କୁଆଡ଼େ ଗଲା ଡାକ୍ତରଖାନାର ଜେନେରେଟର: ପୁଣି ମୋବାଇଲ ଲାଇଟରେ ଚିକିତ୍ସା

ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଜେନେରେଟର ବ୍ୟବସ୍ଥା ରହିଛି। ହେଲେ ତାହା ଠିକ୍‌ ସମୟରେ କାମରେ ନଆସିବାରୁ ଗୁରୁବାର ରାତିରେ ରୋଗୀମାନଙ୍କ ଚିକିତ୍ସା ମୋବାଇଲ ଫୋନ୍‌ ଲାଇଟ୍‌ ସାହାଯ୍ୟରେ କରାଯାଇଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି।

ପ୍ରକାଶ ଯେ ଏହି ଡାକ୍ତରଖାନାକୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ପାଇଁ ବହୁବର୍ଷ ହେଲା ଏକ ଜେନେରେଟର ଯୋଗାଇ ଦିଆଯାଇଛି। ହେଲେ ଅନେକ ସମୟରେ ଏହି ବ୍ୟବସ୍ଥା ଫେଲ୍‌ ମାରୁଥିବା ନେଇ ପୂର୍ବରୁ ଅନେକବାର ଅଭିଯୋଗ ହୋଇଛି। ଗୁରୁବାର ରାତିରେ ପାଟଣାଗଡ଼ ଅଞ୍ଚଳରେ ବର୍ଷା ହେବାରୁ ବିଦ୍ୟୁତ୍ କାଟ କରାଯାଇଥିଲା। ବିଳମ୍ବିତ ରାତି ଯାଏ ବିଦ୍ୟୁତ୍ ନଥିଲା। ଏହି ସମୟରେ କିଛି ରୋଗୀ ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ବିଜୁଳି ନଥିବାରୁ ମୋବାଇଲ ଫୋନ୍‌ ଲାଇଟରେ ଏମାନଙ୍କ ଚିକିତ୍ସା କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ମୋବାଇଲ ଲାଇଟରେ ଚିକିତ୍ସା କରାଯାଉଥିବା ଭିଡିଓ ଭାଇରାଲ ହୋଇଥିଲା। ଗୁରୁବାର ପୁଣି ଏପରି ଏକ ଭିଡିଓ ଭାଇରାଲ ହୋଇଛି। ଅପରପକ୍ଷରେ ରୋଗୀମାନଙ୍କୁ ଉଚିତ ସେବା ଯୋଗାଇବା ପାଇଁ ଜେନେରେଟରର ବିଦ୍ୟୁତ୍ ଯୋଗାଣକୁ ଅପେକ୍ଷା ନକରି ମୋବାଇଲ ଲାଇଟ ଦ୍ବାରା ଚିକିତ୍ସା କରା ଯାଇଥିବା ନେଇ ବିଭିନ୍ନ ମହଲରେ ସ୍ବାଗତ ମଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର