କଳାହାଣ୍ଡିରେ ବୋଲ ମାନୁନି ଯକ୍ଷ୍ମା: ସାତବର୍ଷରେ ମୁଣ୍ଡ ନେଲାଣି ୭୩୯

୨ ମାସରେ ୨୧୧ ନୂଆ ରୋଗୀ ଚିହ୍ନଟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବୋଲ ମାନୁନି ଯକ୍ଷ୍ମାରୋଗ। ଗତ ସାତବର୍ଷର ତଥ୍ୟକୁ ଅନୁଧ୍ୟାନ କଲେ ସ୍ଥିତି ଉଦ୍‌ବେଗଜନକ ରହିଥିବା ସ୍ପଷ୍ଟ ହେଉଛି। ଗତ ୭ବର୍ଷରେ ଜିଲ୍ଲାରେ ୧୧୭୫୭ ଜଣ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ୭୩୯ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଗତ ୨୦୧୭ ମସିହାରେ କଳାହାଣ୍ଡି ଜିଲ୍ଲାରେ ୧୫୧୮ ଜଣ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇଥିଲେ। ତନ୍ମଧ୍ୟରୁ ୧୨୪୪ ଜଣ ସୁସ୍ଥ ହୋଇଥିବା ବେଳେ ୯୬ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୮ ମସିହାରେ ଚିହ୍ନଟ ୧୫୯୯ ରୋଗୀଙ୍କ ମଧ୍ୟରୁ ୧୩୬୭ ଜଣ ସୁସ୍ଥ ଓ ୧୧୯ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୯ ମସିହାରେ ୧୬୬୯ ଚିହ୍ନଟଙ୍କ ମଧ୍ୟରୁ ୧୪୫୨ ସୁସ୍ଥ ଓ ୧୧୯ ଜଣଙ୍କ ମୃତ୍ୟୁ, ୨୦୨୦ ମସିହାରେ ୧୪୮୬ ଜଣ ଚିହ୍ନଟଙ୍କ ମଧ୍ୟରୁ ୧୩୦୨ ସୁସ୍ଥ ଓ ୧୦୬ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୧ ମସିହାରେ ୧୬୩୫ ଜଣ ଚିହ୍ନଟଙ୍କ ମଧ୍ୟରୁ ୧୪୫୦ ଜଣ ସୁସ୍ଥ ଓ ୧୧୨ ଜଣଙ୍କ ମୃତ୍ୟୁ, ୨୦୨୨ ମସିହାରେ ୧୮୧୦ ଜଣ ରୋଗୀଙ୍କ ମଧ୍ୟରୁ ୧୫୯୦ ଜଣ ସୁସ୍ଥ ଓ ୧୧୫ ଜଣଙ୍କ ମୃତ୍ୟୁ, ୨୦୨୩ ମସିହାରେ ୧୮୫୮ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୪୦ ଜଣ ସୁସ୍ଥ ଓ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଚଳିତବର୍ଷ ଏପର୍ଯ୍ୟନ୍ତ ଗତ ୨ ମାସ ମଧ୍ୟରେ ୨୧୧ ଜଣ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଜାରି ରହିଛି।

ଅନ୍ୟପକ୍ଷରେ, ଗତ ୭ ବର୍ଷରେ ୭୩୯ ଜଣ‌ ଯକ୍ଷ୍ମା ରୋଗୀଙ୍କ ମୃତ୍ୟୁ ହେବା ଘଟଣା ଜିଲ୍ଲାବାସୀଙ୍କୁ ଚକିତ କରିଛି। ୨୦୧୬ ମସିହାରେ ବହୁଚର୍ଚ୍ଚିତ ଦାନ ମାଝୀଙ୍କ ପତ୍ନୀ ଅମଙ୍ଗ ଦେଇ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଭବାନୀପାଟଣା ସଦର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ପରେ ଶବ ବାହକ ଗାଡ଼ି ନମିଳିବାରୁ ଅମଙ୍ଗଙ୍କ ମୃତଦେହକୁ କାନ୍ଧରେ ବୋହି ଦାନ ମାଝୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ସେହି ସମୟରେ ଯକ୍ଷ୍ମାରୋଗୀଙ୍କ ଚିକିତ୍ସା ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ତେବେ, ତୃଣମୂଳସ୍ତରରେ ଏହାର ସଚେତନତା ଅଭାବ ଓ ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ଡଟ୍‌ସ ଔଷଧ ମହଜୁଦ ରହୁ ନଥିବା ଯୋଗୁଁ ବିଳମ୍ବରେ ଚିକିତ୍ସା ମୃତ୍ୟୁର କାରଣ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏନେଇ ଭାରପ୍ରାପ୍ତ ସିଡିଏମ୍‌ଓ ଡା. ନୀହାରେନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ଯକ୍ଷ୍ମା‌ ରୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଔଷଧ ଆସିଥାଏ। ବିଭିନ୍ନ ବୟସର ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ଔଷଧ ଆସିଥାଏ। ଔଷଧ ଆସିବାରେ ବିଳମ୍ବ ହେଲେ ଯେଉଁ ଡାକ୍ତରଖାନାରେ ଷ୍ଟକ୍‌ ମହଜୁଦ ଥାଏ ସେଠାରୁ ଆବଶ୍ୟକତା ଥିବା ଡାକ୍ତରଖାନାକୁ ଔଷଧ ପଠାଯାଇଥାଏ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର