୨ ମ୍ୟୁନିସିପାଲଟି, ୫ ବ୍ଲକ୍‌ରେ ଶତ ପ୍ରତିଶତ ପ୍ରଥମ ଡୋଜ୍; ଦିଆଗଲାଣି ୩.୪ କୋଟି ଡୋଜ୍‌ରୁ ଅଧିକ

ଭୁବନେଶ୍ୱର : ରାଜ୍ୟର ଦୁଇଟି ମ୍ୟୁନସିପାଲଟି ଓ ୫ଟି ବ୍ଲକ୍‌ରରେ ଶତ ପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ ହୋଇଛି। ମ୍ୟୁନିସିପାଲଟିରେ ଭୁବନେଶ୍ବର ଓ ବ୍ରହ୍ମପୁର ଥିବା ବେଳେ ବ୍ଲକ୍ ଭିତରେ ଗଞ୍ଜାମର ବେଲଗୁଣ୍ଠା, ଦେବଗଡ଼ର ରିଆମାଳ, କନ୍ଧମାଳର ଟିକାବାଲି, ଜି.ଉଦୟଗିରି ଓ ରାଇକିଆ ଏହି ସଫଳତା ହାସଲ କରିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଧୀରେ ଧୀରେ ଟିକାକରଣ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ସରକାର ୧୮ବର୍ଷରୁ ଅଧିକ ୩.୧ କୋଟି ହିତାଧିକାରୀଙ୍କୁ ଟିକା ଦେବା ଲାଗି ଲକ୍ଷ୍ୟ ରଖିଛନ୍ତି। ଆଜି ରାଜ୍ୟରେ ୧୩୩୦ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧ଲକ୍ଷ ୬୭ହଜାର ୨୮ ଡୋଜ୍ ଟିକା ଦିଆଯାଇଛି। ଯୁବ ବର୍ଗରେ ୬୬,୯୨୪ ପ୍ରଥମ ଓ ୪୯,୨୮୧ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୪୫ବର୍ଷରୁ ଅଧିକ ୨୬,୫୨୧ ପ୍ରଥମ ଓ ୨୩,୭୯୨ ଦ୍ବିତୀୟ ଡୋଜ୍ ନେଇଥିଲେ। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୩କୋଟି ୪୦ଲକ୍ଷ ୬୧ହଜାର ୯ଶହ ଡୋଜ୍ ଟିକା ଦିଆଗଲାଣି। ଯୁବ ବର୍ଗରେ ୬୯ ପ୍ରତିଶତ ପ୍ରଥମ ଓ ୪୫ବର୍ଷରୁ ଅଧିକ ୮୭ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି।

ଆସନ୍ତାକାଲି ରବିବାର ସତ୍ବେ ୧୦୫ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ। ଭୁବନେଶ୍ବର ୩୪, ପୁରୀ ୬୩, ରାୟଗଡ଼ା ୫, ସୁନ୍ଦରଗଡ଼ ୨ ଓ ବାଲେଶ୍ବରରେ ଗୋଟିଏ ଅଧିବେଶନରେ ଟିକା ଦିଆଯିବ। ରାଜ୍ୟରେ ବର୍ତମାନ ୨୨ଲକ୍ଷ ୮୮ହଜାର ୭୬୦ ଡୋଜ୍ କୋଭିସିଲ୍‌ଡ ଓ ୩ଲକ୍ଷ ୧୦ହଜାର ୫୫୦ ଡୋଜ୍ କୋଭାକ୍ସିନ୍ ଟିକା ମହଜୁଦ ରହିଛି।

ସମ୍ବନ୍ଧିତ ଖବର