ହାଇକୋର୍ଟରେ ପୁଣି ପହଞ୍ଚିଲା ଏଏସ୍‌ଓ ନିଯୁକ୍ତି ପରୀକ୍ଷା ବିବାଦ, ପୁନର୍ବିଚାର ଆବେଦନ ଦାଖଲ

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷା ବିବାଦ ପୁଣି ହାଇକୋର୍ଟରେ ପହଞ୍ଚିଛି। ଓପିଏସସି ପକ୍ଷରୁ ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କରି ହାଇକୋର୍ଟ ୨୦୨୩, ମେ ୧୯ରେ ପ୍ରଦାନ କରିଥିବା ରାୟର ପୁନର୍ବିଚାର ପାଇଁ ରିଭ୍ୟୁ ପିଟିସନ ଦାଖଲ ‌କରାଯାଇଛି। ପୂର୍ବରୁ ପ୍ରକାଶିତ ମେଧା ତାଲିକାରେ ସ୍ଥାନ ପାଇଥିବା କେ.ଜେନା ଓ ଅନ୍ୟ ଚାରିଜଣଙ୍କ ପକ୍ଷରୁ ଏହି ରିଭ୍ୟୁ ପିଟିସନ ହାଇକୋର୍ଟରେ ଦାଖଲ କରାଯାଇଛି। ମେ ୧୯ ରାୟର ପୁନର୍ବିଚାର କରାଯାଉ, ନଚେତ ପୂର୍ବର ମେଧା ତାଲିକାରେ ସ୍ଥାନ ପାଇଥିବା ବହୁ ଯୋଗ୍ୟ ପ୍ରାର୍ଥୀ ଏଏସଓ ନିଯୁକ୍ତି ପ୍ରକ୍ରିୟାରୁ ବାଦ ପଡିବାର ସମ୍ଭାବନା ରହିଛି। ଓପିଏସସି ନିୟମ ଅନୁସାରେ ୨୦୨୨, ନଭେମ୍ବର ୭ରେ ମେଧା ତାଲିକା ପ୍ରକାଶ କରିଥିଲା। ତେଣୁ ମେଧା ତାଲିକା ରଦ୍ଦ କରା ନ ଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଏସଓ ନିଯୁକ୍ତି ପ୍ରକ୍ରିୟାରେ ନିୟମ ଉଲ୍ଲଂଘନ କରି ହାଇକୋର୍ଟରେ ମୂଳ ରିଟ୍ ଆବେଦନ କରିଥିବା ରଜତ କୁମାର ମିଶ୍ର ଓ ଅନ୍ୟମାନଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏଏସଓ ପରୀକ୍ଷାରେ ବ୍ୟାପକ ନିୟମ ଉଲ୍ଲଂଘନ କରାଯାଇଛି ଓ ବିଷୟଭିତ୍ତିକ ସର୍ବନିମ୍ନ ନମ୍ବର ବ୍ୟବସ୍ଥା‌ ଲାଗୁ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଦାୟର ଆବେଦନର ଫେବ୍ରୁଆରି ୨ରେ ହାଇକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ମେ ୧୯ରେ ହାଇକୋର୍ଟ ଏଏସଓ ମାମଲାର ରାୟ ପ୍ରକାଶ କରିଥିଲେ। ଏଏସଓ ନିଯୁକ୍ତି ପରୀକ୍ଷାରେ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଥିଲେ। ଏଥି ସହିତ ୨୦୧୬ର ନିୟମ ପାଳନ କରି ସାନି ମେଧା ତାଲିକା ୨ ମାସ ଭିତରେ ପ୍ରକାଶ କରିବାକୁ ହାଇ‌େକାର୍ଟ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର