ପାଣି ପାଇଁ ପମ୍ପ ଘରେ ତାଲା ଠୁଙ୍କିଲେ ମହିଳା

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ମନୋହରପୁର ପଞ୍ଚାୟତ ଚକ୍ରଧରପୁର ଗ୍ରାମର ଡାକ୍ତରଖାନା ସାହିରେ ପାନୀୟଜଳ ସଂକଟ ଉତ୍କଟ ହୋଇଛି। ପାଇପ ଯୋଗେ ସାହିକୁ ପାନୀୟଜଳ ଯୋଗାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଜଳ ଯୋଗାଣ ନ ହେବାରୁ ଆଜି ସାହିର ମହିଳାମାନେ ଉତ୍ତ୍ୟକ୍ତ ହୋଇ ପାନୀୟଜଳ ପ୍ରକଳ୍ପର ପମ୍ପ ହାଉସ୍‌ରେ ତାଲା ପକାଇ ଦେଇଛନ୍ତି।
ଏହି ସାହିରେ ୨୦ଟି ପରିବାର ବାସ କରୁଛନ୍ତି। ସାହିରେ ଥିବା ଏକମାତ୍ର ନଳକୂପରୁ ପାଣି ବାହାରୁ ନାହିଁ। ସାହିକୁ ‘ବସୁଧା’ ଯୋଜନାରେ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ଖରାଦିନେ ସାହିବାସୀ ପାଣି ଟୋପାଏ ପାଉନାହାନ୍ତି। ପାଇପ୍‌ ଫାଟି ଯାଇଥିବାରୁ ଏଭଳି ସମସ୍ୟା ହୋଇଛି। ପାଇପ୍‌ ମରାମତି ସାଙ୍ଗକୁ ସାହିରେ ଏକ ନୂତନ ନଳକୂପ ଖନନ ପାଇଁ ଏପ୍ରିଲ ୭ ତାରିଖରେ ସାହିବାସୀ ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟକୁ ଆସି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣକରିଥିଲେ। ପାଇପ୍‌ ମରାମତି କରାଯାଇ ସାହିକୁ ଜଳ ଯୋଗାଣ କରାଯିବ ବୋଲି ସହକାରୀ ଯନ୍ତ୍ରୀ ସ୍ଵପ୍ନାରାଣୀ ଉପାଧ୍ୟାୟ ପ୍ରତିଶ୍ରୁତି ଦେଇଥିଲେ। ପରେ ବିଭାଗୀୟ କର୍ତ୍ତୃପକ୍ଷ ପାଇପ୍‌ ମରାମତି କରିଥିଲେ ମଧ୍ୟ କିଛି ଲୋକ ମୁଖ୍ୟ ପାଇପ୍‌ରେ କଣା କରି ନିଜ ଘରକୁ ପାଣି ନେଉଥିବାରୁ ସାହିବାସୀ ପାଣି ପାଉନାହାନ୍ତି। ଯେଉଁମାନେ ଏଭଳି ବେଆଇନ କାମ କରିଛନ୍ତି ତାହାକୁ ବନ୍ଦ କରିବାପାଇଁ ସାହିରେ ଘୋଷଣା କରାଯାଇଥିଲା। ବିଭାଗୀୟ କର୍ମଚାରୀମାନେ ସାହିକୁ ଆସି ବେଆଇନ ପାଣି ସଂଯୋଗ ବନ୍ଦ କରିବାକୁ ଆଜି ଦିନ ଧାର୍ଯ୍ୟ ‌ହୋଇଥିଲା। ସାହିର ମହିଳାମାନେ ଏଥିପାଇଁ ଏକାଠି ହୋଇଥିଲେ। ବିଭାଗୀୟ କର୍ମଚାରୀମାନେ ନ ଆସିବାରୁ ମହିଳାମାନେ ଉତ୍ତ୍ୟକ୍ତ ହୋଇ ‘ବସୁଧା’ ପ୍ରକଳ୍ପର ପମ୍ପ ହାଉସ୍‌ରେ ତାଲା ପକାଇ ଦେଇଛନ୍ତି। ପାନୀୟଜଳ ସମସ୍ୟା ସମାଧାନ ନହେଲେ ଆସନ୍ତା ୭ ତାରିଖରେ ମହିଳାମାନେ ଗରା, ମାଠିଆ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ୱାର୍ଡମେମ୍ବର ଉମାକାନ୍ତ ଦଳେଇ, ନବନିର୍ମାଣ କୃଷକ ସଂଗଠନର ବ୍ଲକ୍‌ ସଂଯୋଜକ ଶ୍ୟାମସୁନ୍ଦର ମହାନ୍ତ, ମେଘନାଦ ମହାନ୍ତ, ଶତ୍ରୁଘ୍ନ ନାଏକ, ପ୍ରଫୁଲ୍ଲ କିସାନ, ଗଣେଶ୍ୱର ନାଏକ, କୃପା କିସାନ, ଖୁଲଣା ମହାନ୍ତ, ବେଙ୍ଗବତି ମହାନ୍ତ, ହେମ ନାଏକ, ବୈଦେହୀ ନାଏକ, ଉମା ନାଏକ, ମୀନା ନାଏକ, ସସ୍ମିତା ନାଏକ, ପଦ୍ମିନୀ ନାଏକ, ସୁଲୋଚନା ନାଏକ, ରଞ୍ଜୁ ନାଏକ, ବୀଣା ନାଏକ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ସ୍ଵପ୍ନାରାଣୀ ଉପାଧ୍ୟାୟଙ୍କୁ ପଚାରିବାରୁ, ଆଜି କର୍ମଚାରୀମାନେ ସଠିକ ସମୟରେ ଆସିପାରିଲେ ନାହିଁ। ଆସନ୍ତାକାଲି ବେଆଇନ ପାଇପ୍‌ ଲାଇନ୍‌କୁ ବନ୍ଦ କରାଯାଇ ସାହିକୁ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର