କାନାଡ଼ାରେ ଆଇନର ଶାସନ ଚାଲିଛି: ଟ୍ରୁଡୋ

ନିଜାର ହତ୍ୟାକାଣ୍ଡ ଗିରଫଦାରୀ

ଟରୋଣ୍ଟୋ: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ତିନି ଜଣ ଭାରତୀୟ ନାଗରିକଙ୍କ ବିରୋଧରେ ମାମଲା ରୁଜୁ ହେବାର ଗୋଟିଏ ଦିନ ପରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ କାନାଡ଼ାରେ ଆଇନର ଶାସନ ଚାଲିଛି ଏବଂ ଏକ ଦୃଢ଼ ଓ ସ୍ୱାଧୀନ ନ୍ୟାୟ ବ୍ୟବସ୍ଥା ପାଇଁ ଆମର ପ୍ରତିବଦ୍ଧତା ରହିଛି। ସୂଚନାଯୋଗ୍ୟ, ଜୁନ୍ ୧୮, ୨୦୨୩ରେ ବ୍ରିଟିଶ କଲମ୍ବିଆ ସ୍ଥିତ ଏକ ଗୁରୁଦ୍ୱାରା ବାହାରେ କାନାଡାର ନାଗରିକ ହରଦୀପ ସିଂ ନିଜାରଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ହତ୍ୟା ପାଇଁ କାନାଡ଼ା ଭାରତକୁ ସିଧାସଳଖ ଦାୟୀ କରିଆସୁଛି। ଏହି ମାମଲାରେ ଦୁଇ ଦିନ ତଳେ ଆଲବର୍ଟାର ଏଡମଣ୍ଟନରେ ରହୁଥିବା କରନପ୍ରୀତ ସିଂହ (୨୮), କମଲପ୍ରୀତ ସିଂହ (୨୨) ଓ କରନ ବ୍ରାର୍‌ (୨୨)ଙ୍କୁ ଗିରଫ କରାଯାଇଥିଲା।

ଏହି ଗିରଫଦାରୀ ପରେ କାନାଡ଼ା ପୁଲିସ କହିଛି ଯେ ସେମାନେ ଆମେରିକାର ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସି ସହ ମିଳିତ ତଦନ୍ତ ଜାରି ରଖିଛନ୍ତି। ନିଜାରକୁ ହତ୍ୟା ପରେ କାନାଡାର ଶିଖ୍ ସମ୍ପ୍ରଦାୟର ଅନେକ ଲୋକ ଅସୁରକ୍ଷିତ ଅନୁଭବ କରୁଛନ୍ତି ବୋଲି ଟ୍ରୁଡୋ କହିଛନ୍ତି। କାନାଡ଼ାରେ ଭେଦଭାବ ଏବଂ ହିଂସାର ଧମକରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ କାନାଡ଼ାବାସୀଙ୍କର ମୌଳିକ ଅଧିକାର ରହିଛି ବୋଲି ସେ ମତ ରଖିଛନ୍ତି। ତେବେ ଭାରତ ବିରୋଧୀ ଶକ୍ତିମାନେ କାନାଡ଼ାରେ କାୟାବିସ୍ତାର କରୁଥିଲେ ମଧ୍ୟ ଟ୍ରୁଡୋ ଏ ନେଇ ମୁହଁ ଖୋଲିନାହାନ୍ତି। କାନାଡ଼ାରେ ଏବେ ଖଲିସ୍ତାନୀ ଆତଙ୍କବାଦୀଙ୍କ ବିଭିନ୍ନ ସଂଗଠନ ସକ୍ରିୟ ରହିଛି ଏବଂ ଏ ବାବଦରେ ଭାରତ ପର୍ଯ୍ୟାପ୍ତ ପ୍ରମାଣ ଦାଖଲ କରିଥିଲେ ମଧ୍ୟ କାନାଡ଼ା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ଅନ୍ୟପକ୍ଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ନିଜାର ହତ୍ୟା ମାମଲାରେ ଗିରଫ ହୋଇଥିବା ତିନି ଜଣ ଭାରତୀୟ ନାଗରିକଙ୍କ ସମ୍ପର୍କରେ କାନାଡ଼ା ପୁଲିସ ତଥ୍ୟ ପ୍ରଦାନ କରିବାକୁ ଭାରତ ଅପେକ୍ଷା କରିଛି। ସନ୍ଦିଗ୍ଧମାନେ ଏକ ପ୍ରକାର ଗ୍ୟାଙ୍ଗ ପୃଷ୍ଠଭୂମିର ଭାରତୀୟ ବୋଲି ଜଣାପଡିଛି। ପଞ୍ଜାବରୁ ସଂଗଠିତ ଅପରାଧ ନେଟ୍‌ୱର୍କ ଚଳାଉଥିବା ଲୋକଙ୍କୁ କାନାଡ଼ାରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଉଥିବାରୁ କାନାଡ଼ା ପୁଲିସର ରିପୋର୍ଟ ମିଳିବା ପରେ ହିଁ ଭାରତ ପରବର୍ତ୍ତୀ ପଦକ୍ଷେପ ନେଇପାରିବ ବୋଲି ଜୟଶଙ୍କର କହିଛନ୍ତି।

ସମ୍ବନ୍ଧିତ ଖବର