ଏଟିଏମ୍‌ କାର୍ଡ ବଦଳାଇ ୭୫ ହଜାର ଟଙ୍କା ଲୁଟ୍‌

ଅଭିଯୁକ୍ତ ଗିରଫ, ୫ଟି ଏଟିଏମ କାର୍ଡ, ବାଇକ୍ ଓ ନଗଦ ଦୁଇ ହଜାର ଟଙ୍କା ଜବତ

ରସୁଲପୁର : ଏଟିଏମ୍‌ କାର୍ଡ ବଦଳାଇ ୭୫ ହଜାର ଟଙ୍କା ଲୁଟ୍‌। ସିସି କ୍ୟାମେରା ଫୁଟେଜରୁ ଅଭିଯୁକ୍ତକୁ ଚିହ୍ନଟ କରି ପୁଲିସ ଗିରଫ କରିବା ପରେ ତା’ଠାରୁ ପୁଳାଏ ଏଟିଏମ୍‌ କାର୍ଡ ମିଳିଛି। ଗିରଫ ଅଭିଯୁକ୍ତ ମଙ୍ଗଳପୁର ଥାନା ରମ୍ପେଇପାଳ ଗ୍ରାମର ପ୍ରମୋଦ ସାମଲ।

ପୁଲିସ ସୂଚନା ଅନୁସାରେ କୁଆଖିଆ ଥାନା ଓରାଳି ଗ୍ରାମର ସନ୍ତୋଷ ପଲେଇ ଦୁଇଦିନ ତଳେ କୁଆଖିଆ ବଜାର ମଧୁବନ ରୋଡ୍‌ରେ ଥିବା ଷ୍ଟେଟବ୍ୟାଙ୍ଗ ଏଟିଏମରୁ ଟଙ୍କା ଉଠାଇଥିଲେ। ପଛରେ ଛିଡା ହୋଇଥିବା ପ୍ରମୋଦ କୌଶଳକ୍ରମେ ସନ୍ତୋଷଙ୍କ ଏଟିଏମ୍‌ କାର୍ଡ ବଦଳ କରିନେଇଥିଲା। କିଛି ସମୟ ପରେ ସନ୍ତୋଷଙ୍କ ଆକାଉଣ୍ଟରୁ ୪୮ ହଜାର ଟଙ୍କା ଉଠାଯାଇଥିବା ତାଙ୍କ ମୋବାଇଲ ଫୋନକୁ ମେସେଜ୍ ଆସିଥିଲା। ସେ ତୁରନ୍ତ ବ୍ୟାଙ୍କ ଯାଇ ଯାଞ୍ଚ କରିବା ମଧ୍ୟରେ ତାଙ୍କ ଖାତାରୁ ଆଉ ୨୭ ହଜାର ଏପରି ମୋଟ ୭୫ ହଜାର ଟଙ୍କା ଉଠିଯାଇଥିଲା। ବ୍ୟାଙ୍କରେ ବୁଝିବା ପରେ ତାଙ୍କ ଏଟିଏମ କାର୍ଡ ବଦଳ ହୋଇଥିବା ସେ ଜାଣିବାକୁ ପାଇଥିଲେ।

ଏ ସମ୍ପର୍କରେ ସନ୍ତୋଷ କୁଆଖିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୪୨/୨୨ ନମ୍ବରରେ ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଏଟିଏମ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଯାଂଚ କରି ପ୍ରମୋଦକୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ତା’ ପାଖରୁ ୫ଟି ଅଲଗା ଏଟିଏମ କାର୍ଡ, ସେ ବ୍ୟବହାର କରୁଥିବା ବାଇକ୍ ଓ ନଗଦ ଦୁଇ ହଜାର ଟଙ୍କା ଜବତ ହୋଇଛି। ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର