ନ୍ୟାୟ ପାଇଁ ଚତୁର୍ଥ ଦିନରେ ଧାରଣା: ଶ୍ୱଶୁର ଘର ଆଗରେ ମାଣବସା ଗୁରୁବାର

ବ୍ରହ୍ମପୁର : ଛତ୍ରପୁରର ତପସ୍ବିନୀ ଦାଶ ଓ ବ୍ରହ୍ମପୁରର ଜଣେ ଯୁବ ଡାକ୍ତର ସୁମିତ ସାହୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ଗତବର୍ଷ କୋର୍ଟରେ ବିବାହ କରିବା ସହ ଏକାଠି ରହିଥିଲେ। ଗତ କିଛି ମାସ ହେବ ସ୍ବାମୀ, ଶାଶୂ ଓ ଶ୍ବଶୁର ମିଶି ତାଙ୍କୁ ନିର୍ଯାତନା ଦେଇଥିବା ନେଇ ମହିଳା ଜଣଙ୍କ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଡାକ୍ତରଙ୍କ ପରିବାର ଲୋକେ ମାମଲା ଉଠାଇବା ପାଇଁ ବୋହୂଙ୍କୁ ମନାଇବା ସହ ବାହଘର କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଗତ ୨୨ତାରିଖରେ ବାହାଘର ଲଗ୍ନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶ୍ବଶୂର ଘର ଲୋକ କୌଣସି ଆୟୋଜନ କରି ନଥିବାରୁ ତପସ୍ବିନୀ ବଧୂ ବେଶରେ ସଜେଇ ହୋଇ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ଶ୍ୱଶୁର ଘର ଆଗରେ ଧାରଣା ଜାରି ରଖିଛନ୍ତି।

ଗୁରୁବାର ଚତୁର୍ଥ ଦିନରେ ମଧ୍ୟ ସେ ତାଙ୍କର ଧାରଣା ଜାରି ରଖିଛନ୍ତି। ଧାରଣାସ୍ଥଳରେ ବୋହୂ ତପସ୍ବନୀ ମାଣବସା ଗୁରୁବାର ପାଳନ କରି ମା ଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା କରି ନ୍ୟାୟ ଭିକ୍ଷା କରିଛନ୍ତି। ତେବେ, କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଯାହା ଆଦେଶ ଆସିବ ତାକୁ ପାଳନ କରିବାକୁ ବୋଲି ମହିଳାଙ୍କ ସ୍ବାମୀ ଓ ଶ୍ବଶୁର କହିଛନ୍ତି।

ଅନ୍ୟପଟେ ପୁଲିସ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିପାରୁ ନାହିଁ। ସିଆର୍‌ପିସିର ୧୦୭ ଧାରାରେ ଧାରଣାରେ ବସିଥିବା ମହିଳାଙ୍କୁ ନୋଟିସ୍‌ ଜାରି କରି ସୁରକ୍ଷା ଦୃଷ୍ଟିକୋଣରୁ ପୁଲିସ ସେଠାରେ ଜଗି ରହିଛି। ସଂଧ୍ୟାରେ ଅଞ୍ଚଳବାସୀ ଧାରଣାରେ ବସିଥିବା ମହିଳାଙ୍କ ସପକ୍ଷରେ ବାହାରି ନ୍ୟାୟ ପ୍ରଦାନ କରିବାକୁ ନାରା ଦେଇଥିଲେ। ଯାହାକୁ ନେଇ ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃ‌ଷ୍ଟି ହୋଇଥିଲା। ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସେଠାରୁ ଘଉଡ଼ାଇଥିଲା।

ସମ୍ବନ୍ଧିତ ଖବର