ଅମଳ ଆରମ୍ଭରୁ ଅଭାବୀ ବିକ୍ରି; ଚିନ୍ତାରେ ତରଭୁଜ ଚାଷୀ

ତେଲକୋଇ: କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳ ତରଭୁଜ ଚାଷ ପାଇଁ ସାରା ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଚଳିତ ବର୍ଷ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବ୍ୟାପକ ପରିମାଣରେ ତରଭୁଜ ଚାଷ କରାଯାଇଛି। ତେବେ ପୂର୍ବବର୍ଷ ଅପେକ୍ଷା ଏଥର ଅମଳ ଆରମ୍ଭରୁ ତରଭୁଜର ଅଭାବୀ ବିକ୍ରି ଦେଖାଦେଇଛି। ଗୋଟିଏ ପଟେ ଅଭାବୀ ବିକ୍ରି ଏବଂ ଅନ୍ୟପଟେ କାଳବୈଶାଖୀ ପ୍ରଭାବରେ ଫସଲ ନଷ୍ଟ ହେବାର ଆଶଙ୍କା ଥିବାରୁ ଚାଷୀକୁଳ ଚିନ୍ତାରେ ପଡ଼ିଯାଇଛନ୍ତି।

ତେଲକୋଇ ଅଞ୍ଚଳର ଚାଷୀମାନେ ଅର୍ଥକାରୀ ଫସଲ ଭାବେ ତରଭୁଜ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି। ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଗ୍ରାମର ଚାଷୀମାନେ ତରଭୁଜ ଚାଷ କରି ଏହାକୁ ରୋଜଗାରର ପନ୍ଥା ଭାବେ ଗ୍ରହଣ କରିଥିଲେ। କିନ୍ତୁ ଏବେ ତରଭୁଜ ଚାଷ ପ୍ରତି ଗାଁରେ ହେଉଛି। ବିଶେଷ କରି ଯୁବଚାଷୀମାନେ ଏଥିପ୍ରତି ଆକୃଷ୍ଟ ହୋଇଛନ୍ତି। ଯେଉଁଠି ଦେଖିବେ ଖାଲି ତରଭୁଜ ଚାଷ। ଚଳିତ ବର୍ଷ ତେଲକୋଇ ଅଞ୍ଚଳରେ ୭୨୦ ହେକ୍ଟରରୁ ଊର୍ଦ୍ଧ୍ବ ଜମିରେ ତରଭୁଜ ଚାଷ କରାଯାଇଛି। ଏଥିପାଇଁ ୬ କୁଇଣ୍ଟାଲ ବିହନ ବ୍ୟବହାର କରାଯାଇଛି। ଚାଷୀମାନେ ହେକ୍ଟର ପ୍ରତି ୧ ଲକ୍ଷ ୨୫ ହଜାର ଟଙ୍କା ଲେଖାଏଁ ହିସାବରେ ପ୍ରାୟ ୯ କୋଟି ଟଙ୍କା ତରଭୁଜ ଚାଷରେ ବିନିଯୋଗ କରିଛନ୍ତି। ଠିକ୍‌ରେ ଅମଳ ଏବଂ ବିକ୍ରି ହେଲେ ୯୦ କୋଟି ଟଙ୍କା ଆୟ ହେବାର ସମ୍ଭାବନା ରହିଛି।

ଚଳିତ ବର୍ଷ ୮ ମାସ ହେଲା ସ୍ଥାନୀୟ ଅଞ୍ଚଳରେ ବର୍ଷା ନାହିଁ। ଆବଶ୍ୟକ ଜଳ ନଥିବାରୁ ତରଭୁଜ ଓଜନରେ ପୂର୍ବବର୍ଷ ଅପେକ୍ଷା ହ୍ରାସ ପାଇଛି। ଏହାସତ୍ତ୍ବେ ମଧ୍ୟ ଅମଳ ଭଲ ହୋଇଛି। ମାସେ ହେଲା ତରଭୁଜ ଅମଳ ଆରମ୍ଭ ହେଲାଣି। ପୂର୍ବରୁ ବାହାର ରାଜ୍ୟର ବେପାରୀମାନେ ଆସି ଗାଡ଼ି ଲଗାଇ ସିଧାସଳଖ ଚାଷୀଙ୍କ ଠାରୁ ତରଭୁଜ କିଣି ନେଉଥିଲେ। କିନ୍ତୁ ଏଥର ବେପାରୀଙ୍କ ବଦଳରେ କ୍ଷେତରେ ମାଳମାଳ ଦଲାଲ ବୁଲୁଛନ୍ତି। ସେମାନେ ଚାଷୀଙ୍କଠାରୁ ଅପେକ୍ଷାକୃତ କମ୍‌ ଦରରେ ତରଭୁଜ କିଣି ନେଉଛନ୍ତି। ପୂର୍ବରୁ ଚାଷୀମାନେ ତରଭୁଜ କିଲୋ ୧୧ରୁ ୧୨ଟଙ୍କାରେ ବିକ୍ରି କରୁଥିଲେ। ବର୍ତ୍ତମାନ ଦଲାଲମାନେ ୮ରୁ ୯ ଟଙ୍କାରେ ତରଭୁଜ କିଣୁଥିବାରୁ ଚାଷୀମାନେ କ୍ଷତି ସହୁଛନ୍ତି। କାଳବୈଶାଖୀ ସମ୍ଭାବନା ଥିବାରୁ ଚାଷୀମାନେ ଫସଲ ଉଜୁଡ଼ିଯିବା ଭୟରେ କମ ଦରରେ ହେଲେ ମଧ୍ୟ ଦଲାଲକୁ ବିକ୍ରି କରିବାକୁ ବାଧ୍ୟ ହେଉଥିବା କହିଛନ୍ତି। ପ୍ରଶାସନ ପକ୍ଷରୁ ତରଭୁଜ ବିକ୍ରି ପାଇଁ ବଜାର ବ୍ୟବସ୍ଥା କରାଗଲେ ଉପାନ୍ତ ଅଞ୍ଚଳର ଚାଷୀମାନେ ଉପକୃତ ହେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର