ଉଚ୍ଚଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କ ନୀଚ ଦୃଷ୍ଟି କ୍ଷମଣୀୟ ନୁହେଁ: କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ କଲେଜମାନଙ୍କରେ ନାମଲେଖା କ୍ଷେତ୍ରରେ ଓଡ଼ିଶା ଦେଶରେ ୨୧ତମ ସ୍ଥାନରେ। ସର୍ବୋଚ୍ଚ ସ୍ତରରେ କଲେଜମାନଙ୍କରେ ସାମଗ୍ରିକ ନାମ ଲେଖା ଅନୁପାତ (ଜି.ଇ.ଆର) ୨୭.୩% ଥିବା ବେଳେ ଓଡ଼ିଶାରେ ତାହା ୨୦.୭% ରହିଛି। ରାଜ୍ୟର ପ୍ରସିଦ୍ଧ ଉତ୍କଳ ବିଶ୍ୱବିଦ୍ୟାଳୟ ଦେଶର ୧୦୦ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ୯୩ ତମ ସ୍ଥାନରେ ରହିଛି। ଏହାର ମାନ୍ୟତା ଖସି ଆସିଛି। ରାଜ୍ୟର ଅଧିକାଂଶ ସରକାରୀ ଓ ‌ସରକାରୀ ଅନୁଦାନପ୍ରାପ୍ତ କଲେଜରେ ଅଧ୍ୟକ୍ଷ ନ ଥିବା ବେଳେ ଆସନ୍ତାକାଲି ରାଜ୍ୟ ସରକାର କାହିଁକି ଅଧ୍ୟକ୍ଷ ସମ୍ମିଳନୀ ଡାକିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦେଶ କଂଗ୍ରେସ ମିଡିଆ ସେଲ୍‌ର ଅଧ୍ୟକ୍ଷ ଗଣେଶ୍ବର ‌ବେହେରା।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ‌ବେହେରା କହିଥିଲେ, ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟର ସଂଶୋଧନ ଆଇନ ପ୍ରଣୟନ କରି ବିଶ୍ୱ ବିଦ୍ୟାଳୟମାନଙ୍କର ସ୍ୱତନ୍ତ୍ରତା ଅପହରଣ କରି ନେଇଛନ୍ତି। ବିରୋଧ ସତ୍ତ୍ବେ ରାଜ୍ୟ ସରକାର ଜିଦ୍‌ଖୋର ମନୋଭାବରେ ଏହି ଆଇନ ପ୍ରଣୟନ କରି ବିଶ୍ୱବିଦ୍ୟାଳୟମାନଙ୍କୁ ନିଜର ଅଧସ୍ତନ ଆଜ୍ଞାବହ ଅନୁଷ୍ଠାନରେ ପରିଣତ କରିବାକୁ ଉଦ୍ୟମ କରିଛନ୍ତି। ମାତ୍ର ସର୍ବୋଚ୍ଚ ନ୍ୟାୟାଳୟ ରହିତାଦେଶ ଜାରି କରି ଏହି ଆଇନ୍‌କୁ ଅଚଳ କରିବା ସମସ୍ତଙ୍କୁ ଆଶ୍ବସ୍ତି ଆଣିଛି।

ସରକାରୀ ତଥ୍ୟ ମୁତାବକ, ୧୨ ଟି ବିଶ୍ୱବିଦ୍ୟାଳୟରେ ୫୬.୯୩% ଶିକ୍ଷକ ପଦବି ଖାଲି ରହିଥିବା ବେଳେ ୫୮.୧୨% ଅଣଶିକ୍ଷକ ପଦବି ଖାଲି ପଡ଼ିଛି। ନିର୍ଦ୍ଧାରିତ ଶିକ୍ଷକ ଛାତ୍ର ଅନୁପାତ ବଜାୟ ନ ରହିବା ଫଳରେ ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣା କାର୍ଯ୍ୟ ପ୍ରଭାବିତ ହେଉଛି। କଲେଜମାନଙ୍କରେ ଏକାଡେମିକ୍ ଅଡିଟ୍‌ ହେଉନାହିଁ। ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ, ଅତିରିକ୍ତ ନିର୍ଦ୍ଦେଶକ ଓ ଆଞ୍ଚଳିକ ନିର୍ଦ୍ଦେଶକ ପଦବିରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିଯୁକ୍ତି ଦିଆଯାଉନାହିଁ। କୋଠାରୀ କମିସନଙ୍କ ସୁପାରିସ ସତ୍ତ୍ବେ +୨ ଅନୁଷ୍ଠାନଗୁଡ଼ିକୁ +୩ ଅନୁଷ୍ଠାନରୁ ପୃଥକୀକରଣ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ଉଭୟ +୨ ଓ +୩ ଶିକ୍ଷାଦାନ କ୍ଷେତ୍ରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ସେ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟ ସରକାର ବ୍ଲକ ଗ୍ରାଣ୍ଡ ଶିକ୍ଷକ ମାନଙ୍କ ପାଇଁ କୌଣସି ଅବସରକାଳୀନ ସୁବିଧା କରୁନାହାନ୍ତି। ସେହିପରି ୨୦୦୮ ମସିହା ପରଠାରୁ ପ୍ରତିଷ୍ଠିତ କଲେଜଗୁଡ଼ିକ ସମସ୍ତ ଆବଶ୍ୟକତା ପୂରଣ କରିଥିଲେ ମଧ୍ୟ ସେମାନଙ୍କୁ ସରକାରୀ ଅନୁଦାନ ମିଳୁନାହିଁ। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଲୋକମାନଙ୍କୁ ପାଖକୁ ଯିବ ଶ୍ରୀ ବେହେରା ଚେତାଇ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାସ ଓ କୃଷ୍ଣଚନ୍ଦ୍ର ପତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର