‘ସମ୍ବାଦ-ସାହିତ୍ୟ ଘର’ ରାଜ୍ୟସ୍ତରୀୟ ସମାବେଶ : ‘ରାଜନୀତିକୁ ଘୃଣା କରନାହିଁ, ବିବେକାନୁମୋଦିତ ସାହିତ୍ୟରେ ମାତ’

କଟକ : ରାଜନୀତିକୁ ଘୃଣା କରନାହିଁ, ରାଜନୈତିକ ଦୃଶ୍ୟପଟ୍ଟକୁ ନେଇ ବିବେକାନୁମୋଦିତ ସାହିତ୍ୟ ସୃଷ୍ଟି କରନ୍ତୁ। ସେଇଥିରେ ମାତନ୍ତୁ ଏବଂ ମୁକ୍ତ ଭାବେ ଲେଖନୀ ଚାଳନା କରନ୍ତୁ। ରେଭେନ୍‌ସା ବିଶ୍ବବିଦ୍ୟାଳୟ କନ୍‌ଭେନସନ୍ ହଲ୍‌ରେ ‘ସମ୍ବାଦ-ସାହିତ୍ୟ ଘର’ର ଷଷ୍ଠ ରାଜ୍ୟସ୍ତରୀୟ ସମାବେଶରେ ସାହିତ୍ୟିକମାନଙ୍କୁ ପରାମର୍ଶ ଦେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କବି ଜୟନ୍ତ ମହାପାତ୍ର ଏହା କହିଛନ୍ତି।

‘ସମ୍ବାଦ’ର ସଂପାଦକ, ‘ସାହିତ୍ୟ ଘର’ର ପ୍ରତିଷ୍ଠାତା ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ କବି ଶ୍ରୀ ମହାପାତ୍ର ଉଦ୍‌ଘାଟକ ରୂପେ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ଲୋକ ସାହିତ୍ୟ, ନୃତ୍ୟ ଏବଂ ନାଟକ ଲୋକମାନଙ୍କୁ ଯେପରି ଛୁଇଁଥାଏ, କବିତା ସେତିକି ମାତ୍ରାରେ ପ୍ରଭାବିତ କରିନଥାଏ। ଆରମ୍ଭରୁ କବିତା ପ୍ରେମକୁ ନେଇ ଲେଖା ଯାଉଥିଲା। ଯଦିଓ ବର୍ତ୍ତମାନ ସେହି ଧାରା କିଛି ମାତ୍ରାରେ ବଦଳିଛି, କିନ୍ତୁ ତାହା ଲୋକ ସାହିତ୍ୟ ଭଳି ଲୋକପ୍ରିୟ ହେଇପାରୁନାହିଁ। କିମ୍ବଦନ୍ତୀ, ଜନଶ୍ରୁତି, ପରୀ କାହାଣୀ, ପୁରାଣ କଥାବସ୍ତୁ ଏବଂ ସାଂପ୍ରତିକ ଘଟଣାବଳୀକୁ ଆଧାର କରି କବି ମାନେ ସାହିତ୍ୟ ରଚନା କରୁଛନ୍ତି ସତ କିନ୍ତୁ ରାଜନୀତି କଥା କେହି ଲେଖୁନାହାନ୍ତି। ସାହିତ୍ୟିକ ମାନେ ରାଜନୀତିକୁ ଘୃଣା ନକରି ରାଜନୈତିକ ଦୃଶ୍ୟପଟ୍ଟକୁ ନେଇ ନିଜ ବିବେକ ଅନୁଯାୟୀ ମୁକ୍ତ ଭାବେ ଲେଖନୀ ଚାଳନା କରିବା ଦରକାର ବୋଲି ଶ୍ରୀ ମହାପାତ୍ର କହିଥିଲେ।
ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗ‌ ଦେଇଥିଲେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ। ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆଜିର ମଣିଷ ସ୍ବାଧିକାର ପ୍ରମତ୍ତ। ଅନ୍ଧ ଅହମିକାର ବଶବର୍ତ୍ତୀ। ନିଜ ଅଧିକାରକୁ ନେଇ ମଣିଷ ପୂର୍ବରୁ କେବେ ଏତେ ଅହଙ୍କାରୀ ନଥିଲା। ଏଭଳି ସ୍ଥିତିରେ ମଣିଷ ଆଜି ନିଜ ଅନ୍ତର୍ଚେତନା ଓ ବିବେକ ପାଖରେ ନିର୍ବାସିତ। ଅତ୍ୟନ୍ତ ସ୍ଥୂଳ ଓ ଉପର ଠାଉରିଆ ଭାବେ ମଣିଷ ନିଜ ଜୀବନ ଜୀଉଁଛି। ଫଳରେ ସମାଜରେ ଅବ୍ୟବସ୍ଥା, ବିଶୃଙ୍ଖଳା ସହ ପ୍ରତ୍ୟେକ ମଣିଷ ବିଷାଦଗ୍ରସ୍ତ ହୋଇ ପଡୁଛି।

ଆହୁରି ମଧ୍ୟ ସେ କହିଥିଲେ, ମଣିଷ ନିଜ ଅନ୍ତଃସତ୍ତାରୁ ନିର୍ବାସିତ ହୋଇ ରହିବା ଏବେକାର ଘଟଣା ନୁ‌ହେଁ। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶ୍ବର ଅନ୍ୟତମ ପ୍ରଭାବଶାଳୀ ନେତା ତଥା ସାହିତ୍ୟିକ ଭାବେ ଜଣାଶୁଣା ୱିନଷ୍ଟନ ଚର୍ଚ୍ଚିଲଙ୍କ ଭଳି ବ୍ୟକ୍ତି ବି ବିଷାଦଗ୍ରସ୍ତ ଥିଲେ। ପ୍ରତ୍ୟେକ ମଣିଷର ଆଶା ଆଉ ଅଭୀପ୍‌ସା ରହିଛି। ବିଷାଦଗ୍ରସ୍ତ ମଣିଷ ଗ୍ଲାନିବୋଧରୁ ରକ୍ଷା ପାଇବା ପାଇଁ ନିଜର ଅନ୍ଧ ଅହମିକାକୁ ଅନ୍ୟମାନଙ୍କ ସହ ମିଶାଇ ସାମୂହିକ ଅହଂର ଶିକାର ହେଉଛି। ତାହା ସମାଜରେ ବିଭ୍ରାଟ ‌ସୃଷ୍ଟିର କାରଣ ହେଉଛି। ମଣିଷ ନିଜ ମନ ଆଉ ବୁଦ୍ଧି ଦ୍ବାରା ଯାହା କରି ପାରୁଛି, ତାହା ଲଗାମଛଡା ହୋଇ ଯାଉଛି। ତାହାକୁ ଆୟତ୍ତ କରିବା ପାଇଁ ମଣିଷର ଚେତନା ଶକ୍ତି ନାହିଁ। ଫଳରେ ଅବସାଦଗ୍ରସ୍ତ ମଣିଷର ହତାଶଜନକ ଅନ୍ତ ଘଟୁଛି। ଏଭଳି ଯୁଗରେ ଲେଖକର କର୍ତ୍ତବ୍ୟ ଉପରେ ମତ ରଖି ଶ୍ରୀ ଦାସ କହିଲେ ଜୀବନ ସହିତ ଯିଏ ଥାଏ, ତାହା ହେଉଛି ସାହିତ୍ୟ। ସାହିତ୍ୟ ହେଉଛି ଅନେକ ସମ୍ଭାବନାର ସ୍ଫୁରଣ। ଯେଉଁ ଲେଖା ମଣିଷର ଚେତନାକୁ ପ୍ରସାରିତ କରେ ଏବଂ ମଣିଷକୁ ଉର୍ଦ୍ଧ୍ବକୁ ନେଇଯାଏ, ତାହା ହିଁ ହେଉଛି ସାହିତ୍ୟ। ନିଜ ଭିତରର ରାକ୍ଷସ ମାନଙ୍କ ପ୍ରତି ସାହିତ୍ୟିକଙ୍କୁ ସଚେତନ ହେବାକୁ ପଡିବ। ମଣିଷର ଚେତନାକୁ ଅଧୋଗତିକୁ ନ ନେଇ ତାହାକୁ ଅଧିକ ବ୍ୟାପକ କରିବା ସାହିତ୍ୟିକଙ୍କ ମୁଖ୍ୟ ଧର୍ମ ହେଉ ବୋଲି ଶ୍ରୀ ଦାସ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଈସାନ କୁମାର ପାତ୍ର କହିଥିଲେ ଯେ ମୋବାଇଲ୍, ହ୍ବାଟ୍‌ସଆପ୍ ଏବଂ ଇମେଲ୍‌ର ବହୁଳ ପ୍ରଚଳନ ଯୋଗୁ ମଣିଷର ଭାବ ପରିପ୍ରକାଶ ବହୁ ତଳକୁ ଚାଲି ଯାଇଛି। ମୋବାଇଲ୍ ମଣିଷକୁ ସବୁ କିଛି ଦେଇ ପାରିବ ନାହିଁ। ପ୍ରତ୍ୟେକ ମଣିଷ ନିଜେ କିଛି ଲେଖନ୍ତୁ ବୋଲି ଡକ୍ଟର ପାତ୍ର ପରାମର୍ଶ ଦେବା ସହ ଓଡ଼ିଆ ସାହିତ୍ୟର ହିନ୍ଦୀ ଓ ଇଂରାଜୀ ଅନୁବାଦ ଉପରେ ଗୁରୁତ୍ବାରୋପ କରିଥିଲେ।

ଉତ୍ସବରେ ସଭାପତିତ୍ବ ଅଭିଭାଷଣ ପ୍ରଦାନ କରି ‘ସମ୍ବାଦ’ର ସଂପାଦକ ତଥା ‘ସମ୍ବାଦ-ସାହିତ୍ୟ ଘର’ ପରିବାରର ମୁଖ୍ୟ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ, ରାଜନୀତିକୁ ଘୃଣା କଲେ କୌଣସି ବ୍ୟବସ୍ଥା ତିଷ୍ଠିପାରିବ ନାହିଁ। ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ରାଜନେତାଙ୍କ ବିଲକ୍ଷଣ ରହିଛି ଏବଂ ଅନେକ ସଂସ୍କାରର ଆବଶ୍ୟକତା ରହିଛି। ସାହିତ୍ୟିକମାନେ ଆଗକୁ ନ ଆସିଲେ ଏ ବିଲକ୍ଷଣକୁ ଦୂର କରିବ କିଏ? ସାହିତ୍ୟିକ ମାନଙ୍କ ପାଖରେ ଯେହେତୁ ଭାଷା, ଭାବର ଗଭୀରତା ଅଛି, ଭାବକୁ ବାଣ୍ଟିବାର ଏବଂ ଲୋକଙ୍କୁ ଯୋଡ଼ିବାର ସାମର୍ଥ୍ୟ ରହିଛି, ସେମାନେ ଯୋଡ଼ି ହେଲେ ରାଜନୈତିକ ବ୍ୟବସ୍ଥା ଅଧିକ ଅନୁକୂଳ ହେବ। ରାଜନୀତି ଓ ସାହିତ୍ୟ ଏକ ହେଲେ ସମାଜରେ ବିରାଟ ପରିବର୍ତ୍ତନ ସମ୍ଭବ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ସମ୍ବାଦ’ ମୁଖ୍ୟ ମହାପ୍ରବଂଧକ(ବାର୍ତ୍ତା) ଅରବିନ୍ଦ ଦାସ ପ୍ରାରମ୍ଭିକ ସୂଚନା ଓ ଅତିଥି ମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ।

ଏହି ଅବସରରେ ସମ୍ବାଦ ସାହିତ୍ୟ ଘର ବୁଲେଟିନ, ଅନିତା ପାଢୀଙ୍କ ‘ସମ୍ମୋହନ’, ରଜନୀକାନ୍ତ ପାଢୀଙ୍କ ‘କଳାହରଣ’, ଜାନକୀ ଦାସଙ୍କ ‘ନାନା କାହାଣୀ’, ରମେଶ ଚନ୍ଦ୍ର ମହାରଣାଙ୍କ ‘ଭିନ୍ନ ବୀଣାର ଭିନ୍ନ ସ୍ବର’ଓ ଶଙ୍କର୍ଷଣ ବାରିକଙ୍କ ‘ଗୁଡ଼ି ରାଣୀ ଆମ ବଢ଼ିଆ ଝିଅ’ ଉନ୍ମୋଚନ ହୋଇଥିଲା। ଦଶଟି ଶ୍ରେଷ୍ଠ ସମ୍ବାଦ ସାହିତ୍ୟ ଘର ଭାବେ ଝାରସୁଗୁଡା, କୋଟପାଡ, ଜଗତସିଂହପୁର, ନୟାଗଡ, ଲଙ୍ଗଳେଶ୍ବର-ବାଲିଆପାଳ, ଚିକିଟି, ରାଜଗାଙ୍ଗପୁର, ହାଟଡିହି, ଯୋରନ୍ଦା-ଗଅଁଦିଆ ଓ ଖଣ୍ଡା ମଉଦା (ଝାଡ଼ଖଣ୍ଡ) ସାହିତ୍ୟ ଘରକୁ ସମ୍ମାନିତ କରାଯାଇଥିଲା। ଉତ୍ସବରେ ରାଜ୍ୟର ୩୪୦ ଟି ସାହିତ୍ୟ ଘର ଶାଖାରୁ ଆସିଥିବା ୭୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର