ଜିଡିପି ବଢ଼ିଲା ୮.୪%: କୃଷି କ୍ଷେତ୍ର ପଛେଇଲା, ୦.୮% ସଂକୁଚିତ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର-ଡିସେମ୍ବର ଅବଧିରେ ଭାରତୀୟ ଅର୍ଥନୀତିର ବିକାଶ ହାର ଭଲ ରହିଛି। ଏହି ସମୟରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୮.୪ ପ୍ରତିଶତ ବଢ଼ିଛି। ବିନିର୍ମାଣ (ମାନୁଫାକ୍‌ଚରିଂ) ଏବଂ ଖଣି କ୍ଷେତ୍ରର ପ୍ରଦର୍ଶନ ଅପେକ୍ଷାକୃତ ଭଲ ରହିବା କାରଣରୁ ଜିଡିପିରେ ଏଭଳି ଉନ୍ନତି ସମ୍ଭବ ହୋଇଛି। ମାନୁଫାକ୍‌ଚରିଂ ୧୧.୬ ପ୍ରତିଶତ, ନିର୍ମାଣ ୯.୫ ପ୍ରତିଶତ; ବାଣିଜ୍ୟ, ହୋଟେଲ ଓ ପରିବହନ ୬.୭ ପ୍ରତିଶତ, ଆର୍ଥିକ କ୍ଷେତ୍ର ସହିତ ରିଅଲ ଇଷ୍ଟେଟ୍‌ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିଛି।

ତେବେ ଚିନ୍ତାର ବିଷୟ ହେଲା ସଂଖ୍ୟାଧିକ ଲୋକ କୃଷି ‌ଉପରେ ଏବେ ବି ନିର୍ଭରଶୀଳ ଥିଲେ ମଧ୍ୟ ତୃତୀୟ ତ୍ରୟମାସରେ ଦେଶର କୃଷିକ୍ଷେତ୍ରର ଅଭିବୃଦ୍ଧି ବିଯୁକ୍ତ ୦.୮ ପ୍ରତିଶତ ଅର୍ଥାତ୍‌ ସଂକୁଚିତ ହୋଇଛି। ଦ୍ବିତୀୟ ତ୍ରିମାସୀରେ କୃଷିକ୍ଷେତ୍ରର ଅଭିବୃଦ୍ଧି ୧.୬ ପ୍ରତିଶତ ରହିଥିଲା।
ସେହିଭଳି ଗତ ଆର୍ଥିକବର୍ଷର ତୃତୀୟ ତ୍ରୟମାସରେ କୃଷି କ୍ଷେତ୍ର ୫.୨ ପ୍ରତିଶତ ହାରରେ ଆଗକୁ ବଢ଼ିଥିଲା। ରିପୋର୍ଟ ଉପରେ ନଜର ପକାଇଲେ ଜଣାଯାଏ ଯେ ବର୍ତ୍ତମାନ ମୂଲ୍ୟରେ ତୃତୀୟ ତ୍ରୟମାସର ଜିଡିପି ୭୫.୪୯ ଲକ୍ଷ କୋଟି ଟଙ୍କା ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୬୮.୫୮ ଲକ୍ଷ କୋଟି ଟଙ୍କା ରହିଥିଲା। ତେଣୁ ବର୍ତ୍ତମାନ ମୂଲ୍ୟରେ ଜିଡିପି ଅଭିବୃଦ୍ଧିରେ ୧୦.୧ ପ୍ରତିଶତ ବୃଦ୍ଧି ଘଟିଛି। କିନ୍ତୁ ୨୦୧୧-୧୨ର ସ୍ଥିର ମୂଲ୍ୟରେ ଚଳିତ ଆର୍ଥିକବର୍ଷର ତୃତୀୟ ତ୍ରୟମାସ ଜିଡିପି ୪୩.୭୨ ଲକ୍ଷ କୋଟି ଟଙ୍କା ରହିଛି। ୨୦୨୨-୨୩ର ତୃତୀୟ ତ୍ରୟମାସରେ ଏହା ୪୦.୩୫ ଲକ୍ଷ କୋଟି ଟଙ୍କା ରହିଥିଲା। ତେଣି ଏହି ସମୟରେ ବାସ୍ତବ ଜିଡିପି ଅଭିବୃଦ୍ଧି ୮.୪ ପ୍ରତିଶତ ବଢ଼ିଥିବା ଆକଳନ ହୋଇଛି।

ଏଥିସହିତ ଆର୍ଥିକ ବର୍ଷର ପ୍ରଥମ ଓ ଦ୍ବିତୀୟ ତ୍ରୟମାସ ପାଇଁ ମଧ୍ୟ ଜିଡିପି ସଂଖ୍ୟାରେ ସଂଶୋଧନ ଅଣାଯାଇଛି। ପୂର୍ବ ଆକଳନରେ ପ୍ରଥମ ଓ ଦ୍ବିତୀୟ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ଯଥାକ୍ରମେ ୭.୮ ଏବଂ ୭.୬ ପ୍ରତିଶତ ରହିଥିଲା। କିନ୍ତୁ ଆଜି ଉକ୍ତ ସଂଖ୍ୟା ଯଥାକ୍ରମେ ୮.୨ ପ୍ରତିଶତ ଏବଂ ୮.୧ ପ୍ରତିଶତ ରହିଥିବା ଦର୍ଶାଯାଇଛି। ତୃତୀୟ ତ୍ରୟମାସରେ ଅର୍ଥନୀତିର ଅଭିବୃଦ୍ଧି ୬.୫ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ କରିଥିଲା। ତେଣୁ ରିଜର୍ଭ ବ୍ୟାଙ୍କର ପୂର୍ବାନୁମାନ ତୁଳନାରେ ଅଭିବୃଦ୍ଧି ଭଲ ରହିଛି। ଆଜି ପ୍ରକାଶିତ ଦ୍ବିତୀୟ ଅଗ୍ରିମ ଆକଳନରେ ଚଳିତ ଆର୍ଥିକ ବର୍ଷ ପାଇଁ ଅର୍ଥନୀତିର ଅଭିବୃଦ୍ଧି ୭.୬ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଚଳିତବର୍ଷ ପୂର୍ବରୁ କରାଯାଇଥିବା ପ୍ରଥମ ଅଗ୍ରିମ ଆକଳନରେ ଆର୍ଥିକବର୍ଷର ଅଭିବୃଦ୍ଧି ୭.୩ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଥିଲା।

ବର୍ତ୍ତମାନ ମୂଲ୍ୟରେ ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ଘରୋଇ ଉତ୍ପାଦ ୨୯୩.୯୦ ଲକ୍ଷ କୋଟି ଟଙ୍କା ରହିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ୨୦୨୨-୨୩ ଆର୍ଥିକବର୍ଷରେ ଏହା ୨୬୯.୫୦ ଲକ୍ଷ କୋଟି ଟଙ୍କା ରହିଥିଲା। ତେଣୁ ବର୍ତ୍ତମାନ ମୂଲ୍ୟରେ ଜିଡିପି ଅଭିବୃଦ୍ଧି ୯.୧ ପ୍ରତିଶତ ରହିବା ନେଇ ହିସାବ କରାଯାଇଛି। ‌ତେବେ ୨୦୧୧-୧୨ ଆର୍ଥିକ ବର୍ଷର ସ୍ଥିର ମୂଲ୍ୟରେ ୨୦୨୩-୨୪ ଆର୍ଥିକବର୍ଷର ଜିଡିପି ୧୭୨.୯୦ ଲକ୍ଷ କୋଟି ଟଙ୍କା ରହିବା ନେଇ ଆକଳନ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ସଂଶୋଧିତ ଆକଳନରେ ବାସ୍ତବ ଜିଡିପି ୧୬୦.୭୧ ଲକ୍ଷ କୋଟି ଟଙ୍କା ରହିବ ବୋଲି କୁହାଯାଇଛି। ତେଣୁ ଗତ ଆର୍ଥିକ ବର୍ଷରେ ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୭.୬ ପ୍ରତିଶତ ରହିବା ନେଇ ଏନ୍‌ଏସ୍‌ଓ (ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ) ପକ୍ଷରୁ କୁହାଯାଇଛି।

ଭାରତୀୟ ଅର୍ଥନୀତିର ତୃତୀୟ ତ୍ରୟମାସ ଜିଡିପି ଅଭିବୃଦ୍ଧି ରିପୋର୍ଟ ଆସିବା ପରେ ସାମାଜିକ ଗଣମାଧ୍ୟମ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ମତ ରଖିଛନ୍ତି। ୮.୪ ପ୍ରତିଶତର ଜିଡିପି ଅଭିବୃଦ୍ଧି ଭାରତୀୟ ଅର୍ଥନୀତିର ଶକ୍ତି ଓ ସାମର୍ଥ୍ୟକୁ ଦର୍ଶାଉଛି। ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାସପାଇଁ ଆମର ପ୍ରଚେଷ୍ଟା ଜାରି ରହିବ, ଯେପରିକି ୧୪୦ କୋଟି ଭାରତୀୟ ଉତ୍ତମ ଜୀବନ ଜିଇଁ ପାରିବେ ‌ଏବଂ ଏକ ବିକଶିତ ଭାରତ ତିଆରି ହୋଇପାରିବ ବୋଲି ପ୍ରଧାମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର