ମଦ କିଣିବାକୁ ନେଇ ୧୦ ଟଙ୍କା ପାଇଁ ସେଲ୍ସମ୍ୟାନକୁ ପିଟିପିଟି ହତ୍ୟା, ଜେଲ ଗଲେ ୩ ଅଭିଯୁକ୍ତ

ପାଟଣାଗଡ଼: ମାତ୍ର ୧୦ ଟଙ୍କା ପାଇଁ ହତ୍ୟାକାଣ୍ଡ। ବଲାଙ୍ଗୀର ଜିଲ୍ଲା ଖପ୍ରଖୋଲ ଥାନା ଅଞ୍ଚଳରେ ମଦ କିଣିବାକୁ ନେଇ ୧୦ ଟଙ୍କା ପାଇଁ‌ ସେଲ୍ସମ୍ୟାନଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖରଖରା ଗ୍ରାମ ଯୋଗୀନ୍ଦ୍ର ବରିହା (୨୮), ବିଶ୍ବନାଥ ନିଆଲ (୨୮) ଓ ଲକ୍ଷ୍ମଣ ଦାସ (୩୦)। ମୃତ ବ୍ୟକ୍ତିଙ୍କ ନାମ ଗୋପାଳ ପ୍ରସାଦ (୩୩)।

ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ଯୋଗୀନ୍ଦ୍ର, ବିଶ୍ବନାଥ ଓ ଲକ୍ଷ୍ମଣ ନିକଟସ୍ଥ ବିଦେଶୀ ମଦ ଦୋକାନକୁ ମଦ କିଣିବାକୁ ଯାଇଥିଲେ। ପ୍ରଥମେ ମଦ କିଣି ତାକୁ ପିଇଥିଲେ। ପରେ ପୁଣି ମଦ କିଣିବାକୁ ଯାଇଥିଲେ। ସେତେବେଳେ ମଦ ଦୋକାନ କାଉଣ୍ଟରରେ ବସିଥିବା ସେଲ୍ସମ୍ୟାନ ଗୋପାଳ ପ୍ରସାଦ ପୁରୁଣା ମୂଲ୍ୟ ୧୮୦ ଥିବା ଏକ ବୋତଲ ଦେଖାଇଥିଲେ। ପରେ ସେ ଭୁଲବଶତଃ ପୁରୁଣା ବୋତଲ ଦେଖାଇଥିବା କହି ନୂଆ ମୂଲ୍ୟ ୧୯୦ ଟଙ୍କା ଲେଖା ଥିବା ବୋତଲ ଆଣିଥିଲେ। ଏହା ଦେଖି ମଦ୍ୟପମାନେ ସେଲ୍ସମ୍ୟାନ ଉପରେ ପାଟିତୁଣ୍ଡ କରିଥିଲେ। ଏହା ସହିତ ମଦ୍ୟପମାନେ ଅଧିକ ୧୦ ଟଙ୍କା ନ ଦେବା, ସେମାନଙ୍କ ପାଖରେ ୧୯୦ ଟଙ୍କା ନଥିବା ଫୋନ ପେ’ ମାଧ୍ୟମରେ ଟଙ୍କା ଦେବା ନେଇ ଯୁକ୍ତି କରିଥିଲେ। ଏହାକୁ ନେଇ ୩ ମଦ୍ୟପ ଓ ସେଲ୍ସମ୍ୟାନ ମଧ୍ୟରେ ବଚସା ତଥା ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ୩ ମଦ୍ୟପ ସେଲ୍ସମ୍ୟାନକୁ ବାଡ଼ିରେ ପିଟିପିଟି ରକ୍ତାକ୍ତ କରି ଦେଇଥିଲେ।

ଖବର ପାଇ ମ୍ୟାନେଜର ପହଞ୍ଚି ସେଲ୍ସମ୍ୟାନସେଲ୍ସମ୍ୟାନକୁ ଉଦ୍ଧାର କରି ପ୍ରଥମେ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)ରେ ଭର୍ତ୍ତି କରିଥିବା ବେଳେ ଗୁରୁତର ଥିବା ଦର୍ଶାଇ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ସେଠାରୁ ପୁଣି ଗୁରୁତର ଅବସ୍ଥାରେ ବୁର୍ଲା ନିଆ ଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ଦ୍ବିପ୍ରହରରେ ଗୋପାଳଙ୍କ ମ୍ରୁତ୍ୟୁ ହୋଇଥିବା ଜଣାପଡିଛି। ଏ ସମ୍ପର୍କରେ ଖପ୍ରଖୋଲ ପୁଲିସ ଏକ ମାମଲା ରୁଜୁ କରି ଉପରୋକ୍ତ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆ ଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର