ଭାରତ ପହଞ୍ଚିଲେ ୨୩ଟି ଦେଶର ୭୫ ପ୍ରତିନିଧି

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ନିର୍ବାଚନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ଏବଂ ଏହାର ପାରିଦର୍ଶିତା ଓ ପ୍ରତିବଦ୍ଧତା ସଂପର୍କରେ ବାସ୍ତବ ଜ୍ଞାନ ହାସଲ ପାଇଁ ୨୩ଟି ରାଷ୍ଟ୍ରର ୭୫ ଜଣ ପ୍ରତିନିଧି ଭାରତ ପହଞ୍ଚିଛନ୍ତି। ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ର ନିମନ୍ତ୍ରଣକ୍ରମେ ଏହି ପ୍ରତିନିଧିମାନେ ପହଞ୍ଚିବା ପରେ କମିସନଙ୍କ ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯାଇଛି। ବିଶ୍ବର ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ନିର୍ବାଚନର ବ୍ୟାପକତା ଏବଂ ଅଭୂତପୂର୍ବ ବନ୍ଦୋବସ୍ତ ବାବଦରେ ଏହି ପ୍ରତିନିଧିମାନେ ଏବେ ପ୍ରତ୍ୟକ୍ଷ ଭାବେ ତଥ୍ୟ ହାସଲ କରୁଛନ୍ତି। ଆମନ୍ତ୍ରିତ ପ୍ରତିନିଧିମାନେ ଭୁଟାନ, ମଙ୍ଗୋଲିଆ, ଅଷ୍ଟ୍ରେଲିଆ, ମାଡାଗାସ୍କର, ଫିଜି, କିର୍ଗିଜ୍ ରିପବ୍ଲିକ୍, ରୁଷିଆ, ମୋଲ୍ଡୋଭା, ଟ୍ୟୁନିସିଆ, ସେଶେଲ୍ସ, କାମ୍ବୋଡିଆ, ନେପାଳ, ଫିଲିପାଇନ୍ସ, ଶ୍ରୀଲଙ୍କା, ଜିମ୍ବାୱେ, ବାଂଲାଦେଶ, କାଜାଖସ୍ତାନ, ଜର୍ଜିଆ, ଚିଲି, ଉଜ୍‌ବେକିସ୍ତାନ, ପପୁଆ ନ୍ୟୁ ଗିନି ଏବଂ ନାମିବିଆ ଆଦି ୨୩ଟି ରାଷ୍ଟ୍ରରୁ ଆସିଛନ୍ତି। ଏହା ବ୍ୟତୀତ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର୍‌ ଇଲେକ୍ଟୋରାଲ ସିଷ୍ଟମ (ଆଇଏଫ୍‌ଇଏସ୍‌)ର ସଦସ୍ୟ ଏବଂ ଭୁଟାନ ଏବଂ ଇସ୍ରାଏଲର ଗଣମାଧ୍ୟମ ମଧ୍ୟ ଏଥିରେ ସାମିଲ ହୋଇଛି।

ନିର୍ବାଚନ କମିସନ ଏ ବାବଦରେ ଗୁରୁତ୍ୱାରୋପ କରି କହିଛି ଯେ ଏହି ପଦକ୍ଷେପ ସର୍ବୋଚ୍ଚ ମାନର ସାଧାରଣ ନିର୍ବାଚନ ଆୟୋଜନ ପାଇଁ ଆମ ପ୍ରତିବଦ୍ଧତାକୁ ଦର୍ଶାଏ, ଯାହା ଆମ ଗଣତାନ୍ତ୍ରିକ ଉତ୍କର୍ଷତାକୁ ପ୍ରତ୍ୟକ୍ଷ ଭାବରେ ଦେଖିବାପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି। ଭାରତର ସ୍ବଚ୍ଛ ଏବଂ ପାରଦର୍ଶୀ ନିର୍ବାଚନ ପ୍ରକ୍ରିୟା ଏବଂ ଏ ବାବଦ ବିଶାଳ ଆୟୋଜନ ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ପ୍ରେରଣା ପାଲଟିଛି। ପ୍ରତିନିଧିମାନଙ୍କୁ ଭାରତର ନିର୍ବାଚନ ବ୍ୟବସ୍ଥାର ସୂକ୍ଷ୍ମତା ଏବଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଦ୍ୱାରା ଚାଲିଥିବା ପ୍ରକ୍ରିୟା ସଂପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରାଯାଇଛି ଏବଂ ସେମାନେ ବିଭିନ୍ନ ଅଂଚଳରେ ପ୍ରଚାର, ଲୋକ ସଂପୃକ୍ତି, ନିର୍ବାଚନ ଆଚରଣବିଧି, ପରିଚାଳନା, ବୈଷୟିକ ବ୍ୟବସ୍ଥା ଆଦି ଅନୁଧ୍ୟାନ କରୁଛନ୍ତି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର, ନିର୍ବାଚନ କମିସନର ଜ୍ଞାନେଶ କୁମାର ଓ ଡ. ସୁଖବୀର ସିଂହ ସାନ୍ଧୁ ଆଜି ବିଦେଶୀ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଛନ୍ତି।

ସମ୍ବନ୍ଧିତ ଖବର