କେବଳ ତେଲ ନୁହେଁ କୋଇଲା ଦର ମଧ୍ୟ ବଢିଚାଲିଛି, ଚିନ୍ତାରେ ସରକାର

ନୂଆଦିଲ୍ଲୀ : କେବଳ ତେଲଦର ନୁହେଁ ଆହୁରି କେତେକ ଜରୁରୀ ପଦାର୍ଥର ଦରବଢିଚାଲିଛି । ଏହାଫଳରେ ନିର୍ବାଚନ ବର୍ଷରେ ମୋଦି ସରକାରଙ୍କ ଚିନ୍ତା ବଢିଯାଇଛି । ଆଗକୁ ପରିସ୍ଥିତି ଆହୁରି ଉତ୍କଟ ହେବାର ଆଶଙ୍କା ରହିଛି । ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏପ୍ରିଲ କମୋଡିଟି ମାର୍କେଟ୍‌ ଆଉଟଲୁକ୍‌ ରିପୋର୍ଟ ଅନୁସାରେ କେବଳ ଅଶୋଧିତ ତେଲ ନୁହେଁ, ଆଗକୁ କୋଇଲା, ଷ୍ଟିଲ ଓ କୃଷିଜାତ ସାମଗ୍ରୀ ଦର ମଧ୍ୟ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ବିଶ୍ୱଅର୍ଥନୀତିରେ ସୁଧାର ଓ ଚାହିଦା ବୃଦ୍ଧି ଯୋଗୁଁ ଦର ବୃଦ୍ଧି ପାଉଛି । ସବୁଠାରୁ ଚିନ୍ତାର କାରଣ ହୋଇଛି ତେଲ ଓ କୋଇଲାର ବଢିଚାଲିଥିବା ଦର ।
ବିଶ୍ୱ ବଜାରରେ ବ୍ରେଣ୍ଟ କ୍ରୁଡ ଅଏଲ ବ୍ୟାରେଲ ପିଛା ଏବେ ୭୫ ଡଲାରକୁ ଛୁଇଁଛି । ଆଗକୁ ଏହା ୮୫ ଡଲାର ପର୍ଯ୍ୟନ୍ତ ଯିବାର ସମ୍ଭାବନା ରହିଛି । ୨୦୧୬ ଜାନୁୟାରୀରେ ତେଲଦର ମାତ୍ର ୨୭ ଡଲାରକୁ ଖସିଆସିଥିଲା । ଏଣୁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଆହୁରି ବଢିବାର ଆଶଙ୍କା ରହିଛି । ତୈଳ ଉତ୍ପାଦନକୁ ହ୍ରାସ କରିବାକୁ ଓପେକ ଦେଶମାନେ ରାଜି ହୋଇଥିବାରୁ ତେଲଦର ବଢିଚାଲିଛି । ଆହୁରିମଧ୍ୟ ଇରାନ ଉପରେ ଆମେରିକା ଆର୍ଥିକ କଟକଣା ଲଗାଇବ ବୋଲି ସଂକେତ ଦେବା ପରେ ତାହାର ପ୍ରଭାବ ଅଶୋଧିତ ତେଲଦର ଉପରେ ପଡୁଛି । ଅନ୍ୟପକ୍ଷରେ ଜାନୁୟାରୀ-ମାର୍ଚ୍ଚ ତିନିମାସରେ ବିଶ୍ୱ ବଜାରରେ କୋଇଲା ଦର ୪ ପ୍ରତିଶତ ବଢିଛି । ୨୦୧୭ରେ କୋଇଲା ଦର ୩୭ ପ୍ରତିଶତ ବଢିଥିଲା । କୋଇଲା ଦର ବଢିଚାଲିଥିବାରୁ ତାହା ବିଜୁଳି ଦରକୁ ମହଙ୍ଗା କରିବ । ବିଜୁଳି ମହଙ୍ଗା ହେଲେ ଅନେକ ସାମଗ୍ରୀର ଦର ମହଙ୍ଗା ହେବ ।

ସମ୍ବନ୍ଧିତ ଖବର