ରେଡ୍‌ ଜୋନ୍‌ ଯାଜପୁରର ବାସିନ୍ଦା ଆସି ପୁରୀରେ, ସାହିବାସିନ୍ଦା ଆତଙ୍କିତ ! ପ୍ରଶାସନ ମୁଣ୍ଡ ପୁରାଉ ନଥିବା ଅଭିଯୋଗ

ପୁରୀ : ରେଡ୍‌ ଜୋନ୍‌ ଯାଜପୁରରୁ ବାସିନ୍ଦା ଆସି ପୁରୀରେ ପହଞ୍ଚିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଗତ କାଲି ରାତି ତମାମ ସ୍ଥାନୀୟ ଲୋକମାନେ ଏଥିପାଇଁ ପୁଲିସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଫୋନ୍‌ କରି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଓଲଟା ଆମେ କିଛି କରିପାରିବୁ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦିଆଯାଇଥିଲା। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଖବର ନେବାରେ ଜଣାପଡ଼ିଛି ଯେ ରେଡ୍‌ ଜୋନ୍‌ ଭାବେ ଘୋଷିତ ଯାଜପୁର ଅଞ୍ଚଳରୁ ଜଣେ ବ୍ୟକ୍ତି ଗତ କାଲି ପୁରୀକୁ ଚାଲି ଆସିଛନ୍ତି। ସେ ହରଚଣ୍ଡି ସାହି ମହାସୁଆର ଲେନ୍‌ରେ ଆସି ରହିଥିଲେ। ତାଙ୍କୁ ଦେଖି ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ତେଣୁ ଏ ସମ୍ପର୍କରେ କୋଭିଡ଼୍‌ କଣ୍ଟ୍ରୋଲ ରୁମ୍‌, ଟାଉନ ଥାନାକୁ ଲୋକମାନେ ଫୋନ କରି ଅଭିଯୋଗ କରିଥିଲେ। ମାତ୍ର ଏଠାରୁ ସେଭଳି କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା। ଏପରିକି କୌଣସି ପ୍ରଶାସନିକ ଅଧିକାରୀମାନେ ସେଠାକୁ ଯାଇନଥିଲେ। ତେଣୁ ପ୍ରଶାସନ ଉପରେ ଲୋକମାନଙ୍କ ଭରସା ତୁଟିଗଲା ବୋଲି ଚର୍ଚ୍ଚା ହେଉଛି। ତେବେ ଆଜି ଏହି ଅଞ୍ଚଳକୁ ପୁଲିସ ତିନି ଥର ଯାଇଥିଲେ ମଧ୍ୟ ସମ୍ପୃକ୍ତ ସନ୍ଦିଗ୍ଧ ଫେରାର ହୋଇଯାଇଥିଲେ। ବହୁତ ଖୋଜାଖୋଜି ମଧ୍ୟ କରି ପୁଲିସ ଶେଷରେ ବିଫଳ ହୋଇଥିଲା। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟ‌ରେ ଏହି ବ୍ୟକ୍ତି ଜଣକ ପୁନଃ ଫେରିଥିଲା। ତାଙ୍କୁ ପୁଲିସ ‌ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦେଇ ଫେରିଯାଇଥିବା ଜଣାପଡ଼ିଛି।

ସେହିପରି ଭିଆଇପି ରୋଡ୍‌ ପାର୍ଶ୍ବସ୍ଥିତ ଏକ ଘରକୁ ଜଣେ ସନ୍ଦିଗ୍ଧ ଆସିଥିବା ଜଣାପଡ଼ିଛି। ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଏ ସମ୍ପର୍କରେ ପ୍ରଶାସନକୁ ଜଣାଇବା ଆବଶ୍ୟକ ଉଚିତ୍‌। ତେଣୁ ଏ ନେଇ ଲୋକମାନେ ମଧ୍ୟ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ଫଳ ମିଳିନଥିଲା। ଜନୈକ ବ୍ୟକ୍ତି ଏ ସମ୍ପର୍କରେ କୁମ୍ଭାରପଡ଼ା ଥାନା ଏବଂ ପୁଲିସ କଣ୍ଟ୍ରୋଲ ରୁମ୍‌ ୧୦୦ ନମ୍ବରକୁ ଫୋନ କରିଥିଲେ। କିନ୍ତୁ ତାଙ୍କୁ ସେଭଳି କିଛି ସନ୍ତୁଷ୍ଟ କଲାଭଳି ଉତ୍ତର ମିଳିନଥିଲା ବୋଲି ସେ କହିଛନ୍ତି। ଏହିଭଳି ଅନେକ ସନ୍ଦିଗ୍ଧ ପୁରୀକୁ ଚାଲିଆସିଥିବା ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। ଅନ୍ୟପଟେ କେବଳ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ କରୋନା ପରୀକ୍ଷା କରାଯିବା ପାଇଁ ନିର୍ଦ୍ଦେଶନାମା ଆସିଛି। ତେଣୁ ଜିଲ୍ଲାରୁ ଜିଲ୍ଲାକୁ ଆସୁଥିବା ଲୋକମାନେ ସେଭଳି ବିପଦପୂର୍ଣ୍ଣ ନୁ‌ହନ୍ତି ବୋଲି ପ୍ରଶାସନିକ ଅଧିକାରୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର