ପ୍ରଦୂଷଣ ବୃଦ୍ଧି ପ୍ରସଂଗ: ୪ ରାଇସ୍‌ ମିଲ୍‌କୁ କାରଣ ଦର୍ଶାଅ ‌ନୋଟିସ୍

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ୪ଟି ରାଇସ୍ ମିଲ୍‌କୁ ନୋଟିସ୍ ଦେଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏହି ରାଇସ୍‌ ମିଲ୍‌ଗୁଡ଼ିକ ହେଲା ସାନସିଂହାରୀର ମା ତାରା ରାଇସ୍‌ ଇଣ୍ଡିଷ୍ଟ୍ରିଜ୍ ଓ ନାରାୟଣ ରାଇସ୍ ମିଲ୍‌, ଚାଉଁରପୁର ପାଖ ରଘୁନାଥପାଲିର ଚନ୍ଦ୍ରମା ରାଇସ୍ ମିଲ ଏବଂ ବୈଜାମୁଣ୍ଡା ପାଖ ବାଲାଜୀ ଏଗ୍ରୋ ଟେକ୍।

ନିକଟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ଟିମ୍ ଏସବୁ ରାଇସ୍ ମିଲ୍‌କୁ ନିରୀକ୍ଷଣ କରାଯାଇଥିଲା। ନିରୀକ୍ଷଣ ବେଳେ ରାଇସ୍‌ ମିଲ୍‌ଗୁଡ଼ିକର ଇଟିପି କାର୍ଯ୍ୟକ୍ଷମ ନଥିଲା। ରାଇସ୍‌ ମିଲ୍‌ରୁ ନିର୍ଗତ ଦୂଷିତ ପାଣି ବାହାରକୁ ଛାଡ଼ି ଦିଆଯାଇଥିଲା। ରାଇସ୍ ମିଲ୍‌ଗୁଡ଼ିକର ଏଭଳି କାର୍ଯ୍ୟ ଯୋଗୁଁ ଅଂଚଳରେ ବାୟୁ ଓ ଜଳ ପ୍ରଦୂଷଣ ବୃଦ୍ଧି ପାଉଥିବା ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୋଟିସ୍ ଦେଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବଧି ମଧ୍ୟରେ ସନ୍ତୋଷଜନକ ଉତ୍ତର ନମିଳଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଏସବୁ ରାଇସ୍‌ ମିଲ୍‌ଗୁଡ଼ିକ ବିଦ୍ୟୁତ ଖର୍ଚ୍ଚ ହ୍ରାସ କରିବା ପାଇଁ ଇଟିପି କାର୍ଯ୍ୟକ୍ଷମ କରୁନାହାନ୍ତି। ଇଟିପି ଚଳାଇବା, ପ୍ରଦୂଷଣ ରୋକିବା ଆଦି ପାଇଁ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶ ରହିଛି। ଏହା ସତ୍ତ୍ବେ ରାଇସ୍ ମିଲ୍‌ଗୁଡ଼ିକ ଏହାକୁ ଅଣଦେଖା କରୁଛନ୍ତି।

ସମ୍ବନ୍ଧିତ ଖବର