ରବି ମଣ୍ଡି ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଘୁଞ୍ଚିଲା ପଞ୍ଜୀକରଣ

ଜୟପୁର: ରବିମଣ୍ଡିରେ ଧାନ ବିକ୍ରି ଲାଗି ଚାଷୀ ପଞ୍ଜୀକରଣ ସମୟସୀମା ଆଉ ୬ଦିନ ପାଇଁ  ବୃଦ୍ଧି କରାଯାଇଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଷୀମାନେ ନିଜ ନିଜ ଅଞ୍ଚଳର କ୍ରୟକାରୀ ସଂସ୍ଥାରେ ପଞ୍ଜୀକରଣ କରିପାରିବେ। ଏ ସଂପର୍କରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଧାର୍ଯ୍ୟ ସମୟ ମଧ୍ୟରେ କୌଣସି କାରଣରୁ ସମସ୍ତ ଚାଷୀ ପଞ୍ଜୀକରଣ କରିନଥିବାରୁ ପଞ୍ଜୀକରଣର ଧାର୍ଯ୍ୟ ତାରିଖ ବୃଦ୍ଧି କରାଯାଇଛି ।

ରବି ଫସଲ ଲାଗି ଗତ ୧ ତାରିଖରୁ ଆରମ୍ଭ ହୋଇଥିଲା ଚାଷୀ ପଞ୍ଜୀକରଣ ବୁଧବାର ଥିଲା ଶେଷ ଦିନ। ଗୁରୁବାର ପର୍ଯ୍ୟନ୍ତ ୧୩ଟି ଲ୍ୟାମ୍ପ ଓ ୨୦ଟି ମହିଳା ଏସଏଚଜିଓ ୩ଟି ପାଣିପଂଚାୟତରେ ୧୨ ହଜାର ୫୧୦ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ସେଥିରେ ୧ ହଜାର ୯୨୫ ନୂଆ ।

ସୂଚନା ଅନୁଯାୟୀ, ଗୁରୁବାର ସୁଦ୍ଧା ୧୩ଟି ଲ୍ୟାମ୍ପ୍ସଗୁଡିକରେ ମୋଟ ୭୬୬୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ବୋରିଗୁମ୍ମା ଲ୍ୟାମ୍ସରେ ୫୭୮ ଜଣ ପଞ୍ଜୀକରଣ କରିଥିବା ବେଳେ ବୈପାରିଗୁଡାରେ ୬୪, ଦଶମନ୍ତପୁରରେ ୫, ଡୁମୁରିପୁଟରେ ୮, କାକିରିଗୁମ୍ମାରେ ୫୮, କାମତାରେ ୯୨୨, କୋଟପାଡରେ ୧ ହଜାର ୬୬୨, କୁମୁଲିଫୁଟରେ ୮୯୦, କୁନ୍ଦୁରାରେ ୧ହଜାର ୨୨୩, ନନ୍ଦପୁରରେ ୨୮, ନାରାୟଣପାଟଣାରେ ୧୪୮ ଓ ଉମୁରୀ ଲ୍ୟାମ୍ପସରେ ସର୍ବାଧିକ ୨ ହଜାର ୦୭୭ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଲକ୍ଷ୍ମୀପୁର ଲ୍ୟାମ୍ପସ୍‌ରେ ଜଣେ ହେଲେ ଚାଷୀ ଆଜିସୁଦ୍ଧା ନବୀକରଣ କିମ୍ବା ପଂଜୀକରଣ କରି ନାହାନ୍ତି।

ଗତବର୍ଷ ରବିମଣ୍ଡିରେ ଧାନ ବିକ୍ରି କରିବାକୁ ୨୧ ହଜାର ୩୭୫ ଚାଷୀ ପଞ୍ଜୀକରଣ କରିଥିଲେ। ଏଥିରେ ନୂଆରେ ୯ ହଜାର ୩୭୫ ଚାଷୀ ପଞ୍ଜୀକରଣ କରିଥିବା ବେଳେ ନବୀକରଣ କରିଥିଲେ ୧୧ ହଜାର ୯୯୦ ଜଣ। ଧାର୍ଯ୍ୟ ସମୟ ମଧ୍ୟରେ ଗତବର୍ଷ ତୁଳନାରେ ଏଥର ୮୮୬୫ ଚାଷୀ ପଞ୍ଜୀକରଣ କରିନଥିଲେ। ପଞ୍ଜୀକରଣ ତାରିଖ ବଢାଯାଇଥିବାରୁ ବଞ୍ଚିତ ହୋଇଥିବା ଚାଷୀ ପଞ୍ଜୀକରଣ କରିପାରିବେ ବୋଲି ଆଶା ରଖିଛି ବିଭାଗ। ପ୍ରତିବର୍ଷ ପଞ୍ଜୀକରଣ ତାରିଖ ଘୁଞ୍ଚୁ ଥିବାରୁ ଚାଷୀମାନେ ଧାର୍ଯ୍ୟ ସମୟ ମଧ୍ୟରେ ପଞ୍ଜୀକରଣ କରୁନଥିବା ଜଣାପଡିଛି।

ସେହିପରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ(ଏସ୍ ଏଚ୍‌ )ରେ ଆଜି ସୁଦ୍ଧା ୪ ହଜାର ୫୧୦ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ସେଥିରୁ ଏକୋଇଶୀ ଭଉଣୀ ମହାମାୟୀରେ ୪୬୫, ଜୟ ଜଗନ୍ନାଥରେ ୧୧, ଲକ୍ଷ୍ମୀନାରାୟଣରେ ୮୭, ମା’ ବୁଢୀ ଠାକୁରାଣୀରେ ୩୬୯, ମା’ ଦୁର୍ଗାରେ ୩୦୬, ମା’ ଲକ୍ଷ୍ମୀରେ ୪୪, ମଙ୍ଗଳମାୟୀରେ ୧୮୨, ମା’ ମୁତ୍ୟାଲୁ ସ୍ପାରେ ୫୨୪, ମା’ ପ୍ରତିମାରେ ୨୮୬, ମା’ ତାରିଣୀରେ ୧୪୮, ମା’ ଠାକୁରାଣୀରେ ୧୭୯ ଓ ମା’ ଠାକୁରାଣୀ(୨)ରେ ୨୦୦, ମହାମାୟୀରେ ୩୬୮, ପ୍ରଗତୀରେ ୪୩୬, ପ୍ରିୟଙ୍କାରେ ୧୪୩, ରବିନାରାୟଣରେ ୩୫୮, ରାଧାକୃଷ୍ଣରେ ୧୭୨, ସାଇରାମରେ ୧୨୮ ଓ ସରସ୍ବତୀ ଏସ୍ଏଚ୍‌କିରେ ୧୦୪ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ସେଭଳି ୩ଟି ପାଣିପଂଚାୟତରେ ୩୪୮ଜଣ ପଞ୍ଜୀକରଣ କରିଛନ୍ତି।  ଲିଙ୍ଗରାଜରେ ୧୧୦, ଖଡାଇଦେବୀରେ ୨୪ ଓ ଓଡ୍ଲୁୟୁଏ ରତାଲିରେ ୨୧୪ଜଣ  ପଞ୍ଜୀକରଣ କରିଛନ୍ତି।

 

ସମ୍ବନ୍ଧିତ ଖବର