ସମ୍ବଲପୁର ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ସମ୍ବଲପୁର : ‌ଆମର ସ୍ବାଧୀନତା ଓ ସାମ୍ବିଧାନିକ ଅଧିକାର ପାଇଁ ମହାପୁରୁଷମାନେ ନିଜର ସବୁକିଛି ବଳିଦାନ କରି ଯାଇଛନ୍ତି। ଆମେ ପରବର୍ତ୍ତୀ ପିଢ଼ିର ଲୋକେ ସ୍ବାଧୀନ ଭାରତକୁ ବିକଶିତ କରିବା ତଥା ମିଳିଥିବା ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବା ଦିଗରେ କାମ କଲେ ତାହା ହିଁ ମହାପୁରୁଷଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ କହିଛନ୍ତି। ୭୪ତମ ସମ୍ବଲପୁର ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ଚାଲିଥିବା ବିକାଶ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ। ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପରେଡ଼ର ଅଭିବାଦନ ଗ୍ରହଣ କରିଥିଲେ।

ଜିଲ୍ଲାସ୍ତରୀୟ ପରେଡ଼ରେ ମୋଟ ୨୪ଟି ଦଳ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ଏନସିସିରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସେନା ଶାଖା ପ୍ରଥମ, ସେହି ବିଶ୍ୱବିଦ୍ୟାଳୟର ନାଭାଲ ଏନସିସି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। କନିଷ୍ଠ ଏନସିସି ବର୍ଗରେ ମଦନାବତୀ ପବ୍ଲିକ ସ୍କୁଲ ପ୍ରଥମ, ସେଣ୍ଟ ଜନସ ସ୍କୁଲ ଦ୍ୱିତୀୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ତୃତୀୟ, ବେସାମରିକ ବର୍ଗରେ ସେଭେନ ହିଲସ ଆବାସିକ ବିଦ୍ୟାଳୟ ପ୍ରଥମ, ବାଲିବନ୍ଧା ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଏବଂ ହିନ୍ଦୀ ନୋଡାଲ ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଲେଡି ଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ, ସେଣ୍ଟ ଜନସ୍‌ ଦ୍ୱିତୀୟ ଏବଂ ବିକାଶ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ପ୍ରଜ୍ଞାପନ ମେଢ଼ରେ ଜ଼ିଲ୍ଲା ପରିଷଦ ସମ୍ବଲପୁର ପ୍ରଥମ, ସମ୍ବଲପୁର ମହାନଗର ନିଗମ ଦ୍ୱିତୀୟ ଏବଂ ସେଣ୍ଟ ଜନ୍ସ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ।

ବିଭିନ୍ନ ବିଦ୍ୟାଳୟକୁ ଜିଲ୍ଲାସ୍ତରୀୟ ସ୍ବଚ୍ଛତା ପୁରସ୍କାର ପ୍ରଦାନ କରା ଯାଇଥିଲା। ପୂର୍ବରୁ ସ୍କୁଲ ଏବଂ କଲେଜସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ପରେ ଜିଲ୍ଲା ମଣ୍ଡଳ କାରାଗାର, ନାରୀବନ୍ଦୀ ନିକେତନ, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ଦୁର୍ଗାପାଲିସ୍ଥିତ ଦୟାମଣି ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଶେଷରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀମତୀ ସାହୁ ଉତ୍ସର୍ଗ ଦ୍ବାରା ଆୟୋଜିତ ରକ୍ତଦାନ ଶିବିର ପରିଦର୍ଶନ କରିଥିଲେ। ସାଧାରଣତନ୍ତ୍ର ଦିବସ ଅବସରରେ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମଠାରେ ଜିଲ୍ଲାପାଳ ଏକାଦଶ ଏବଂ ନାଗରିକ ଏକାଦଶ ମଧ୍ୟରେ ଖେଳା ଯାଇଥିବା କ୍ରିକେଟ୍‌ ମ୍ୟାଚ୍‌ରେ ଜିଲ୍ଲାପାଳ ଏକାଦଶ ୮ ୱିକେଟ୍‌ରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର