ବାପ ଚୋର; ପୁଅ ଇଞ୍ଜିନିୟର୍‌, ଡାକ୍ତର

ମୁମ୍ବାଇ: ଟକ୍‌-ଟକ୍‌ ଗ୍ୟାଙ୍ଗ୍‌ର ନେତା ଏବଂ ଅଢ଼େଇ ଲକ୍ଷ ଟଙ୍କା ଚୋରି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ରବିଚନ୍ଦ୍ରନ ମୁଦଲିୟାର୍‌ ହିନ୍ଦୀ ଜାଣି ନାହିଁ କହିବାରୁ ତାଙ୍କ ସହ କଥାବାର୍ତ୍ତା କରିବା ପୈଧୋନି ପୁଲିସ ପାଇଁ ଥିଲା କାଠିକର ପାଠ। ଦିନ ଦିନ ଧରି ସେ ପୁଲିସ ହାଜତରେ ରହିଥିଲେ ମଧ୍ୟ ସେ ପୁଲିସଙ୍କ ପ୍ରଶ୍ନର ଉତ୍ତର କେବଳ ତାମିଲ୍‌ ଭାଷାରେ ଦେଇଥିଲେ। ତାହା ପୁଣି ଗୋଳମାଳିଆ ଭାବରେ। ଏଥର ପୁଲିସ ସେମାନଙ୍କର ଚାଲ୍‌ ଖେଳିଲା। ପୁଲିସ କହିଲା କି, ଯଦି ସେ ସହଯୋଗ ନ କରନ୍ତି ତେବେ, ତାଙ୍କ ତିନି ପୁଅଙ୍କୁ ଡକାଯିବ। ତାଙ୍କର ତିନି ପୁଅ ମଧ୍ୟରୁ ଜଣେ ମେରାଇନ୍‌ ଇଞ୍ଜିନିୟର୍‌, ଜଣେ ସର୍ଜରିରେ ସ୍ନାତକତ୍ତୋର ପଢୁଥିବା ନଓ୍ଵି ମୁମ୍ବାଇର ଏକ ହସ୍‌ପିଟାଲ୍‌ ସହ ସମ୍ପୃକ୍ତ ଜଣେ ଡାକ୍ତର ଏବଂ ଅନ୍ୟ ଜଣେ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ୍‌ର ଛାତ୍ର। ଏବେ ଯାଇ ମୁଦଲିୟାର୍‌ କାନ୍ଦି ପକାଇ ଅନର୍ଗଳ ହିନ୍ଦୀ କହିଲେ।

‘ଟକ୍‌-ଟକ୍‌’ ଗ୍ୟାଙ୍ଗ୍‌ର ସାଧାରଣ କୌଶଳ ହେଲା କାର୍‌ ଡୋର୍‌ରେ ଠକ ଠକ କରି ତେଲ ଲିକ୍‌ କିଂବା ଦୁର୍ଘଟଣା ବିଷୟରେ ଡ୍ରାଇଭର୍‌ଙ୍କୁ ଅବଗତ କରାଇବା। ଡାଇଭର୍‌ ଗ୍ଲାସ୍‌ ତଳକୁ କରିବା ମାତ୍ରେ ଗ୍ୟାଙ୍ଗ୍‌ର ଅନ୍ୟମାନେ ଡ୍ରାଇଭର୍‌ ଠାରୁ ମୂଲ୍ୟବାନ ସାମଗ୍ରୀ ବିଶେଷ କରି ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇ ପଳାନ୍ତି।

ନିକଟରେ ଘଟିଥିବା ଏକ ମାମଲାରେ ମୁମ୍ବାଇର ଜଣେ ମହିଳା ଗହଣା ଡିଜାଇନର୍‌ ମାର୍ଚ ମାସରେ ଥାନାରେ ଅଭିଯୋଗ କରିଥିଲେ ଯେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ କାର୍‌ ଡୋର୍‌ ଠକ୍‌ ଠକ୍‌ କରି ତେଲ ଲିକ୍‌ କରୁଛି ବୋଲି କହିଲେ। ମହିଳାଜଣଙ୍କ ପୁଲିସକୁ କହିଲେ କି, ସେ କାର୍‌ରୁ ଓହ୍ଲାଇ ଯାଞ୍ଚ କରିବା ପାଇଁ ଯିବାରୁ ଜଣେ ଅଚିହ୍ନା ଲୋକ କାର୍‌ ପଛ ସିଟ୍‌ରେ ଥିବା ଅଳଙ୍କାର ଏବଂ ନଗଦ ଟଙ୍କା ନେଇ ପଳାଇଗଲେ। ଏହି ମାମଲାରେ ଏପ୍ରିଲ୍‌ ମାସ ପ୍ରାରମ୍ଭରେ ପୁଲିସ ମୁଦ୍‌ଲିୟାର୍‌ଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଧରିଥିଲା।

ମୁଦ୍‌ଲିୟାର୍‌ଙ୍କ ଠାରୁ ସହଯୋଗ ପାଇବାରେ ବିଫଳ ହୋଇ ପୁଲିସ ତା’ ପତ୍ନୀ ଏବଂ ତିନି ପୁଅଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିଲା। ଅବଶ୍ୟ ସେମାନେ ମୁଦ୍‌ଲିୟାର୍‌ଙ୍କ ସହ ବାସ କରୁ ନାହାନ୍ତି। ବଡ଼ପୁଅ ଏମ୍‌ବିବିଏସ୍‌ ଶେଷ କରିଛନ୍ତି। ଦ୍ୱିତୀୟ ପୁତ୍ର ମର୍ଚାଣ୍ଟ୍‌ ନେଭିରେ। ସାନପୁଅ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ୍‌ କରୁଛନ୍ତି।

ପରେ ପରେ ମୁଦ୍‌ଲିୟାର୍‌ ସବୁ ସତ ମାନି ଯାଇଥିଲେ। ସେ ଲୁଚାଇ ରଖିଥିବା ଏକ ସ୍ଥାନରୁ ସୁନା ଅଳଙ୍କାର ଏବଂ ଦେଢ଼ ଲକ୍ଷ ନଗଦ ଟଙ୍କା ପୁଲିସ ଉଦ୍ଧାର କରିଛି। ଏବେ ତାଙ୍କୁ ଅର୍ଥର୍‌ ରୋଡ୍‌ସ୍ଥିତ ଜେଲ୍‌ରେ ରଖାଯାଇଛି।

ସମ୍ବନ୍ଧିତ ଖବର