ଗଜପତିରେ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ, ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ତି : ଗଜପତି ଜିଲ୍ଲାରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ଼ ବଣ୍ଟନ କରିଛନ୍ତି। ଏହି ଅବସରରେ ପାରଳାଖେମୁଣ୍ଡି ଗଜପତି ଷ୍ଟାଡ଼ିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ୨୫୦ ଅତିଥି, ସୀମିତ ହିତାଧିକାରୀ ଏବ˚ ୧୫୦ରୁ ଅଧିକ ସରକାରୀ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ରହିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ ହେବାକୁଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ଼ ବଣ୍ଟନ ମୁଖ୍ୟ ଆକର୍ଷଣ ଥିବାବେଳେ ପୂର୍ବ ନିଷ୍ପତ୍ତି ଅନୁସାରେ ଜିଲ୍ଲାର ଅନ୍ୟପ୍ରକଳ୍ପ ଗୁଡିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ବ୍ରହ୍ମପୁର ସା˚ସଦ ଚନ୍ଦ୍ରଶେଖର ସାହୁ ସ୍ବାଗତ ଭାଷଣ ଦେଇଥିଲେ। ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ନିଜ ଭାଷଣ ମାଧ୍ୟମରେ ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ସ୍ମାଟର୍କାର୍ଡ ସମ୍ପର୍କରେ ଆଲୋକପାତ କରିବା ସହ ଏହା ଗରିବ ଲୋକଙ୍କ ପାଇଁ ବରଦାନ ସଦୃଶ ବୋଲି ଅଭିହିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ନବକିଶୋର ମଧ୍ୟ ସ୍ମାର୍ଟ କାର୍ଡ଼ ସମ୍ପର୍କରେ ତଥ୍ୟ ଦେଇଥିଲେ। କ୍ୟାପଟେନ‌ ଦିବ୍ୟଶଙ୍କର ମିଶ୍ର କହିଥିଲେ, ଓଡ଼ିଶାର ସ୍ବାସ୍ଥ୍ୟ କାର୍ଡ଼ ଦେଶର ସବୁ ସ୍ବାସ୍ଥ୍ୟ କାର୍ଡ଼ଠାରୁ ଭିନ୍ନ। ବିଶେଷକରି, କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ କାର୍ଡ଼ ତୁଳନାରେ ଏହା ବହୁଗୁଣରେ ଅଧିକ ମୂଲ୍ୟବାନ ବୋଲି ସେ କହିଥିଲେ । ପରେ ସ୍ମାର୍ଟ କାର୍ଡ଼ ସମ୍ପର୍କରେ ଏକ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ସଭାମଞ୍ଚରେ ଭାଷଣ ଦେଇ ନଥିଲେ। ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ପ୍ରସ୍ତୁତ ଏକ ଚାରି ମିନିଟର ଭିଡ଼ିଓ ବାର୍ତ୍ତା ଉପସ୍ଥିତ ଦର୍ଶକଙ୍କ ନିମନ୍ତେ ପ୍ରଦର୍ଶିତ କରାଯ‌ାଇଥିଲା। ଏଥିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ଼ ଗରିବ ପରିବାରଙ୍କୁ ସ୍ବାସ୍ଥ୍ୟକ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବ ବୋଲି ସେ କହିଥିଲେ। ଆହୁରି ମଧ୍ୟ କହିଥିଲେ ଯେ ସବୁଠାରୁ ଗରିବ ପରିବାର କୌଣସି ଖର୍ଚ୍ଚ ନକରି ଏହି କାର୍ଡ଼ ମାଧ୍ୟମରେ ଉଚ୍ଚମାନର ସ୍ବାସ୍ଥ୍ୟସେବା ପାଇପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରୁ ୧୦ଜଣ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ଼ ପ୍ରଦାନ କରିଥିଲେ। ସଭାଶେଷରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ରଥକୁ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଶେଷରେ ରାୟଗଡ଼ା ବିଧାୟକ ତଥା ମନ୍ତ୍ରୀ ଜଗନ୍ନାଥ ସାରକା ଧନ୍ୟବାଦ ଅର୍ପଣ କରିଥିଲେ। ୫-ଟି ସଚିବ ଭି.କେ ପାଣ୍ତିଆନ ମଞ୍ଚରେ ଉପସ୍ଥିତ ଥିଲେ।

ଅପରପକ୍ଷେ, ପାରଳାର ବିଜେପି ବିଧାୟକ କେ.ନାରାୟଣ ରାଓ ନିଜ ଉଦ୍‌ବୋଧନରେ ଏହି ଯୋଜନାକୁ ସ୍ବାଗତଯୋଗ୍ୟ ବୋଲି କହିଥିଲେ। ଏହି ଅବସରରେ ଶ୍ରୀ ରାଓ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେବା ସହିତ ନିଜ ଭାଷଣରେ କିଛି ପ୍ରସ୍ତାବ ମଧ୍ୟ ରଖିଥିଲେ। ସେ କହିଥିଲେ, ଡମ୍ବାପୁର ପ୍ରକଳ୍ପ ଶୁଭଦାନର ବହୁ ବର୍ଷ ବିତିଗଲାଣି, କାର୍ଯ୍ୟକାରୀ ହୋଇନାହିଁ। ଛେଳିଗଡ଼ ପ୍ରକଳ୍ପ ୩୦ ବର୍ଷ ହେଲା ଝୁଲି ରହିଛି, ବ˚ଶଧାରା ନଦୀ ଉପରେ ଆନ୍ଧ୍ର ନେରେଡ଼ି ବ୍ୟାରେଜ ନିର୍ମାଣ, ଗଙ୍ଗାବାଡ଼ ସୀମାନ୍ତ ସୀମା ବିବାଦ, ମହେନ୍ଦ୍ରଗିରି ଶିଖରକୁ ରାମାୟଣ ନକ୍ସାରେ ଯୋଡ଼ିବା ଇତ୍ୟାଦି ସମ୍ପର୍କରେ ସେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର