ଭୁବନେଶ୍ବର ସରକାରୀ ଜମି ଜବରଦଖଲକୁ ରୋକ

ପାଚେରି ନିର୍ମାଣ ଅର୍ଥ ୫କୋଟିକୁ ବଢ଼ାଇବାକୁ ସୁପାରିସ
ବାର୍ଷିକ ନିଯୁକ୍ତି କ୍ୟାଲେଣ୍ଡର କରନ୍ତୁ ସରକାର
ଏବର୍ଷ ୩୩ଏକର ଜମି ଉଦ୍ଧାର ହୋଇଛି

ଭୁବନେଶ୍ବର :ଭୁବନେଶ୍ବରରେ ସରକାରୀ ଜମି ଜବରଦଖଲରେ ଲଗାମ ଦରକାର। ବିଶେଷକରି ଏସବୁ ଜମିଗୁଡ଼ିକରେ ପାଚେରି କରାଯାଉ। ଏ ବାବଦରେ ୨୦୨୧-୨୨ ଆର୍ଥିକ ବର୍ଷରେ ସରକାର କୋଟିଏ ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହାକୁ ପାଞ୍ଚ କୋଟିକୁ ବଢ଼ାଯିବା ଆବଶ୍ୟକ।

ବିଧାୟକ କିଶୋର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଷ୍ଟାଣ୍ଡିଂ କମିଟି (ସାଧାରଣ ପ୍ରଶାସନ ବିଭାଗ) ରାଜ୍ୟ ସରକାରଙ୍କୁ ଏଭଳି ସୁପାରିସ କରିଛନ୍ତି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ରୋହିତ ପୂଜାରୀ, ଜୟ ନାରାୟଣ ମିଶ୍ର, ଅନନ୍ତ ଦାସ, ପ୍ରଣବ ପ୍ରକାଶ ଦାସ, ପ୍ରଶାନ୍ତ କୁମାର ମୁଦୁଲି, ବ୍ରଜ କିଶୋର ପ୍ରଧାନ, କେ ନାରାୟଣ ରାଓ, ମହମ୍ମଦ ମୋକିମ୍, ରମେଶ ଚନ୍ଦ୍ର ସାଏ, ଦେବୀ ରଂଜନ ତ୍ରିପାଠୀ, ସଂଜୀବ କୁମାର ମଲ୍ଲିକ ସଦସ୍ୟ ଅଛନ୍ତି।

ସଂପ୍ରତି ଭୁବନେଶ୍ବରରେ ସରକାରୀ ଜମି ଜବରଦଖଲ ପରିମାଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଷ୍ଟାଣ୍ଡିଂ କମିଟିର ଏଭଳି ସୁପାରିସର ଯଥେଷ୍ଟ ଗୁରୁତ୍ବ ରହିଛି। ଏହି କମିଟି ଆହୁରି ସୁପାରିସ କରିଛନ୍ତି ଯେ ସାଧାରଣ ପ୍ରଶାସନ ବିଭାଗ ଖାଲିଥିବା ପଦବିକୁ ବିଚାରକୁ ନେଇ ଗୋଟିଏ ବାର୍ଷିକ ନିଯୁକ୍ତି କ୍ୟାଲେଣ୍ଡର କରିବା ଦରକାର। କମିସନମାନେ ନିୟମିତ ଭାବେ ଏସବୁ ପରୀକ୍ଷା କଲେ ଜିଲ୍ଲାସ୍ତରୀୟ ଅଧିକାରୀ ନିଯୁକ୍ତି ସମସ୍ୟା ଦୂରୀଭୂତ ହୋଇପାରିବ। ଏହାବ୍ୟତୀତ ରାଜ୍ୟ କ୍ୟାଡ଼ରରୁ ଆଇଏଏସ୍ ପଦୋନ୍ନତି, ଭିଜିଲାନ୍ସ ଏକାଡ଼େମି ସଶକ୍ତିକରଣ ଉପରେ ବିଧାନସଭା କମିଟି ଗୁରୁତ୍ବାରୋପ କରିଛନ୍ତି।

ଭୁବନେଶ୍ବର ଜମି ଜବରଦଖଲ ସଂପର୍କରେ ଷ୍ଟାଣ୍ଡିଂ କମିଟି ସାମ୍ନାରେ ସରକାର ତଥ୍ୟ ରଖିଛନ୍ତି ଯେ ଏ ନେଇ ଗୋଟିଏ ସ୍ବତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଭୁବନେଶ୍ବର ଭୂମି ଉପଯୋଗ ସୂଚନା ପ୍ରଣାଳୀ (ଭୁବନେଶ୍ବର ଲ୍ୟାଣ୍ଡ୍‌ ୟୁଟିଲାଇଜେସନ୍ ଇନଫର୍ମେସନ୍ ସିଷ୍ଟମ୍ ବା ବ୍ଲୁଇସ୍) ନାମରେ ଗୋଟିଏ ଆପ୍ କାର୍ଯ୍ୟକାରୀ ହେଉଛି। ଏଥିରେ ବିଏମ୍‌ସି ଅଞ୍ଚଳରେ କେଉଁଠି ଜମି ଜବରଦଖଲ ହେଲା, ଉଚ୍ଛେଦ ଆଦି ତଥ୍ୟ ସାମ୍ନାକୁ ଆସିବ। ସରକାରୀ ଜମି ଜବରଦଖଲ କ୍ଷେତ୍ରରେ ସାଧାରଣ ଲୋକ ମଧ୍ୟ ସେମାନଙ୍କ ଅଭିଯୋଗ ଏହି ଆପ୍ ମାଧ୍ୟମରେ ଦାଖଲ କରିପାରିବେ।

ଏହାବ୍ୟତୀତ ସରକାର ସର୍ବଦା ନିଜ ଜମି ସୁରକ୍ଷା ଦିଗରେ ଉଦ୍ୟମ ଚଳାଇଛନ୍ତି ଓ ଜବରଦଖଲ ଉଚ୍ଛେଦ କରୁଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରୀୟ ପ୍ରବର୍ତ୍ତନ ପରିଚାଳନା କମିଟି ରହିଛି, ଯାହା ମାଧ୍ୟମରେ ବିଏମ୍‌ସି, ବିଡ଼ିଏ, ଓଡ଼ିଶା ହାଉସିଂ ବୋର୍ଡ ପ୍ରମୁଖଙ୍କୁ ନେଇ ଯୁଗ୍ମ ଚଢ଼ଉ କରାଯାଇପାରିବ। ବିଡ଼ିଏକୁ ଗୋଟିଏ ସ୍ବତନ୍ତ୍ର ପ୍ଲାଟୁନ୍ ଫୋର୍ସ ମଧ୍ୟ ଦିଆଯାଇଛି। ସରକାର ପାଚେରି ନିର୍ମାଣ କରୁଛନ୍ତି। ଚଳିତବର୍ଷ ୧୯୭ଟି ଜବରଦଖଲ ଉଚ୍ଛେଦ କରାଯାଇଛି ଓ ୩୩ ଏକର ୪୨୫ ଡିସିମିଲ ଜମି ବିଡି଼ଏକୁ ପାଚେରି ନିର୍ମାଣ ପାଇଁ ହସ୍ତାନ୍ତର କରାଯାଇଛି ବୋଲି ସାଧାରଣ ପ୍ରଶାସନ ବିଭାଗ ତଥ୍ୟ ରଖିଛି।

ସମ୍ବନ୍ଧିତ ଖବର