ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ: ୧୮ବର୍ଷର ଶିଥିଳ ଗତିରେ ଅନ୍ତ

ଅନୁଗୁଳ : ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ନୂଆ ରେଳପଥ ପ୍ରକଳ୍ପ ଚାଲିଛି ଯେ ଚାଲିଛି। ଗଲା ୧୮ବର୍ଷ ହେଲା ସରୁନାହିଁ। ୧୮ବର୍ଷ ତଳର ଏହି ପ୍ରକଳ୍ପ ବାଟରେ ଦୀର୍ଘ ୧୦ବର୍ଷ କାଳ କେନ୍ଦ୍ର‌ର ଉପା ସରକାରଙ୍କ ଅବହେଳା, ତା’ପରେ ଜମି ଅଧିଗ୍ରହଣରେ ବଡ଼ ଶିଥିଳତା ସତେ ଯେମିତି ରେଳପଥକୁ ଝୁଣ୍ଟିବାକୁ ବାଧ୍ୟ କରିଛି। ଯେଉଁଥିପାଇଁ ଅନୁଗୁଳ ଜିଲ୍ଲା ତାଳଚେରରୁ ଦେବଗଡ଼ ଜିଲ୍ଲା ଦେଇ ସୁନ୍ଦରଗଡ଼ ଜିଲ୍ଲାର ବିମଳାଗଡ଼ ପର୍ଯ୍ୟନ୍ତ ଲମ୍ବିବାକୁ ଥିବା ୧୪୯ କିଲୋମିଟର ଦୀର୍ଘ ଏହି ରେଳପଥ ପାଇଁ ମୋଟ୍‌ ୨୦୮୮.୭୭ ଏକର ଜମି ଲୋଡ଼ା ପଡ଼ୁଥିବା ବେଳେ ରେଳପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେବା ଦୂରର କଥା, ରେଳପଥ ପାଇଁ ଯେତିକି ଜମି ଆବଶ୍ୟକ ତାହା ମଧ୍ୟ ଏଯାବତ୍‌ ଅଧିଗୃହିତ ହୋଇ ପାରିନାହିଁ।

ଉଲ୍ଲେଖଯୋଗ୍ୟ, ଏହି ପ୍ରକଳ୍ପ ଘୋଷଣା ହୋଇଥିଲା ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ। ୨୦୦୩-୦୪ ଆର୍ଥିକ ବର୍ଷରେ ଏନ୍‌ଡିଏ ସରକାର ପ୍ରକଳ୍ପକୁ ମଞ୍ଜୁରି ଦେଇ ଓଡ଼ିଶାକୁ ଏକ ପ୍ରକାର ଭେଟି ଦେଇଥିଲେ। ଏହି ପ୍ରକଳ୍ପ ବିଭିନ୍ନ କାରଣ ପାଇଁ ଥିଲା ଗୁରୁତ୍ବପୂର୍ଣ୍ଣ। ବିଶେଷକରି, ଭୁବନେଶ୍ବର-ରାଉରକେଲା ମଧ୍ୟରେ ଦୂରତ୍ବ ହ୍ରାସ କରାଇବାରେ ଏହାର ବେଶ୍‌ ଆବଶ୍ୟକତା ରହିଛି। ଉଭୟ ସହର ମଧ୍ୟରେ ବର୍ତ୍ତମାନ ଦୂରତା ପ୍ରାୟ ୪୬୨ କିଲୋମିଟର। ନୂଆ ରେଳପଥ ଖୋଲିଲେ ଯାତ୍ରା ୩୪୭ କିଲୋମିଟର ହେବ। ଶତାଧିକ କିଲୋମିଟର ଦୂରତା କମିଯିବ।
ଏନ୍‌ଡିଏ ସରକାର କ୍ଷମତାଚ୍ୟୁତ ହେବା ପରେ ଏହି ସ୍ବପ୍ନରେ ଧିମା ପଡ଼ିଗଲା। ଉପା ସରକାର ପ୍ରକଳ୍ପକୁ ଏତେଟା ଗୁରୁତ୍ବ ଦେଲେ ନାହିଁ। ଦୀର୍ଘ ୧୦ବର୍ଷ କାଳ ପ୍ରକଳ୍ପରେ ସେତେଟା ଅଗ୍ରଗତି ପରିଲକ୍ଷିତ ହେଲା ନାହିଁ। ୨୦୧୪ରେ ପୁଣି ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ଅଧିକ ପରିମାଣର ଆର୍ଥିକ ଅନୁଦାନ ଦେବା ଫଳରେ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିଲା। ୨୦୨୨ ଡିସେମ୍ବରକୁ ଏ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ସମୟ ସୀମା ଧାର୍ଯ୍ୟ ହୋଇଥିଲା। ଗଲା ବର୍ଷକ ମଧ୍ୟରେ ସୁନାଖାନ ଏବଂ ସମଲ ମଧ୍ୟରେ ଥିବା ବାରୁଆଁ ପାହାଡ଼ରେ ରେଳ ବିଭାଗ ୮୪୦ ମିଟର ଲମ୍ବାର ଏକ ଟନେଲ୍‌ କାମ ଯାହା ଶେଷ କରିଛି।

ସମ୍ବନ୍ଧିତ ଖବର