ଆନନ୍ଦପୁର : ଆନନ୍ଦପୁର ବ୍ଲକ୍‌ ବେଲବାହାଳି ପଞ୍ଚାୟତ ଡିହସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ ସେହି ସ୍କୁଲ୍‌ର ଜଣେ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ଶିକ୍ଷୟିତ୍ରୀ ପଙ୍କଜିନୀ ସାହ‌ୁ ଏନେଇ ପ୍ରଧାନଶିକ୍ଷୟିତ୍ରୀ ଲିଲିପ୍ରିୟା ଜେନାଙ୍କ ବିରୋଧ‌ରେ ଘସିପୁରା ଥାନାରେ ଏତଲା ଦେଇଛନ୍ତି।  ଅଭିଯୋଗ ଅନୁଯାୟୀ, ଲିଲିପ୍ରିୟା ସବୁ ସମୟରେ ପଙ୍କଜିନୀଙ୍କୁ ବିଭିନ୍ନ ଆଳରେ ଗାଳିଗୁଲଜ କରିଆସୁଥିଲେ। କୌଣସି କାରଣ ନଥାଇ ଗାଳିଗୁଲଜ କରୁଥିବାରୁ ସେ ମାନସିକ ଚାପରେ ରହୁଥିଲେ। ଆଜି ଲିଲିପ୍ରିୟା ଗାଳିଗୁଲଜ କରୁଥିବା ବେଳେ ପଙ୍କଜିନୀ ଏହାର ପ୍ରମାଣ ରଖିବା ପାଇଁ ଅଡିଓ ରେକର୍ଡିଂ କରିଥିଲେ।

Advertisment

ଲିଲିପ୍ରିୟା ଏକଥ‌ା ଜାଣିବା ପରେ ତାଙ୍କୁ ହଠାତ୍ ଆକ୍ରମଣ କରିଥିଲେ। ପଙ୍କଜିନୀଙ୍କ ଶାଢ଼ି ଚିରିବା ସହିତ କାନଫୁଲ ଭାଙ୍ଗି ଦେଇଛନ୍ତି। ଏନେଇ ପଙ୍କଜିନୀ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘସିପୁରା ଥାନା ଅଧିକାରୀ ବିକ୍ରମ କେଶରୀ ଭୂୟାଁ ଉଭୟ ଶିକ୍ଷୟିତ୍ରୀଙ୍କୁ ଥାନାକୁ ଡାକି ମାମଲାର ଆପୋସ ସମାଧାନ କରିବାକୁ ଉଦ୍ୟମ ଚଳାଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ପ୍ରଧାନଶିକ୍ଷୟିତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନଦେଲେ ଗ୍ରାମବାସୀ ବାଧ୍ୟ ହୋଇ ବିଦ୍ୟାଳୟରେ ତାଲା ପକାଇବେ ବୋଲି ଚେତାବନୀ ‌ଦେଇଛନ୍ତି।