୧୩ ସଂଗଠନର ପ୍ରତିନିଧିଙ୍କୁ ଢିଙ୍କିଆରେ ବିରୋଧ

କଥା କଟାକଟି, ଉତ୍ତେଜନା ଯୋଗୁ ଫେରିଗଲେ

କୁଜଙ୍ଗ : ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ଅଞ୍ଚଳ ଢିଙ୍କିଆଠାରେ ୧୩ଟି ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳର ପ୍ରତିନିଧିଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ସ୍ଥାନୀୟ ଲୋକେ ବିରୋଧ କରିବାରୁ ସେମାନେ ଭୁବନେଶ୍ବର ଘଟଣାସ୍ଥଳ ପରିଦର୍ଶନ କରିନପାରି ଫେରିଯିବାକୁ ବାଧ୍ୟ ହୋଇଛନ୍ତି।

ଢିଙ୍କିଆରେ ମାନବାଧିକାର ଉଲ୍ଲଂଘନ ଓ ପୁଲିସ ପ୍ରଶାସନର ଜୁଲମ ସଂକ୍ରାନ୍ତରେ ଅଭିଯୋଗ ପାଇ ସେଠାକୁ ଅନୁଧ୍ୟାନ ପାଇଁ ଯାଉଥିବା ଏହି ନେତାମାନେ ପୂର୍ବରୁ ସୂଚନା ଦେଇଥିଲେ। ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବାପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ।

ତଦନୁଯାୟୀ ଆଜି ଦିନ ୧୧ଟାରେ ୫ଟି କାର୍‌ରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ସିପିଏମ୍ ନେତା ସନ୍ତୋଷ ଦାସ, ଜମ୍ବେଶ୍ବର ସାମନ୍ତରାୟ, ସିପିଆଇ ନେତା ଜୟନ୍ତ ଦାସ, ସିପିଆଇ ଏମ୍‌ଏଲ୍‌(ଲିବରେସନ)ନେତା ଯୁଧିଷ୍ଠିର ମହାପାତ୍ର, ମହେନ୍ଦ୍ର ପରିଡ଼ା, କିଶାନ ପଟ୍ଟନାୟକ, ଫରୱାର୍ଡ‌୍ ବ୍ଳକ ନେତା ଜ୍ୟୋତିରଞ୍ଜନ ମହାପାତ୍ର, ସିପିଆଇ(ଏମଏଲ)ନେତା ଶ୍ରୀକାନ୍ତ ମହାନ୍ତି, ସିପିଆଇ(ଏମଏଲ)ରେଡଷ୍ଟାର ନେତା ଶଙ୍କର ସାହୁ, ଆମ୍‌ ଆଦମି ପାର୍ଟି ନେତା ରଙ୍ଗାଚରଣ ପ୍ରଧାନ, ସମାଜବାଦୀ ପାର୍ଟି ନେତା ସୁଦର୍ଶନ ପ୍ରଧାନ, ରିପବ୍ଲିକାନ ପାର୍ଟିର ସେକ୍ ଅବଦୁଲ ୱାଲି, ଆର୍‌ଜେଡି ନେତା ହେମନ୍ତ ବାରିକ, ଏସୟୁସିଆଇ ନେତା ନିରଞ୍ଜନ ମହାନ୍ତିଙ୍କ ସମେତ ସାମାଜିକ କର୍ମୀ ତପନ ମିଶ୍ର, ସ୍ବାତୀ ମିଶ୍ର ପ୍ରମୁଖ ଢିଙ୍କିଆରେ ପହଞ୍ଚିଥିଲେ। ସୂଚନା ପାଇ ଢିଙ୍କିଆର ଶତାଧିକ ଗ୍ରାମବାସୀ ଗାଁର ୩ଟି ପ୍ରବେଶ ପଥ ତ୍ରିଲୋଚନପୁର–ଢିଙ୍କିଆ, ଗୋବିନ୍ଦପୁର–ଢିଙ୍କିଆ ଓ ଭୋସ୍କାଲିସ–ଢିଙ୍କିଆ ରାସ୍ତାରେ ଜଗି ରହିଥିଲେ। ଏହି ପ୍ରତିନିଧି ଦଳ ଗୋବିନ୍ଦପୁର–ଢିଙ୍କିଆ ରାସ୍ତାରେ ଆସୁଥିବା ଜାଣି ଅନ୍ୟ ଦୁଇ ପାର୍ଶ୍ବରେ ଜଗି ରହିଥିବା ଗ୍ରାମବାସୀ ସେଠାରେ ପହଞ୍ଚି ମେଳି ବାନ୍ଧିଥିଲେ। ସେମାନେ ଢିଙ୍କିଆ ଗାଁ ସୀମାରେ ପହଞ୍ଚିବାକ୍ଷଣି ଗ୍ରାମବାସୀ ରାସ୍ତାକୁ ଅବରୋଧ କରିବା ସହ ସେଠାରେ ବସିଯାଇଥିଲେ। ଫଳରେ, ଏହି ପ୍ରତିନିଧିଦଳ ଫେରିଯିବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର