ଏମଭି ଓ ଏମପିଭି ନମ୍ବର ହଟିବ, ଗାଁର ନାମ ବସିବ: ଆସାମ ମୁଖ୍ୟମନ୍ତ୍ରୀ

ସବୁ ବଙ୍ଗାଳି ଗ୍ରାମ ରାଜସ୍ବ ଗ୍ରାମ ହେବ, ବଂଗାଳୀ ଶିକ୍ଷକ ନିଯୁକ୍ତି ହେବେ

ମାଲକାନଗିରି: ଦିନିକିଆ ମାଲକାନଗିରି ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହେମିନ୍ତ ବିଶ୍ବଶର୍ମା କହିଛନ୍ତି, ଏମଭି ଓ ଏମପିଭି ନମ୍ବର ହଟିବ ଓ ଗାଁର ନାମ ବସିବ। ସବୁ ବଙ୍ଗାଳି ଗ୍ରାମ ରାଜସ୍ବ ଗ୍ରାମ ହେବା ସହ ବଂଗାଳୀ ଶିକ୍ଷକ ନିଯୁକ୍ତି ହେବେ। ନିର୍ବାଚନ ମଣ୍ଡଳୀର ଏମପିଭି-୮୨ ଠାରେ ବିଜେପିର ବିରାଟ ସାଧାରଣ ସଭାରେ ଆସାମର ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ସରକାର ବଙ୍ଗୀୟ ଭାଇଭଉଣୀମାନଙ୍କ ପାଇଁ ୨୫ ବର୍ଷରେ କିଛି କରିପାରିଲେ ନାହିଁ। କିନ୍ତୁ ବିଜେପିର ଡବଲ ଇଞ୍ଜିନ ସରକାର ଆସିଲେ ସମସ୍ତ ବଙ୍ଗାଳି ଗ୍ରାମକୁ ରାଜସ୍ୱ ଗ୍ରାମ କରିବା ସହ ସମସ୍ତ ସ୍କୁଲରେ ବଙ୍ଗୀୟ ଶିକ୍ଷକ ନିଯୁକ୍ତି ଦିଆଯିବ। ଏଥିସହ ଧାନର ଏମଏସପି ୨୧୦୦ ବଦଳରେ ୩୧୦୦ ଟଙ୍କା କରାଯିବ। ବିଧବା ମହିଳାଙ୍କୁ ୩ ହଜାର ପେନସନ ଦିଆଯିବ।

ସୁଭଦ୍ରା ଯୋଜନାରେ ସମସ୍ତ ମହିଳାଙ୍କୁ ୫୦ ହଜାର ଟଙ୍କା ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢ଼େ ଚାରି କୋଟି ଲୋକଙ୍କୁ ପାଇଁ କିଛି କରିନାହାନ୍ତି। ବରଂ ସେ କେବଳ ପଣ୍ଡିଆନ ପାଇଁ ସବୁ କରିଛନ୍ତି ବୋଲି କହିଥିଲେ। ନବୀନ ପଟ୍ଟନାୟକଙ୍କୁ ଯାହା ପଚାରିଲେ ଓକେ ଓକେ ବୋଲି କହନ୍ତି।୨୫ବର୍ଷରେ ଆଜି ପର୍ଯ୍ୟନ୍ତ ଓଡିଶା ଶିଖିପାରିଲେ ନାହିଁ ବୋଲି କହିଥିଲେ।

ମାଲକାନଗିରି ଜିଲ୍ଲାର ବଂଗୀୟ ଗ୍ରାମଗୁଡିକକୁ ଏମଭି ଓ ଏମପିଭି ସହ ନମ୍ବର ଦିଆଯାଇଛି। ନମ୍ବର କୈଦିମାନଙ୍କୁ ଦିଆଯାଏ। ଏମାନେ କଣ କୈଦି କି ବୋଲି ଆସାମ ମୁଖ୍ୟମନ୍ତ୍ରୀ ସରକାରଙ୍କୁ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ବିସ୍ତୃତ ଭାବେ ବୁଝାଇବା ସହ ପଡୋଶୀ ଛତିଶଗଡ଼ ଏବଂ ଆସାମରେ ମଧ୍ୟ ବିଜେପି ସରକାର ଲୋକଙ୍କୁ କିପରି ସହଯୋଗ କରିଆସୁଛି ତାହା ନଦେଖିଲେ ବିଶ୍ବାସ କରି ହେବ ନାହିଁ ବୋଲି କହିଥିଲେ।

ବିଜେପି ସରକାର ଆସିଲେ ବାହାର ଲୋକ କେବେ ମଧ୍ୟ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବ ନାହିଁ। ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି ମଧ୍ୟ ନିଜ ଭାଷଣରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଜିଲ୍ଲାକୁ ରାଜ୍ୟ ସରକାର ସବୁବେଳେ ଅଣଦେଖା ଏବଂ ବଂଗୀୟ ଭାଇଭଉଣୀଙ୍କୁ ଅଣଦେଖା କରୁଥିବା କହିଥିଲେ। ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମୀ ମଧ୍ୟ ଶରୀରରେ ଶେଷ ରକ୍ତ ବିନ୍ଦୁ ରହିବା ପର୍ଯ୍ୟନ୍ତ ଦେଶ ଓ ଜନତାଙ୍କ ସେବା କରିବେ ବୋଲି କହିଥିଲେ। ପରେ ସେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ମାଥିଲି ଠାରେ ମଧ୍ୟ ଭୋଟର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗୋଟିଏ ଜାଗାରେ ବଙ୍ଗୀୟ ଭୋଟରଙ୍କୁ ପ୍ରଭାବିତ କରିଥିବା ବେଳେ ଆଉ ଏକ ସ୍ଥାନରେ ଆଦିବାସୀ ଭୋଟରଙ୍କୁ ପ୍ରଭାବିତ କରିଥିଲେ। ମାଥିଲିରେ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ତାଂକର ଅଭିଭାଷଣ ଲୋକଙ୍କୁ ପ୍ରଭାବିତ କରିଥିଲା। ଜୟ ଶ୍ରୀରାମ ଧ୍ବନୀରେ ଦୁଇଟି ସଭାସ୍ଥଳୀ କମ୍ପି ଉଠିଥିଲା। ଏହି ଦୁଇ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନିମାଇଁ ପାଲ, ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି, ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ପ୍ରାର୍ଥୀ ଡମ୍ବରୁ ଶିଶା, କାର୍ଯ୍ୟକ୍ରମର ସଂଯୋଜକ ସଞ୍ଜୟ ସରକାର, ସାଧାରଣ ସଂପାଦକ ମାଣିକ ଚକ୍ରବର୍ତ୍ତୀ, ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିରସାନି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର