ମୋଟୁ ଥାନାରେ ୨ ଯୁବକଙ୍କୁ ଥାର୍ଡ ଡିଗ୍ରୀ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଚୋରି ଘଟଣାରେ ବସିଥିଲା କଙ୍ଗାରୁ କୋର୍ଟ
୪ଦିନ ହାଜତରେ ରଖି ପିଟିଥିବା ଅଭିଯୋଗ
ଏସ୍‌ଆଇଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି

କାଲିମେଳା/ମାଲକାନଗିରି : ଚୋରି ଘଟଣାରେ ଅଭିଯୁକ୍ତ ଦର୍ଶାଇ କଙ୍ଗାରୁ କୋର୍ଟରେ ହାଜର କରାଯାଇଥିଲା। ତେବେ ମୀମାଂସା ନ ହେବାରୁ ପୁଲିସ ଜିମାରେ ଦେଇଥିଲେ। ପୁଲିସ ୪ଦିନ ଧରି ହାଜତରେ ରଖି ନିସ୍ତୁକ ପିଟିଲା। ଯାହାଫଳରେ ଆଉ ବିଛାଣରୁ ଉଠିପାରୁ ନାହାନ୍ତି ଦୁଇ ଯୁବକ। ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳରୁ ଏମିତି ଗୋଟିଏ ଘଟଣା ସାମ୍ନାକୁ ଆସିଛି। ପୁଲିସ ଥାର୍ଡ ଡିଗ୍ରୀକୁ ଅସ୍ବୀକାର କରୁଥିଲେ ବି ତରବରିଆ ଭାବେ ପୁଲିସ ଏସ୍‌ଆଇଙ୍କୁ ହଟାଇ ଦେଇଛି। ଅନ୍ୟପଟେ ଦୁଇ ଯୁବକଙ୍କୁ ଚିକିତ୍ସା ନିମନ୍ତେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ମାଲକାନଗିରି ଏସ୍‌ଡିପିଓ ଅଭିଳାଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ମୋଟୁ ଥାନା ଅନ୍ତର୍ଗତ ଏମ୍‌ଭି-୮୧ ଗାଁର ବିନୋଦ ବିଶ୍ବାସ ଓ ବିପ୍ଳବ ହାଲଦାର କିଛିଦିନ ତଳେ ରାଜ୍ୟ ବାହାରୁ ଦାଦନ ଖଟି ଗାଁକୁ ଫେରିଥିଲେ। ଏହାପରେ ଗାଁର ଅଭିଜିତ ବିଶ୍ବାସଙ୍କ ଘରୁ ସୁନା ଗହଣା ଏବଂ ନଗଦ ଟଙ୍କା ଚୋରି ହୋଇଥିବାବେଳେ ଉପରୋକ୍ତ ଦୁଇ ଯୁବକଙ୍କ ଉପରେ ସନ୍ଦେହ ପ୍ରକାଶ କରିଥିଲେ। ତେଣୁ ଗାଁରେ କଙ୍ଗାରୁ କୋର୍ଟ ବସି ଉଭୟଙ୍କ ବିଚାର ଆରମ୍ଭ ହୋଇଥିଲା। ତେବେ, ସେମାନେ ଚୋରି କରି ନଥିବା ବାରମ୍ବାର କହିବା ସତ୍ତ୍ବେ କେହି ଶୁଣି ନଥିଲେ। ଶେଷରେ କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁଯାୟୀ ଉଭୟଙ୍କୁ ମୋଟୁ ଥାନା ପୁଲିସକୁ ଡକାଇ ଜିମାରେ ଦିଆଯାଇଥିଲା। ପୁଲିସ ଗୁରୁବାର ଦିନ ଉଭୟଙ୍କୁ ଥାନାକୁ ନେଇ ହାଜତରେ ରଖିଥିଲା। ୪ଦିନ ଧରି ନିସ୍ତୁକ ପିଟିବା ପରେ ଗତକାଲି ପରିବାର ଲୋକଙ୍କୁ ଡକାଇ ଘରକୁ ନେଇଯିବାକୁ କହିଥିଲା। କିନ୍ତୁ ପୁଲିସ ସେମାନଙ୍କୁ ଏତେ ପିଟିଥିଲା ଯେ ଆଦୌ ଉଠିପାରି ନଥିଲେ। ପରିବାର ଲୋକ ବହୁ କଷ୍ଟରେ ଉଭୟଙ୍କୁ ଉଠାଇ ଗାଁକୁ ଆଣିଥିଲେ। ସେତେବେଳକୁ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବାରୁ ଏମଭି-୭୯ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅପରପକ୍ଷରେ ପୁଲିସ ଉଭୟଙ୍କୁ ବେଆଇନ ଭାବେ ଥାନାରେ ଅଟକ ରଖି ପିଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ ବିରୋଧରେ ଏଭଳି ସଂଗିନ୍‌ ଅଭିଯୋଗ ଆସିଥିବାରୁ ମାଲକାନଗିରି ଏସ୍‌ଡିପିଓ ଅଭିଳାଷ ମୋଟୁ ଥାନାକୁ ଯାଇ ତଦନ୍ତ କରିଥିଲେ। ତୁରନ୍ତ ଏସ୍‌ଆଇ ସୋମନାଥ ଦଳବେହେରାଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରିବାକୁ ସୁପାରିସ କରିଥିଲେ। ଯାହାକୁ ଏସ୍‌ପି ଗ୍ରହଣ କରିବାରୁ ଏସ୍‌ଆଇ ଦଳବେହେରାଙ୍କୁ ମୋଟୁ ଥାନାରୁ ହଟାଇ ଦିଆଯାଇଛି।

ସମ୍ବନ୍ଧିତ ଖବର