ଦିନରେ ତାତି, ଅପରାହ୍ନରେ କାଳବୈଶାଖୀ

ଭୁବନେଶ୍ବର : ଦିନରେ ତାତି ଓ ଅପରାହ୍‌ଣ‌ରେ କାଳବୈଶାଖୀ ରାଜ୍ୟବାସୀଙ୍କୁ ଆତଙ୍କିତ କରୁଛି। ମଙ୍ଗଳବାର ଦିନ ୪୪.୫ ଡିଗ୍ରି ତାପମାତ୍ରା ସହ ବୌଦ୍ଧ ପୁଣି ଥରେ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ସେହିପରି ସୋନପୁର ଓ ଅନୁଗୁଳ ସହର ୪୩.୫ ଡିଗ୍ରି ତାତିରେ ସିଝିଥିବା ବେଳେ ଝାରସୁଗୁଡ଼ା, ବଲାଙ୍ଗୀର ଓ ସୁନ୍ଦରଗଡ଼ ସହରରେ ତାପମାତ୍ରା ୪୩ ଡିଗ୍ରି ରହିଥିଲା। ଆଜି ରାଜ୍ୟର ମୋଟ୍ ୧୮ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଅପରପକ୍ଷେ ମଙ୍ଗଳବାର ଅପରାହ୍‌ଣରେ ରାଜ୍ୟର ୧୩ ଜିଲ୍ଲା‌ରେ କାଳବୈଶାଖୀ ବର୍ଷା ହୋଇଯାଇଛି। ଜିଲ୍ଲାଗୁଡ଼ିକ ହେଲା, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଜପତି, କେନ୍ଦୁଝର ଓ ମୟୂରଭଂଜ। ଏହି ସବୁ ଜିଲ୍ଲା‌ଗୁଡ଼ିକରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି। ସେହିପରି ନୂଆପଡ଼ା, ନବରଂଗପୁର ଓ କଳାହାଣ୍ଡିରେ ବଜ୍ରପାତ ସହ ବର୍ଷା ହୋଇଥିଲା। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ବଜ୍ରପାତ ନେଇ ସଚେତନ ରହିବାକୁ କେନ୍ଦ୍ର ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ପାଣିପାଗ କେନ୍ଦ୍ର କହିଛି, ଆଜି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିସହ କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୫ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଧା, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା ସହ ପବନ ହେବ। ଏଥିସହ ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ପୁରୀ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ୬ ଓ ୭ ତାରିଖ ପାଇଁ ବି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

 

ମଙ୍ଗଳବାର ଦିନ ରାଜଧାନୀର ତାପମାତ୍ରା ମଧ୍ୟ ଗତକାଲି ଅପେକ୍ଷା ଦେଢ଼ ଡିଗ୍ରି ବଢ଼ିଛି। ମଙ୍ଗଳବାର ଦିନ ଭୁବନେଶ୍ବରର ତାପମାତ୍ରା ୩୯ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆଜି (ବୁଧବାର ଦିନ) ମଧ୍ୟ ସ୍ଥିତି ଅପରିବର୍ତ୍ତିତ ରହିବ। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର କୌଣସି ସ୍ଥାନରେ ତାତିରେ ବିଶେଷ ପରିବର୍ତ୍ତନ ଘଟିବ ନାହିଁ।

ଅନ୍ୟପକ୍ଷରେ ଆଜି ଦକ୍ଷିଣ ଆଣ୍ଡାମାନସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭା‌ବରେ ଆସନ୍ତା ୬ ତାରିଖ ଦିନ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ଏହାପରେ ଏହା କେତେ ଘନୀଭୂତ ହେବ, ସେ ନେଇ କୌଣସି ସୂଚନା ଦେଇନାହିଁ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)। ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମ୍‌ଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ଟ୍ବିଟର୍‌ରେ ବିଭାଗ ପକ୍ଷରୁ ପ୍ରାକ୍‌ ମୌସୁମୀ ଋତୁରେ ବାତ୍ୟା ନେଇ ବିଭିନ୍ନ ସୂଚନା ପ୍ରଦାନ ପରୋକ୍ଷରେ ବାତ୍ୟା ଆଶଙ୍କାକୁ ଅଧିକ ଦୃଢ଼ୀଭୂତ କରୁଛି। ପ୍ରାକ୍‌-ମୌସୁମୀ ଋତୁରେ ୧୯୬୫ ପରେ ଓଡ଼ିଶାରେ ଉପକୂଳ ଅତିକ୍ରମ କରିବାରେ ‘ଫନି’ ସବୁଠାରୁ ତୀବ୍ର ବାତ୍ୟା ଥିଲା। ଏଥିସହ ସର୍ବାଧିକ ସ୍ଥାୟୀ ପବନର ବେଗ ଘଣ୍ଟା ପ୍ରତି ୨୧୫ କିମି ସହ ଉପକୂଳ ଅତିକ୍ରମ କରିଥିଲା। ଫନିର ଗତିପଥର ଲମ୍ବ ୩୦୩୦ କିମି ଥିଲା। ଏହା ସବୁଠାରୁ ଲମ୍ବା ଗତିପଥ ଥିଲା ଓ ଏହା ବିଷୁବରେଖା ନିକଟରେ ସୃଷ୍ଟି ହୋଇଥିବା ଏକ ବିରଳ ବାତ୍ୟା ଥିଲା ବୋଲି ଆଜି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ବିଟର୍‌ରେ ଉଲ୍ଲେଖ କରାଯାଇଛି। କେନ୍ଦ୍ରର ଏହି ଭଳି ଟ୍ବିଟ୍‌ ସମ୍ଭାବ୍ୟ ବାତ୍ୟାର ତୀବ୍ରତାକୁ ପରୋକ୍ଷରେ ଇଙ୍ଗିତ କରୁଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର