କୃଷି ଋଣ ଛାଡ଼ ପାଇଁ ସମାଜବାଦୀ ପାର୍ଟିର ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର କ୍ଷତିଗ୍ରସ୍ତ ଚାଷୀଙ୍କ କୃଷି ଋଣ ଛାଡ଼ କରିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖାଯାଇଛି। ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରି କୃଷକମାନଙ୍କ ସମସ୍ୟା ସମାଧାନ କରିବାକୁ ସେ ଉକ୍ତ ଚିଠିରେ ଅନୁରୋଧ କରିଛନ୍ତି। ଶ୍ରୀ ବେହେରାଙ୍କ କହିବା ଅନୁଯାୟୀ ମରୁଡ଼ି ଯୋଗୁ ପଶ୍ଚିମ ଓଡ଼ିଶାରେ ଚାଷୀମାନଙ୍କର ଫସଲ ଉଜୁଡ଼ି ଯାଇଛି। ଗତବର୍ଷର ବୀମାଟଙ୍କା ନପାଇ ପ୍ରତିବାଦ ଓ ବିକ୍ଷୋଭ କରିବା ସତ୍ତ୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଗତ ତିନି ଦିନରେ ୫ ଜଣ ଚାଷୀ ଆତ୍ମହତ୍ୟା କଲେଣି। ତେଣୁ ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିବା ସହିତ ତୁରନ୍ତ କୃଷି କ୍ୟାବିନେଟ୍‌ର ବୈଠକ ଡାକିବାକୁ ଦାବି କରିଛନ୍ତି। ଚିଠିରେ ସେ ଦର୍ଶାଇଛନ୍ତି, ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଇ କୃଷିଋଣ ଛାଡ଼ କରାଯାଉ। କେବଳ ଜମି ମାଲିକ ନୁହେଁ, ଭାଗଚାଷୀମାନଙ୍କର ସମସ୍ୟା ପ୍ରତି ସରକାର ସମ୍ବେଦନଶୀଳ ହୋଇ ସେହି ଅନୁସାରେ ପଦ‌କ୍ଷେପ ନିଅନ୍ତୁ। ଏହା ସହ ଏକ କମିଟି ଗଠନ କରି କୃଷକମାନଙ୍କର ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ‌

ସମ୍ବନ୍ଧିତ ଖବର