ଦୁଇଦିନିଆ ମେଳାରେ ଆତ୍ମନିଯୁକ୍ତି କ୍ଷେତ୍ରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ଗୁରୁତ୍ୱପୂର୍ଣ ଭୂମିକା ନେଇ ଆଲୋଚନା

ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

କୋରାପୁଟ: ସ୍ଥାନୀୟ ଡିଏ.ଭି କଲେଜ ପଡ଼ିଆ ଠାରେ ଦୁଇ ଦିନିଆ ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଗତ ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମେଳା ନଭେମ୍ବର ୨୭ ତାରିଖରେ ଶେଷ ହୋଇଛି। ସମାରୋହରେ ଶତାଧିକ ଚାଷୀ, ସରକାରୀ ଅଧିକାରୀ ଓ ବୈଜ୍ଞାନିକମାନେ ଭାଗନେଇ ଆତ୍ମନିଯୁକ୍ତି କ୍ଷେତ୍ରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ଗୁରୁତ୍ୱପୂର୍ଣ ଭୂମିକା ରହିଛି ବୋଲି ଆଲୋଚନା କରିଥିଲେ। ଅଧ୍ୟାପକ ଓ ବିଶିଷ୍ଟ ସ୍ତମ୍ଭକାର ଡ. ଗଣେଶ ଚନ୍ଦ୍ର କୁଣ୍ଡ ନିଜର ଅଭିଭାଷଣରେ ମାଛର ଉପାଦେୟତା ଓ ସରକାରଙ୍କ ବିଭିନ୍ନ ମତ୍ସ୍ୟ ଯୋଜନା ଗୁଡିକ କିପରି ଆତ୍ମନିଯୁକ୍ତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ ଭୂମିକା ନେଇଛି ତାହା ଗପ ମାଧ୍ୟମରେ ଚାଷୀମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ପ୍ରଫେସର, ଡ଼. ନିରଞ୍ଜନ ପଣ୍ଡା, କୁକୁଡ଼ା ଚାଷ ଓ ଗୋପାଳନରେ ଚାଷୀମାନେ ନିଜେ ଖାଦ୍ୟ ପ୍ରସ୍ତୁତ କଲେ ଅଧିକ ଲାଭବାନ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ମତ୍ସ୍ୟ ବିଭାଗର ଉପନିର୍ଦେଶକ ସନ୍ତୋଷ କୁମାର ଦଳେଇ, ମତ୍ସ୍ୟ ଯୋଜନା ଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହି ଦୁଇ ଦିନିଆ ମେଳାରେ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ବିଶେଷ ଆଲୋଚନା କରାଯାଇଥିଲା। ଚାଷୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବୈଜ୍ଞାନିକମାନେ। ପ୍ରାଣୀସମ୍ପଦର ଜିଲ୍ଲା ଅଧିକାରୀ ରବୀନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିଲେ ଓ କୋରାପୁଟ ଜିଲା ମତ୍ସ୍ୟ ଅଧିକାରୀ ରବୀନ୍ଦ୍ର ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶେଷରେ ଏହି ମେଳାର ଉଦେଶ୍ୟକୁ ସ୍ଥାନୀୟ କଳାକାରମାନେ ନାଟକ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ।

 

ସମ୍ବନ୍ଧିତ ଖବର