ସହରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ‘ସହର ହେଉଛି ରାଜ୍ୟର ବିକାଶର ଦର୍ପଣ’

ବ୍ରହ୍ମପୁର ସହରବାସୀଙ୍କୁ ମିଳିଲା ୨୪ଘଣ୍ଟା ପାଣି, ୨୬ଟି ସହରରେ ୬୨୬ଟି ବିଜୁ ଆଦର୍ଶ କଲୋନି ଲୋକାର୍ପିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ଉପକ୍ରମରେ ସହରବାସୀଙ୍କ ନିମନ୍ତେ ଅନେକ ସୁବିଧା ଯଥା ପିଇବା ପାଣି ସୁବିଧା, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍,ପେଭର୍‌ଡ ରାସ୍ତା, ସ୍ବେରେଜ୍ ବ୍ୟବସ୍ଥା ଓ ଅନେକ ନାଗରିକ ସେବା ସହିତ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଓ ବିଜୁ ଆଦର୍ଶ କଲୋନୀ ଲୋକାର୍ପଣ କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ସହରବାସୀଙ୍କୁ ବହୁ ପ୍ରକଳ୍ପ ଭେଟି ଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହର ହେଉଛି ଗୋଟିଏ ରାଜ୍ୟର ବିକାଶର ଦର୍ପଣ। ସମୃଦ୍ଧ ସହର ରାଜ୍ୟର ସମୃଦ୍ଧି ବିଷୟରେ ସୂଚନା ଦେଇଥାଏ। ୫-ଟି ଉପକ୍ରମରେ ହେଉଥିବା ଏହି ସବୁ ବିକାଶମୂଳକ କାର୍ଯ୍ୟକ୍ରମ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ଏହି ସବୁ ପ୍ରକଳ୍ପ ଆମର ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ।

ଆମ ରାଜ୍ୟର ଡ୍ରିଙ୍କ ଫ୍ୟମ୍ ଟ୍ୟାପ୍ କାର୍ଯ୍ୟକ୍ରମ ଓ ସହରାଞ୍ଚଳ ବିକାଶ କ୍ଷେତ୍ରରେ ସାରା ଦେଶ ପାଇଁ ଏକ ମଡେଲ୍। ବ୍ରହ୍ମପୁର ସହରର ସବୁ ପରିବାର ଆଜିଠୁ ୨୪ଘଣ୍ଟା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ସୁବିଧା ପାଇଲେ। ଏହାସହିତ ରାଜ୍ୟର ୮ଟି ସହରରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ସୁବିଧା ମିଳିଲା। ରାଜ୍ୟରେ ବିଶ୍ବସ୍ତରୀୟ ଜନସ୍ବାସ୍ଥ୍ୟ ବ୍ୟବସ୍ଥାର ବିକାଶରେ ଏହା ଏକ ବଡ଼ ପଦକ୍ଷେପ। ଭଲ ପିଇବା ପାଣି ୫୦ ପ୍ରତିଶତ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ କରିଥାଏ। ତେଣୁ ଆମର ଏହି ସବୁ ପ୍ରକଳ୍ପ ସହରବାସୀଙ୍କ ପାଇଁ ବେଶ୍‌ ଲାଭଦାୟକ ହେବ। ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାନ୍ଧୀଜୀଙ୍କ ଭାଷାରେ ଏହା ସ୍ୱାଧୀନତାଠାରୁ ମଧ୍ୟ ଅଧିକ ଜରୁରୀ। ଆଜି କଟକ ଓ ଭୁବନେଶ୍ୱର ପାଇଁ ଓଡ଼ିଶା ସମନ୍ବିତ ପରିମଳ ଉନ୍ନତୀକରଣ ପ୍ରକଳ୍ପ ଉତ୍ସର୍ଗ କରି ମୁଁ ବହୁତ ଖୁସି। ଏଥିପାଇଁ ଜାଇକା ସହାୟତାରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହାଦ୍ୱାରା ଭୁବନେଶ୍ୱର ଓ କଟକ ସହରରେ ହୋଇଥିବା ଭୂତଳ ସ୍ବେରେଜ୍ ବ୍ୟବସ୍ଥା ଏବଂ ନୂଆ ସ୍ବେରେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଏବଂ ଉନ୍ନତ ଡ୍ରେନେଜ୍ ସୁବିଧା ଆମ ସହରର ପରିଚୟକୁ ଅଧିକ ଉଜ୍ଜ୍ବଳ କରିବ।

ବ୍ରହ୍ମପୁର ସହରବାସୀଙ୍କୁ ମିଳିଲା ୨୪ଘଣ୍ଟା ପାଣି
୨୬ଟି ସହରରେ ୬୨୬ଟି ବିଜୁ ଆଦର୍ଶ କଲୋନି ଲୋକାର୍ପିତ
୨୧,୪୨୭ ବସ୍ତି ବାସିନ୍ଦା ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର
କଟକ, ଭୁବନେଶ୍ୱର ପାଇଁ ସମନ୍ୱିତ ପରିମଳ ଉନ୍ନୟନ ପ୍ରକଳ୍ପ ଲୋକାର୍ପିତ

ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଝାରସୁଗୁଡ଼ା, ବ୍ରଜରାଜନଗର ଓ ବେଲପାହାଡ଼ ସହର ସହିତ ଅନେକ ସହରରେ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରାଗଲା। ଏହା ମାଧ୍ୟମରେ ୨.୬୫ ଲକ୍ଷ ବାସିନ୍ଦା ଉପକୃତ ହେବେ। ଏଥିସହିତ ଉନ୍ନତି ଓ ମୁକ୍ତା ଯୋଜନାରେ ବିଭିନ୍ନ ସହରରେ ୩୬୯୯ଟି ନୂଆ ପେଭର୍‌ଡ ରାସ୍ତା ଏବଂ ୬୯୬୧ଟି ‌ନାଗରିକ ସୁବିଧା ପ୍ରକଳ୍ପ ଉତ୍ସର୍ଗ କରାଗଲା। ମୁକ୍ତା ଯୋଜନାର କାର୍ଯ୍ୟକାରିତା ଉପରେ ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ମୁକ୍ତା ଯୋଜନାରେ ସବୁ କାମ ମା’ମାନଙ୍କ ଦ୍ୱାରା କରାଯାଉଛି ଏବଂ ଭଲ ଭାବେ ମଧ୍ୟ ଏହି ସବୁ କାମ ମା’ମାନେ ତୁଲାଉଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୪ଟି ସହରରେ ୧୧୬୪ କୋଟି ଟଙ୍କା ମୂଲ୍ୟର ୨୭ଟି ଜଳଯୋଗାଣ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ୪ଟି ସହର ଯଥା କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାର ୨୧,୪୨୭ ବସ୍ତି ବାସିନ୍ଦା ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ଦିଆଯାଇଛି। ଏଥି ସହିତ ରାଜ୍ୟର ୨୬ଟି ସହରରେ ୬୨୬ଟି ବିଜୁ ଆଦର୍ଶ କଲୋନୀ ଲୋକାର୍ପିତ ହୋଇଛି। ଏହାଦ୍ୱାରା ୨ଲକ୍ଷ ପରିବାର ଉପକୃତ ହୋଇଛନ୍ତି। ଏଥିସହିତ ୨୬ଟି ସହର ବସ୍ତିମୁକ୍ତ ହୋଇଛି। ସହରରେ ସେମାନେ ଅନ୍ୟମାନଙ୍କ ପରି ମଧ୍ୟ ସବୁ ମୌଳିକ ସୁବିଧା ସୁଯୋଗ ପାଇଛନ୍ତି। କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳବାସୀଙ୍କ ପାଇଁ ହେଉଥିବା ଯୋଜନାଗୁଡ଼ିକ ବିଷୟରେ କହିଥିଲେ। ବିଭିନ୍ନ ଯୋଜନାରେ ଉପକୃତ ହୋଇଥିବା ଉପଭୋକ୍ତମାନେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଜି. ମାଥିଭାଥନନ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର