ଚାଷୀଙ୍କୁ କ୍ଷତିପୂରଣ ଦିଅ, କୃଷିଋଣ ଛାଡ଼ କର

ସରକାରଙ୍କ ନିକଟରେ ଦାବି କଲା ବିଜେପି

ଭୁବନେଶ୍ବର : ଚଳିତବର୍ଷ ପଶ୍ଚିମ ଓଡ଼ିଶାରେ କମ୍‌ ବର୍ଷା ହୋଇଛି। ଜଳସେଚନର ଅଭାବ ଯୋଗୁ ଚାଷ ଜମିଗୁଡ଼ିକ ଫାଟି ଆଁ କଲାଣି। ଫଳରେ ହଜାର ହଜାର ହେକ୍ଟର ଜମିର ଫସଲ ଏକ ପ୍ରକାର ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ଋଣଭାରରେ ବୁଡ଼ି ରହିଥିବା ଚାଷୀର ମେରୁଦଣ୍ଡ ବି ଭାଙ୍ଗି ଗଲାଣି। ଦୁଇ ଦିନରେ ଚାରିଜଣ ଚାଷୀ ଆତ୍ମହତ୍ୟା କରି ସାରିଥିବା ବେଳେ ଆହୁରି ଅନେକ ଦୁର୍ଦିନକୁ ଅପେକ୍ଷା କରି ବସିଛନ୍ତି। ଗଣମାଧ୍ୟମରେ ଏନେଇ ବାରମ୍ବାର ଖବର ପ୍ରକାଶିତ ହେଉଥିଲେ ବି ରାଜ୍ୟସରକାରଙ୍କର କୌଣସି ପଦକ୍ଷେପ ନନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଖୋଦ୍‌ ମୁଖ୍ୟମନ୍ତ୍ରୀ ଦୀର୍ଘ ଦିନ ଧରି ଜଳସେଚନ ବିଭାଗକୁ ନିଜ ଅଧୀନରେ ରଖିଥିଲେ ମଧ୍ୟ ଆଖିଦୃଶିଆ କାମ କରିପାରିପାରିନାହାନ୍ତି। ବିଜେପୁର ନିର୍ବାଚନ ପୂର୍ବରୁ ପାର୍ବତୀଗିରି ମେଗା ଜଳସେଚନ ପ୍ରକଳ୍ପ ଏବଂ ଗଙ୍ଗାଧର ମେହେର ଲିଫ୍ଟ କେନାଲ ପ୍ରକଳ୍ପ ଘୋଷଣା କରାଯାଇଥିଲା। ହେଲେ ପ୍ରକଳ୍ପ କାର୍ଯ୍ୟ କେବଳ ମାତ୍ର ଘୋଷଣାରେ ରହି ଯାଇଛି। ଏମିତି ଘୋଷଣା କରି ନିର୍ବାଚନୀ ବୈତରଣୀ ପାର୍‌ େନଇ ରାଜ୍ୟ ସରକାରଙ୍କର ନୀତି ଅତ୍ୟନ୍ତ ନିନ୍ଦନୀୟ।

ରାଜ୍ୟର ଯେଉଁ ବ୍ଲକମାନଙ୍କରେ ମରୁଡ଼ି ହୋଇଛି ସେହି ସମସ୍ତ ଅଞ୍ଚଳରେ ମରୁଡ଼ି ଘୋଷଣା କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯାଉ। ଏହା ଛଡ଼ା ସେମାନଙ୍କଠାରୁ କୃଷି ଋଣ ଛାଡ଼ କରିବାକୁ ଶ୍ରୀ ମହାନ୍ତି ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର