ଖେଲୋ ଇଣ୍ଡିଆ ୧୭ ବର୍ଷରୁ କମ୍ ବାଳିକା ଫୁଟବଲ୍: ରାଜଗାଙ୍ଗପୁର ଚାମ୍ପିଅନ୍

ସୁନ୍ଦରଗଡ଼: କିଞ୍ଜିର୍ମା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଫାଓ ଖେଲୋ ଇଣ୍ଡିଆର ୧୭ ବର୍ଷରୁ କମ୍ ବାଳିକା ଫୁଟବଲର ଦ୍ବିତୀୟ ପର୍ଯ୍ଯାୟ ଲିଗ୍ ଉଦଯାପିତ ହୋଇଯାଇଛି। ପ୍ରତିଯୋଗିତାରେ କୁଆରମୁଣ୍ଡାକୁ ହରାଇ ରାଜଗାଙ୍ଗପୁର ଦଳ ଚାମ୍ପିଅନ୍ ହୋଇଛି। ଜିଲ୍ଲା କ୍ରୀଡା ସଂସଦ ଓ ଓଡିଶା ଫୁଟବଲ୍ ସଂଘର ମିଳିତ ଆନୁକୂଲ୍ଯରେ ଅନୁଷ୍ଠିତ ଫୁଟବଲ୍ ଲିଗର ଉଦଯାପନୀ ଦିବସରେ ଅତିଥି ଭାବେ କିଞ୍ଜିର୍ମା କଲେଜ ଅଧ୍ଯକ୍ଷ ମନୋଜ ଚୌଧୁରୀ ଓ ସଦର ଜିଲ୍ଲା ପରିଷଦ ସଭ୍ଯ ଅଶ୍ବିନୀ ନାଏକ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଲିଗ୍ ପର୍ଯ୍ଯାୟରେ ହୋଇଥିବା ସମସ୍ତ ମ୍ଯାଚରେ ରାଜଗାଙ୍ଗପୁର ଓ କୁଆରମୁଣ୍ଡା ଦଳ ସମାନ ୨୪ ପଏଣ୍ଟ ହାସଲ କରିଥିଲେ। କିନ୍ତୁ ଗୋଲ୍ ସ୍କୋର୍ ବ୍ଯବଧାନରେ ରାଜଗାଙ୍ଗପୁର ବିଜେତା ଓ କୁଆରମୁଣ୍ଡା ଉପବିଜେତା ଘୋଷିତ ହୋଇଥିଲା।

ସେହିପରି ତୃତୀୟ ସ୍ଥାନରେ ସୁନ୍ଦରଗଡ଼ ଏସଟି ମେରୀ ସ୍କୁଲ, ଚତୁର୍ଥରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ, ପଞ୍ଚମରେ କିଞ୍ଜିରକେଲା ହାଇସ୍କୁଲ ଓ ଷଷ୍ଠ ସ୍ଥାନରେ କିଞ୍ଜିର୍ମା ହାଇସ୍କୁଲ ରହିଥିଲେ। ଅତିଥିମାନେ ବିଜେତା, ଉପବିଜେତା ସହ ସମସ୍ତ ଦଳକୁ ପୁରସ୍କୃତ କରିଥିଲେ। ରାଜଗାଙ୍ଗପୁରର ରାନୀ ଖଡିଆଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇ ଥିବାବେଳେ କୁଆରମୁଣ୍ଡା ଦଳର ମଧୁସ୍ମିତା ମିଞ୍ଜଙ୍କୁ ଉଦୀୟମାନ ଖେଳାଳି, ରାଉରକେଲା ଦଳର କୀର୍ତ୍ତି କିସାନଙ୍କୁ ସର୍ବାଧିକ ଗୋଲ୍ ସ୍କୋରର ଭାବେ ପୁରସ୍କୃତ କରାଯାଇଥିଲା। ଖେଳକୁ ରେଫରି ରୀନା ତିର୍କୀ, ସୋମାନି ଲାକ୍ରା, ବାସନ୍ତୀ କିସାନ, ବାଲମତୀ ଓରାମ ଓ ଫୁଲାନ୍ତି ଟପ୍ପୋ ପରିଚାଳନା କରିଥିଲେ। ଜାତୀୟ ରେଫରି ଦୁର୍ଗାମାଧବ ନାଏକ ମ୍ଯାଚ କମିସନର ଦାୟିତ୍ବ ତୁଲାଇଥିଲେ। ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ, ଉପସଭାପତି ଜୟଦେବ ପାତ୍ର, ଫୁଟବଲ୍ ସମ୍ପାଦକ ନିତ୍ଯକୁମାର ବଳ, ରୋମାଞ୍ଚ ଭୈଷାଲ, ସୂରଜ ଭୈଷାଲ, ଅଜୟ ବହିଦାର, ଆଦିତ୍ଯ ନାଏକ, ପ୍ରଶାନ୍ତ ପଟେଲ ପ୍ରମୁଖଙ୍କ ତତ୍ତ୍ବାବଧାନରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବାଳିକା ଦଳର ଖେଳ ଦେଖିବାକୁ ପଡିଆରେ ଭିଡ଼ ଜମିଥିଲା।

ସମ୍ବନ୍ଧିତ ଖବର