦ ଓ ଓସିଏର ଗୁରୁତ୍ବପୂର୍ଣ୍ଣ ଭୂମିକା ରହି ଆସିଛି ବୋଲି କହିଥିଲେ। ମୁଁ ଯେଉଁଠି ଖେଳିଲେ ବି ‘ସମ୍ବାଦ’ ମୋତେ ଅନୁସରଣ କରିଥାଏ। ଖବର କାଗଜରେ ନାମ ବାହାରିଲେ ଏହା ଖୁସି ଦେଇଥାଏ ଏବଂ ଅଧିକ ଉନ୍ନତ ପ୍ରଦର୍ଶନ କରିବାକୁ ଉତ୍ସାହ ମିଳେ। ପ୍ରତି ଖେଳାଳିର ଜୀବନରେ ଏହି ଛୋଟ ‌‌ଛୋଟ ପ୍ରକାଶିତ ଖବର ‌ସେମାନଙ୍କୁ ଆଗକୁ ବଢ଼ିବାରେ ଗୁରୁ୍ତ୍ବପୂର୍ଣ୍ଣ ଭୂମିକା ନେଇଥାଏ ବୋଲି ଓଡ଼ିଶା ଦଳର ଅଧିନାୟିକା ମାଧୁରୀ ପ୍ରକାଶ କରିଥିଲେ।

‘ସମ୍ବାଦ’ର ପ୍ରକାଶକ ତଥା ସିଓଓ କମଳାକାନ୍ତ ମହାପାତ୍ର କହିଥିଲେ ଯେ ରାଜ୍ୟର ପ୍ରଥମ ଗଣମାଧ୍ୟମ ଭାବେ ‘ସମ୍ବାଦ’ ସ୍ବତନ୍ତ୍ର ଖେଳ ପୃଷ୍ଠା ପ୍ରକାଶ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଗଣମାଧ୍ୟମ ତାହାର ଅନୁକରଣ କରିଥିଲେ। ‘ସମ୍ବାଦ’ର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକ ସବୁ ବେଳେ ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବା ଗଣମାଧ୍ୟମର କାମ ବୋଲି କହି ଆସୁଥିବା ବେଳେ ଏହି କାର୍ଯ୍ୟକ୍ରମ ସେହି ଉଦ୍ଦେଶ୍ୟରେ ଆୟୋଜନ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ। କ୍ରିକେଟ୍ ଜ୍ଞାନ କିଭଳି ଜୀବନର ଉତ୍‌ଥାନର କାରଣ ହୋଇପାରେ ଏବଂ ଆଗକୁ ବଢ଼ିବାରେ ବିଶେଷ ସହାୟକ ‌ହୁଏ, ସେ ସଂପର୍କରେ ନିଜର ବ୍ୟକ୍ତିଗତ ଅନୁଭବର ଅବତାରଣା କରି ବର୍ତ୍ତମାନ ସମୟରେ କ୍ରିକେଟ୍‌ ଓ ଅନ୍ୟ ଖେଳର ଗୁରୁତ୍ବ ସଂପର୍କରେ କହିଥିଲେ ‘ସମ୍ବାଦ’ର ବାର୍ତ୍ତା ବିଭାଗ ମୁଖ୍ୟ (ସିଜିଏମ୍, ନିଉଜ୍) ଅରବିନ୍ଦ ଦାସ। କେବିସିରୁ ଆରମ୍ଭ କରି ପ୍ରାଶାସନିକ ସେବା ପରୀକ୍ଷା ପର୍ଯ୍ୟନ୍ତ ସବୁଥିରେ ଏବେ କ୍ରିକେଟ୍‌କୁ ନେଇ ପ୍ରଶ୍ନ ଆସୁଛି। କ୍ରିକେଟ୍‌‌ ଖେଳ ଅନେକ ପିଲାଙ୍କ ଜୀବନର ମୋଡ଼ ବଦଳାଇବା ସହିତ ଉନ୍ନତିରେ ସହାୟକ ହୋଇ ଆସିଛି ‌ବୋଲି ଶ୍ରୀ ଦାସ କହିଥିଲେ।

‘ସମ୍ବାଦ’ କଟକ ସଂସ୍କରଣ ମୁଖ୍ୟ, ଏଜିଏମ୍ ନିଉଜ୍ କୃଷ୍ଣପ୍ରସାଦ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥି‌ବା ବେଳେ ଏଥିରେ ବିଶ୍ବକପ୍ କ୍ରିକେଟ୍ ସମୟରେ ୩୫ ଦିନ ଧରି ଚାଲିଥିବା କୁଇଜ୍ ପ୍ରତିଯୋଗିତାର ୧୭୫ ଜଣ ବିଜେତାଙ୍କୁ ପୁରସ୍କାର ପ୍ରଦାନ ପାଇଁ ଆମନ୍ତ୍ରଣ କରାଯାଇଥିଲା। ୧୭୫ ଜଣ ବିଜେତାଙ୍କୁ ଡିଜିଟାଲ୍ ପର୍ସନାଲ ସ୍କେଲ୍‌ ଉପହାର ସ୍ବରୂପ ଦିଆଯାଇଥିଲା। ଏହି ଅବସରରେ ଆୟୋଜିତ ମେଗା ଲକି ଡ୍ର କାର୍ଯ୍ୟକ୍ରମରେ ପ୍ରଥମ ବିଜେତା ଭାବେ ରାଉରକେଲାର ଅନୁପ କୁମାର ସାହୁ କ୍ରସ୍‌ ଟ୍ରେନର, ଦ୍ବିତୀୟ ବିଜେତା ରୂପେ କୋଣାର୍କର ଜଗନ୍ନାଥ ଖଟୋଇ ମ୍ୟାଗ୍ନେଟିକ୍‌ ବାଇକ୍‌ ଓ ତୃତୀୟ ବିଜେତା ଭାବେ ଭୁବନେଶ୍ବରର ବନେଶ୍ବର ପ୍ରସାଦ ସ୍ବାଇଁ ଟୁଇଷ୍ଟର ଉଇଥି ଷ୍ଟାଣ୍ଡ ପୁରସ୍କାର ପାଇଥିଲେ।

ଓସିଏ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ପ୍ରାୟୋଜକ ଆନନ୍ଦ‌ ସ୍ପୋର୍ଟସ୍‌ର ପ୍ରୋପାଇଟର ଯୋଗେଶ ଅଗ୍ରୱାଲ ଓ ସୂରଜ ଅଗ୍ରୱାଲ ଉପସ୍ଥିତ ଥିଲେ। ସମ୍ବାଦ କଟକ ବିଜ୍ଞାପନ ବିଭାଗର ବରିଷ୍ଠ ପ୍ରବନ୍ଧକ ସିଦ୍ଧାର୍ଥ ଶଙ୍କର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବରି‌ଷ୍ଠ ସାମ୍ବାଦିକ ଗଦାଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ ଖେଳ ବିଭାଗର ମୁଖ୍ୟ ସୁରେଶ କୁମାର ସ୍ବାଇଁ, କଟକର ସମସ୍ତ ପ୍ରତିନିଧି ଓ କର୍ମଚାରୀ ଯୋଗ ଦେଇଥିଲେ। ସମ୍ବଲପୁରର ବେଦିକ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ ଏହି କାର୍ଯ୍ୟକ୍ରମର ଅନ୍ୟତମ ସହଯୋଗୀ ରହିଥିଲା।

ସମ୍ବନ୍ଧିତ ଖବର