ଏନ୍‌କାଉଣ୍ଟରରେ ଦୁଇ ଅପରାଧୀ ଆହତ

୨ଟି ପିସ୍ତଲ,ଅଫୁଟା ଗୁଳି ଓ ମୋଟରବାଇକ୍‌ ଜବତ, ରେଲୱେ କଲୋନି ଗୋରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

ରାଉରକେଲା : ପୁଲିସ ଏନ୍‌କାଉଣ୍ଟରେ ସହରର ଦୁଇ କୁଖ୍ୟାତ ଅପରାଧୀ ମୁସ୍‌ତାକ ଆଲାମ ଓ ମହମ୍ମଦ ଗୁଡ୍ଡୁ ଓରଫ ଡେକ୍‌ଚି ଗୁରୁତର ହୋଇଛନ୍ତି। ଦୁହିଁଙ୍କ ଗୋଡରେ ଗୁଳି ବାଜିଛି। ସେମାନଙ୍କୁ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ଓ ପରେ ସମ୍ବଲପୁରସ୍ଥିତ ବୁର୍ଲା ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଛି। ଏମାନଙ୍କ ନିକଟରୁ ଦୁଇଟି ୭-ଏମ୍‌ଏମ୍‌ ପିସ୍ତଲ, ଅଫୁଟା ଗୁଳି ଓ ଏକ ନମ୍ବରବିହୀନ ମୋଟରବାଇକ୍‌ ଜବତ ହୋଇଛି। ଗୁଡ୍ଡୁ ନାଁରେ ସହରର ବିଭିନ୍ନ ଥାନାରେ ୯ରୁ ଅଧିକ ଅପରାଧିକ ମାମଲା ରହିଛି। ମୁସ୍ତାକ୍‌ ନାଁରେ ୪ଟି ଅସ୍ତ୍ରଶସ୍ତ୍ର ମାମଲା ରହିଛି। ମୁସ୍ତାକ୍‌ର ଘର ନାଲାରୋଡରେ ‌ହୋଇଥିଲାବେଳେ ଗୁଡ୍ଡୁର ଘର ବାସନ୍ତୀ କଲୋନି ମାଲଗୋଦାମ ଅଞ୍ଚଳରେ।

ଦୁହେଁ ଗତ ସେପ୍ଟେମ୍ବର ୧୧ ତାରିଖରେ ରେଲୱେ କଲୋନି ରିମ୍‌ଝିମ୍‌ ବସ୍ତିର ଜିତେନ୍ଦ୍ର ସାଏ ଓରଫ ଗୋରେ ହତ୍ୟାରେ ସମ୍ପୃକ୍ତ ଥିଲେ ବୋଲି ରାଉରକେଲା ଏସ୍‌ପି ମୁକଶେ କୁମାର ଭାମୁ କହିଛନ୍ତି। ସେ କହିଛନ୍ତି, ଗତ ୧୪ ତାରିଖ ଭୋର ପ୍ରାୟ ୪ଟା ୧୫ରେ ମୁସ୍ତାକ୍‌ ଓ ଗୁଡ୍ ଏକ ନମ୍ବରବିହୀନ ମୋଟରବାଇକ୍‌ରେ ସୋରଡାରୁ ରାଉରକେଲାକୁ ଆସୁଥିବା ସୂଚନା ମିଳିଥିଲା। ସୂଚନା ଆଧାରରେ ରାଉରକେଲା ପୁଲିସର ସ୍ବତନ୍ତ୍ର ଟିମ୍‌ ଦୁହିଁଙ୍କ ପିଛା କରିଥିଲେ। ବିଶ୍ରା ତେତେରକେଲା ପଞ୍ଚାୟତ ମଣ୍ଡପ ଛକ ନିକଟରେ ଖସିଯିବାକୁ ଦୁହେଁ ପୁଲିସକୁ ଗୁଳି ଚାଳନା କରିଥିଲେ। ପାଲଟା ଜବାବରେ ପୁଲିସ ‌ଦୁହିଁଙ୍କ ଉପରକୁ ଗୁଳି ଚଳାଇଥିଲା। ଏହି ଗୁଳି ବିନିମୟରେ ପୁଲିସ ଟିମ୍‌ର କେହି ହତାହତ ହୋଇ ନଥିଲେ। ତେବେ ମୁସ୍ତାକ ଓ ଗୁଡୁର ଗୋଡରେ ପୁଲିସର ଗୁଳିବାଜିବାରୁ ଦୁହେଁ ତଳେ ପଡିଯାଇଥିଲେ। ପୁଲିସ ଦୁହଁଙ୍କୁ କାବୁ କରି ଆର୍‌ଜିଏଚ୍‌ରେ ଭର୍ତ୍ତି କରିଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁହିଁଙ୍କୁ ସମ୍ବଲପୁର ବୁର୍ଲା ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି ଶ୍ରୀ ଭାମୁ କହିଛନ୍ତି।

ସମ୍ବନ୍ଧିତ ଖବର