୬ ମାଓବାଦୀଙ୍କ ଆତ୍ମସମର୍ପଣ: ୨ ଜଣଙ୍କ ନାମରେ ୧୬ ଲକ୍ଷ, ୪ ଜଣଙ୍କ ନାଁରେ ୨୦ ଲକ୍ଷ ଥିଲା ପୁରସ୍କାର

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସ ନିକଟରେ ୬ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁଲିସ ମହାନିର୍ଦ୍ଦେଶକ ସୁନ୍ଦରରାଜ ପି, ସହ ମହାନିର୍ଦେଶକ କମଳଲୋଚନ କଶ୍ୟପ ଓ ସୁନୀତ କୁମାର ରାୟ, ଏସପି କିରଣ ଚୌହାନ ସହ ସିଆରପିଏଫ କମାଣ୍ଡାଣ୍ଟ ପ୍ରମୁଙ୍କ ସମ୍ମୁଖରେ ଏହି ୬ ମାଓବାଦୀ ଆତ୍ମସମର୍ପଣ କରିଥିଲେ।

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ଦୁବି ପୋଜ୍ଜା(୨୭)। ଦୁବି ନାମରେ ସରକାର ୮ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଦୁଧି ପୋଜ୍ଜା(୨୪)। ଦୁଧି ନାମରେ ମଧ୍ୟ ସରକାର ୮ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ଜୟକ୍କା ଅରଫ ଆୟତେ କୋରସେ(୫୧), କାବାସୀ ମୁଡା(୩୦), କାରମ ନାରାନ୍ନା((୬୫) ଏବଂ ରେନୁ ଅରଫ ମାଡକାମ ସୁକ୍କା(୩୫)। ଏହି ଚାରି ଜଣଙ୍କ ନାମରେ ସରକାର ୫ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ।

ଏହି ନକ୍ସଲମାନେ ଦୀର୍ଘ ବର୍ଷ ଧରି ମାଓ ସଂଗଠନରେ କାମ କରୁଥିଲେ। ପିଏଲଜିଏ ସଦସ୍ୟ ଭାବେ ବେଶ ଦବଦବା ଏମାନଙ୍କର ଥିଲା। ଏମାନଙ୍କ ମଧ୍ୟରୁ ୨ ଜଣ ମହିଳା ନକ୍ସଲ ରହିଛନ୍ତି। ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଘରକୁ ଫେରିଆସ ଯୋଜନାରେ ଏମାନେ ପ୍ରଭାବିତ ହୋଇ ସଂଗଠନ ଛାଡିଥିବା କହିଥିଲେ। ପୁଲିସ ପ୍ରଶାସନ ତରଫରୁ ସମସ୍ତଙ୍କୁ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ ପାଇଁ ସମସ୍ତ ସହଯୋଗ କରାଯିବ ବୋଲି ପୁଲିସ କହିଛି। ଏମାନଙ୍କ ଆତ୍ମସମର୍ପଣ ପରେ ନକ୍ସଲ ସଂଗଠନକୁ ଏକ ବଡ ଝଟକା ଲାଗିଛି। ଛତିଶଗଡ଼ରେ ସଂଗଠନ ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଛି। ପୁଲିସର ଘନ ଘନ ଚଢାଉ ଏଥିପାଇଁ ଦାୟୀ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର